ଶ୍ମଶାନ ଜମିରେ ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

Advertisment
ଶ୍ମଶାନ ଜମିରେ ରାସ୍ତା ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ବାଲିଅନ୍ତା: ବାଲିଅନ୍ତା ତହସିଲ ଅଧୀନ ତିରଣପଦା ମୌଜା ଅଞ୍ଚଳରେ ଜଣେ ବିଲ୍ଡର ଦାଦାଗିରି ଚଳାଇଛନ୍ତି। ସ୍ଥାନୀୟ ଦଲାଲଙ୍କ ସହାୟତାରେ ଲୋକଙ୍କୁ ପ୍ରଭାବିତ କରି ହେକ୍ଟର ହେକ୍ଟର ଚାଷଜମି ହାତେଇ ନେଇଛନ୍ତି। ଉକ୍ତ ସ୍ଥିତିବାନ ସମ୍ପତ୍ତିକୁ ଘରବାଡ଼ିରେ ପରିଣତ କରିଦେବା ପରେ ଏବେ ରାସ୍ତା ଚିନ୍ତା ଘାରିଛି। ପ୍ଲଟିଂ ସ୍କିମକୁ ଯାତାୟାତ ପାଇଁ ରାସ୍ତା ବାହାର କରିବାକୁ ନେଇ ଗ୍ରାମରେ ବିବାଦ ଦେଖାଦେଇଛି। ନିଜ ଜମିକୁ ଲାଗିଥିବା ଗ୍ରାମର ଶ୍ମଶାନ କିସମ ଜମିରେ ରାସ୍ତା ନିର୍ମାଣ କରିବାକୁ ସେ ଷଡ଼ଯନ୍ତ୍ର ଚଳାଇଛନ୍ତି। ଗତ ଦୁଇଦିନ ତଳେ ଜେସିବି ଲଗାଇ ରାସ୍ତା ସଫା କରାଯାଇଥିଲା। ଆଜି ସେଠାରେ ରାସ୍ତା ନିର୍ମାଣ କରିବାକୁ ସଂପୃକ୍ତ ବିଲ୍ଡରଙ୍କ ସମର୍ଥକମାନେ ପହଞ୍ଚିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମର ଅଧିକାଂଶ ମହିଳା ବିଲ୍ଡରଙ୍କ ଏହି ବେଆଇନ କାର୍ଯ୍ୟକୁ ଦୃଢ଼ ବିରୋଧ କରିଥିଲେ। କୌଣସି ପରିସ୍ଥିତିରେ ବି ସେମାନେ ଶ୍ମଶାନ, ଅନାବାଦି ଓ ଗୋଚର କିସମ ଜମିକୁ ମିଶାଇ ସଂରକ୍ଷିତ ଥିବା ୯ ଏକର ପରିମିତ ଜମିକୁ ହାତଛଡ଼ା କରିବେ ନାହିଁ କହି ହୋ ହଲ୍ଲା କରିଥିଲେ। ଏ ସଂପର୍କରେ ଗ୍ରାମବାସୀ ବାଲିଅନ୍ତା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଗ୍ରାମର ମହିଳା ଓ ବିଲ୍ଡରଙ୍କ ସମର୍ଥକମାନଙ୍କ ମଧ୍ୟରେ ଏନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ରାସ୍ତା ନିର୍ମାଣ ବନ୍ଦ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe