ଗ୍ରାମସଭାରେ ପ୍ରବଳ ବିରୋଧ, ଭୁଆସୁଣିକୁ ଆବର୍ଜନା ଯିବା ନେଇ ସନ୍ଦେହ

ଆଜି ବିଏମ୍‌ସିକୁ ଜଣାଇବେ ନିଷ୍ପତ୍ତି

ଗ୍ରାମସଭାରେ ପ୍ରବଳ ବିରୋଧ, ଭୁଆସୁଣିକୁ ଆବର୍ଜନା ଯିବା ନେଇ ସନ୍ଦେହ

ଭୁବନେଶ୍ବର: ଦାରୁଠେଙ୍ଗସ୍ଥିତ ଭୁଆସୁଣି ଡମ୍ପିଂୟାର୍ଡ ବିବାଦ ବଢ଼ିବାକୁ ଯାଉଛି। ଆଜି ଦାରୁଠେଙ୍ଗରେ ବସିଥିବା ଗ୍ରାମସଭାରେ ଆବର୍ଜନା ପକାଇବା ପାଇଁ ବିଏମ୍‌ସିକୁ ଅନୁମତି ଦେବାର ପ୍ରସ୍ତାବକୁ ଗ୍ରାମବାସୀ ରୋକ୍‌ଠୋକ ପ୍ରତ୍ୟାଖ୍ୟାନ କରିଥିଲେ। ବୈଠକରେ ବିଏମ୍‌ସି ଦେଇଥିବା ପ୍ରସ୍ତାବକୁ ସରପଞ୍ଚ ତପନ ଚକ୍ରବର୍ତ୍ତୀ ଉପସ୍ଥାପନ କରିବା ପରେ ଲୋକମାନେ ବିରୋଧ କରିଥିଲେ। କୌଣସି ପରିସ୍ଥିତିରେ ଆବର୍ଜନା ପକାଇବା ପାଇଁ ସ୍ବୀକୃତି ଦିଆନଯାଉ ବୋଲି ସେମାନେ ଅଡ଼ି ବସିଥିଲେ, ଆଉ କିଛି ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଏଣୁ ବିଏମ୍‌ସିକୁ ନକାରାତ୍ମକ ଉତ୍ତର ଆସିବା ନେଇ ରହିଥିବା ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଛି।

ଅନ୍ୟପଟେ ଆଜି ବିଏମ୍‌ସିର ଚିଠି ଦାରୁଠେଙ୍ଗ ସରପଞ୍ଚଙ୍କ ପାଖରେ ପହଞ୍ଚିଛି। ଚିଠିରେ ବିଏମ୍‌ସି ଜଣାଇଛି, ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ଗୋଟିଏ, ୨୦୨୪ ଜାନୁଆରି ଶେଷ ସୁଦ୍ଧା ଆଉ ଗୋଟିଏ ଓ ୨୦୨୪ ଜୁଲାଇ ଶେଷ ସୁଦ୍ଧା ଆଉ ଗୋଟିଏ; ଏଭଳି ତିନିଟି ଦୈନିକ ୨ଶହ ଟନ୍‌ ଆବର୍ଜନା ପରିଚାଳନା କରିବା ଭଳି କ୍ଷମତାସମ୍ପନ୍ନ ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରତିଷ୍ଠା କରିବାକୁ ଯାଉଛି। ସେହିଭଳି ଦୈନିକ ୫୦ଟନ୍‌ ଆବର୍ଜନାରୁ ବା‌ୟୋଗ୍ୟାସ୍‌ ପ୍ରସ୍ତୁତ କଲା ଭଳି ପ୍ଲାଣ୍ଟ ପ୍ରତ୍ୟେକ ଜୋନ୍‌ରେ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ୨୦୨୩ ଜାନୁଆରି ସୁଦ୍ଧା ୨୩ ଏମ୍‌ସିସି ଓ ୪ ଏମ୍‌ଆରଏଫ୍‌, ଏପ୍ରିଲ ସୁଦ୍ଧା ୫ଟି ଏମ୍‌ସିସି ଓ ୪ଟି ଏମ୍‌ଆରଏଫ୍‌, ଜୁଲାଇ ସୁଦ୍ଧା ଆଉ ୬ ଏମ୍‌ଆରଏଫ୍‌ କାର୍ଯ୍ୟକ୍ଷମ ହେବ।

ଏଣୁ ଦାରୁଠେଙ୍ଗବାସୀ ବିଏମ୍‌ସିକୁ ଅତି କମ୍‌ରେ ଆଉ ବର୍ଷେ ସମୟ ଦିଅନ୍ତୁ। ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୨ ଶହ ଟ୍ରିପ୍‌ ଯିବ। ଅକ୍ଟୋବର ଆରମ୍ଭରୁ ଦିନକୁ ଦେଢ଼ଶହ ଟ୍ରିପ୍‌ ଯିବ। ଏଭଳି କମି କମି ୨୦୨୩ ମସିହା ଅଗଷ୍ଟ ପରେ ଆଉ ଆବର୍ଜନା ଯିବ ନାହିଁ। ଏହି କାର୍ଯ୍ୟକୁ ପ୍ରତିମାସରେ ସମୀକ୍ଷା କରାଯିବ। ବିଏମ୍‌ସିର ଏହି ପ୍ରତିଶ୍ରୁତି ଅନୁସାରେ କାମ ହେଉଛି କି ନାହିଁ ଦାରୁଠେଙ୍ଗବାସୀ ଯାଞ୍ଚ କରିପାରିବେ। ତା’ ଛଡ଼ା ଦାରୁଠେଙ୍ଗବାସୀଙ୍କ ଦାବି ମୁତାବକ, ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରିବାକୁ ବିଏମ୍‌ସି ରାଜି ହୋଇଥିବା ଚିଠିରେ ଲେଖିଛି।

ବିଏମ୍‌ସିର ଏହି ଚିଠିକୁ ଗ୍ରାମସଭାରେ ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ମଧ୍ୟ ଭୁଆସୁଣିକୁ ଆବର୍ଜନା ଯିବ ନାହିଁ ବୋଲି ବିଏମ୍‌ସି ଏଭଳି ଡେଡ୍‌ଲାଇନ୍‌ ଶୁଣାଇଥିବା କେତେକ ଯୁକ୍ତି ବାଢ଼ିଥିଲେ। ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ସ୍ଥିତି ହୋଇଥିଲା। ଡେଡ୍‌ଲାଇନ୍‌ ପରେ ବି ବିଏମ୍‌ସି ଆବର୍ଜନା ଗଦା କରିବା ଅଭ୍ୟାସ ଜାରି ରଖିଥିଲା। ଏବେ ପୁଣିଥରେ ବିଏମ୍‌ସି ଭକୁଆ କରିବାକୁ ବସିଥିବା ମତ ଦେବା ସହ ଆବର୍ଜନା ଗଦା କରିବାକୁ ସୁଯୋଗ ନ ଦେବାକୁ ସେମାନେ ଦାବି କରିଥିଲେ। ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି, ଆଜି ଗ୍ରାମସଭାରେ ଲେକମାନେ ତାଙ୍କ ମତ ରଖିଛନ୍ତି। ସର୍ବସାଧାରଣଙ୍କ ମତକୁ ସମ୍ମାନ ଜଣାଇ ବିଏମ୍‌ସିକୁ ଉତ୍ତର ଲେଖାଯିବ।

ବିଏମ୍‌ସିର ପ୍ରତିଶ୍ରୁତି
ବସିବ ବାୟୋଗ୍ୟାସ୍‌ ପ୍ଲାଣ୍ଟ
୨୦୦ ଟନ୍‌ କ୍ଷମତାର ୩ ଏମ୍‌ସିସି
ମୃତକ ପରିବାରକୁ ୫ ଲକ୍ଷ

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୭୮ଟି ଏମ୍‌ସିସି ସ୍ଥାପନ କରି ଡମ୍ପିଂୟାର୍ଡ ସମସ୍ୟା ସବୁଦିନ ପାଇଁ ଦୂର କରିବାକୁ ଯୋଜନା କରିଥିଲା ବିଏମ୍‌ସି। ୨୦୧୯ ମସିହାରେ ଏଥିପାଇଁ ଜମି ଖୋଜା ଆରମ୍ଭ ହେଲା। ଜମି ଖୋଜା ପାଇଁ ଦେଢ଼ବର୍ଷ ଗଲା। ତାହା ପୁଣି ୩୨ଟି ପାଇଁ ଜମି ଚିହ୍ନଟ ହେଲା। ୩୨ଟି କାର୍ଯ୍ୟକ୍ଷମ କରିବାକୁ ସାଢ଼େ ୩ ବର୍ଷ ଲାଗିଗଲା। ଅର୍ଥାତ୍‌ ଲକ୍ଷ୍ୟ ପୂରଣ କରିବାକୁ ଆଉ ୪୬ଟି ବାକି ଅଛି। ବିଏମ୍‌ସି ଏବେ ତିନିଟି ମେଗା ଏମ୍‌ସିସି(୨ଶହ ଟନ୍‌ କ୍ଷମତା ବିଶିଷ୍ଟ) ସମେତ ପ୍ରତି ଜୋନ୍‌ରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବସିଛି। ତାହା ପୁଣି ଦେଢ଼ ବର୍ଷରେ। ଏଣୁ ଏସବୁକୁ ଲୋକ ସହଜରେ ବିଶ୍ବାସ କରୁନାହାନ୍ତି।

ଅନ୍ୟପଟେ କାର୍ଯ୍ୟକ୍ଷମ ହୋଇଥିବା ଏମ୍‌ସିସିକୁ ନେଇ ଏକ ବଡ଼ ଚର୍ଚ୍ଚା ନଜରକୁ ଆସିଛି। ଏମ୍‌ସିସି ନିଜ କ୍ଷମତାଠାରୁ କମ୍‌ ପରିଚାଳନା କରୁଛି। ଯେଉଁଥିପାଇଁ ନୂଆ ସଂସ୍ଥାମାନେ ଏମ୍‌ସିସିକୁ ଆବର୍ଜନା ନ ନେଇ ଏଣେତେଣେ ଗଦା କରୁଛନ୍ତି। ଏମ୍‌ସିସିଗୁଡ଼ିକରେ ବ୍ୟବହାର ହେଉଥିବା ‘ସ୍ରେଡର ମେସିନ୍‌’ ଖରାପ ହୋଇଯିବା ପରେ ମରାମତି ସମ୍ଭବ ହେଉନି। ଏଗୁଡ଼ିକ ରାଜ୍ୟ ବାହାରୁ ଆସିଛି ଓ ୱାରେଣ୍ଟି ମଧ୍ୟ ନାହିଁ। ଏଣୁ ଏମ୍‌ସିସିଗୁଡ଼ିକ ନିଜ କ୍ଷମତାଠାରୁ କମ୍‌ ଆବର୍ଜନା ପରିଚାଳନା କରୁଛନ୍ତି। ସେଥିପାଇଁ ଆବର୍ଜନା ଏମ୍‌ସିସିକୁ ଯାଉନାହିଁ। ଏମ୍‌ସିସିରେ ଏଭଳି ତ୍ରୁଟି ଜାରି ରହିଲେ ବିଏମ୍‌ସିର ‘ଏତେ ସ୍ବପ୍ନକୁ ରାତି କାହିଁ’ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe