ହାଇସ୍କୁଲ ସମ୍ମୁଖରେ ଧାନଖଳା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ: କଂକ୍ରିଟ୍‌ ପ୍ଲିନ୍ଥ, ଦୋଳମଣ୍ଡପ ଭାଙ୍ଗିଦେଲେ

Advertisment

ଉତ୍ତେଜନା, ପୁଲିସ ମୁତୟନ

ଉତ୍ତେଜନା, ପୁଲିସ ମୁତୟନ

ହାଇସ୍କୁଲ ସମ୍ମୁଖରେ ଧାନଖଳା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ: କଂକ୍ରିଟ୍‌ ପ୍ଲିନ୍ଥ, ଦୋଳମଣ୍ଡପ ଭାଙ୍ଗିଦେଲେ

ବାଲିଅନ୍ତା: ସତ୍ୟଭାମାପୁର ସରକାରୀ ଉଚ୍ଚବିଦ୍ୟାଳୟ ସମ୍ମୁଖରେ ଧାନଖଳା ନିର୍ମାଣକୁ ସ୍ଥାନୀୟ ଲୋକ ଦୃଢ଼ ବିରୋଧ କରି ଆଜି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ପୂର୍ବାହ୍ନରେ ୪ନମ୍ବର ଓ ୫ନମ୍ବର ୱାର୍ଡର ଶତାଧିକ ଲୋକ ହାତରେ ଶାବଳ, କୋଡ଼ି ଓ କୋଦାଳ ଧରି ନିର୍ମାଣାଧୀନ ଖଳା କାର୍ଯ୍ୟର ପ୍ଲିନ୍ଥକୁ ଭାଙ୍ଗି ଦେଇଥିଲେ। ଏହାସହ କୌଣସି ପରିସ୍ଥିତିରେ ସ୍କୁଲ ଆଗରେ ଧାନଖଳା ନିର୍ମାଣ କରାଇଦେବେ ନାହିଁ ବୋଲି କହି ଗଣ୍ଡଗୋଳ କରିଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। କିନ୍ତୁ ସେତେବେଳକୁ ୨୦ ଫୁଟ୍‌ ଚଉଡ଼ା ଓ ୨୦ ଫୁଟ୍‌ ଲମ୍ବରେ ଚାରିପଟରେ ନିର୍ମିତ କଂକ୍ରିଟ ପ୍ଲିନ୍ଥକୁ ଲୋକମାନେ ତାଡ଼ି ଭାଙ୍ଗି ଦେଇଥିଲେ। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ହୋଇଛନ୍ତି।

ସୂଚନା ଅନୁସାରେ, ସତ୍ୟଭାମାପୁର ସ୍କୁଲ ଆଗରେ ଥିବା ୩ ଏକର ପରିମିତ ଗୋଚର ଓ ଅନାବାଦୀ କିସମ ଜମି ମଧ୍ୟରୁ ଅଧିକାଂଶ ଅଂଶକୁ ପ୍ରତିଷ୍ଠିତ ବ୍ୟକ୍ତି ଜବରଦଖଲ କରି କରାୟତ୍ତ କରିଛନ୍ତି। ଆଉ କିଛି ଅଂଶକୁ ବିଲଡର୍‌ କବ୍‌ଜା କରିନେଲେଣି। ପାଖାପାଖି ଆଉ ୧ ଏକର ପରିମିତ ସଂରକ୍ଷିତ ଜମିର ଦୁଇ ପାର୍ଶ୍ବରେ ୨୨ଟି ଦୋଳମଣ୍ଡପ ନିର୍ମାଣ ହୋଇଛି। ଦୋଳ ମେଲଣ ବେଳେ ବିମାନ ସ୍ଥାପନ କରାଯାଉଥିଲା। ସେହିପରି ସ୍କୁଲ ସମ୍ମୁଖ ଭାଗରେ ୨୦୨୦/୨୧ ଆର୍ଥିକ ବର୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ୭ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ଖଳା ନିର୍ମାଣ ଚାଲିଥିଲା। ଦୀର୍ଘ ୫୦ ବର୍ଷ ଧରି ପିଲାଙ୍କ ଖେଳ ପଡ଼ିଆରେ ଧାନଖଳା ନିର୍ମାଣ କରାଗଲେ ପିଲାଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ଉପୁଜିବ।

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନାରେ ସମସ୍ୟ‌ା ସୃଷ୍ଟି ହେବ। ତେଣୁ ସ୍କୁଲ ପରିବେଶ ନଷ୍ଟ ହେବ ବୋଲି ଯୁକ୍ତି ବାଢ଼ି ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦପ୍ତରରେ ଅଭିଯୋଗ କରିଥିଲେ। ଏପରିକି ନିର୍ମାଣ ବନ୍ଦ ରଖିବା ପାଇଁ ଠିକାଦାରଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ। କିନ୍ତୁ କେହି ନ ଶୁଣିବାରୁ ଗ୍ରାମବାସୀମାନେ ଆଜି ସକାଳେ ଏକଜୁଟ୍‌ ହୋଇ ଭଙ୍ଗାରୁଜା କରିଥିଲେ। ଘଟଣାସ୍ଥଳରେ ସତ୍ୟଭାମାପୁର ସମିତି ସଭ୍ୟ ସନତ କୁମାର ସ୍ବାଇଁଙ୍କ ସମେତ ୪ ନମ୍ବର ୱାର୍ଡସଭ୍ୟ ବିଶ୍ବନାଥ ଭୋଇ ଓ ୫ ନମ୍ବର ୱାର୍ଡ଼ ସଭ୍ୟା ଶାନ୍ତିଲତା ବେହେରା ଉପସ୍ଥିତ ଥିଲେ। ଏନେଇ ଠିକାଦାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଲିଅନ୍ତା ଥାନାରେ ପୃଥକ୍‌ ପୃଥକ୍‌ ଅଭିଯୋଗ କରାଯାଇଛି। ତେବେ ଧାନଖଳା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଛାତ୍ରଛାତ୍ରୀଙ୍କୁ ନେଇ ଅଭିଭାବକ ସଂଘ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବ ବୋଲି ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe