‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ଏସ୍‌ସି ମହିଳା ହେବେ ବ୍ଲକ୍ ଅଧ୍ୟକ୍ଷ

Advertisment

କାକରୁଦ୍ରପୁର ଓ ପୂରଣପଧାନ ଫାଇଟ୍‌

କାକରୁଦ୍ରପୁର ଓ ପୂରଣପଧାନ ଫାଇଟ୍‌

‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ଏସ୍‌ସି ମହିଳା ହେବେ ବ୍ଲକ୍ ଅଧ୍ୟକ୍ଷ

ବାଲିଅନ୍ତା: ପ୍ରଥମ ଥର ପାଇଁ ବାଲିଅନ୍ତା ବ୍ଲକ୍‌ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ହାତକୁ ଯାଉଛି। ଚଳିତ ଥର ଏହି ବ୍ଲକ୍‌ର ଅଧ୍ୟକ୍ଷ ପଦ ଅନୁସୂଜିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ପଞ୍ଚାୟତସ୍ତରରେ ସାଧାରଣ ଭୋଟର୍‌ଙ୍କ ଭିତରେ ବ୍ଲକ୍‌ ଅଧ୍ୟକ୍ଷ ପଦକୁ ନେଇ ସେଭଳି ଆଖିଦୃଶିଆ ଚର୍ଚ୍ଚା ନାହିଁ। କିନ୍ତୁ ବ୍ଲକ୍‌ସ୍ତରୀୟ ନେତାମାନେ ଏବେଠୁ ଅଙ୍କ କଷା ଆରମ୍ଭ କରିଦେଲେଣି। ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ପଦରେ ବସାଇବା ସହ ବ୍ଲକ୍‌କୁ ହାତମୁଠାରେ ରଖିବା ପାଇଁ ଛାମୁଆମାନେ କସରତ କରିବା ଆରମ୍ଭ କରିଦେଇଛନ୍ତି। ଏହି ଦୌଡ଼ରେ ବିଜେଡି ଆଗରେ ଥିବା ଚର୍ଚ୍ଚା ହେଉଥିବା ବେଳେ ଦଳୀୟ ଗୋଷ୍ଠୀ କନ୍ଦଳରୁ ବିଜେପି କିମ୍ବା କଂଗ୍ରେସ ଫାଇଦା ଉଠାଇବା କିଛି ଅସମ୍ଭବ ନୁହେଁ ବୋଲି ସ୍ଥାନୀୟ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ ଲଗାଉଛନ୍ତି। କାକରୁଦ୍ରପୁର ଓ ପୂରଣପଧାନ ପଞ୍ଚାୟତରେ ସମିତି ସଭ୍ୟ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଏବେ ଏଠାରେ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ତେଣୁ ଅଧ୍ୟକ୍ଷ ପଦ ପାଇଁ ଏହି ଦୁଇ ପଞ୍ଚାୟତ ଭିତରେ ଫାଇଟ୍‌ ହେବ ବୋଲି କୁହାଯାଉଛି। କିନ୍ତୁ ସମିତି ସଭ୍ୟ ପଦ ଅଣସଂରକ୍ଷିତ ଥିବା ଅନ୍ୟ କେତୋଟି ପଞ୍ଚାୟତରେ ମଧ୍ୟ ଅନୁସୂଚିତ ଜାତି ମହିଳା ପ୍ରାର୍ଥୀ ଥିବାରୁ ଅଙ୍କ କଷା ଓଲଟପାଲଟ ହେବା କିଛି ବିଚିତ୍ର ନୁହେଁ ବୋଲି ଚର୍ଚ୍ଚା ହେଉଛି।

ସୂଚନାନୁସାରେ ଏଠାରେ ପୂର୍ବରୁ କୌଣସି ଅନୁସୂଚିତ ଜାତି ମହିଳା ଅଧ୍ୟକ୍ଷ ପଦରେ ବସିନାହାନ୍ତି। ପ୍ରଥମ ଥର ପାଇଁ ସେମାନଙ୍କ ପାଇଁ ଏହି ସୁଯୋଗ ମିଳିଛି। କାକରୁଦ୍ରପୁର ଓ ପୂରଣପଧାନ ପଞ୍ଚାୟତରେ ସମିତି ସଭ୍ୟ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ଏହି ଦୁଇ ପଞ୍ଚାୟତରୁ ଜିତିବାକୁ ଥିବା ମହିଳାଙ୍କ ମଧ୍ୟରୁ କେହି ଜଣେ ବ୍ଲକ୍‌ ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି। ଏଠାରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି। ସେହିଭଳି ଏଠାରେ ଅସନ୍ତୁଷ୍ଟ ବିଜେଡିର ପ୍ରାର୍ଥୀ ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତରେ ସମିତି ସଭ୍ୟ ଅଣସଂରକ୍ଷିତ ଥିଲେ ବି ଅନୁସୂଚିତ ଜାତି ମହିଳା ପ୍ରାର୍ଥୀ ଅଛନ୍ତି। ଭିଙ୍ଗାରପୁରରେ ୨ ଓ ବେଣ୍ଟପୁରରେ ୩ ଜଣ ଏହି ବର୍ଗର ପ୍ରାର୍ଥୀ ଅଛନ୍ତି। ତେଣୁ ସେମାନେ ଜିତିଲେ, ବ୍ଳକ୍‌ ଅଧ୍ୟକ୍ଷ ପାଇଁ ଦାବିଦାର୍ ହୋଇପାରିବେ। ତେଣୁ ଏହି ସବୁ ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ଲଢ଼େଇ ଜୋର୍‌ଦାର ହେଉଛି। ପ୍ରାର୍ଥୀମାନେ ଜିତିବା ପାଇଁ ପ୍ରଚାରକୁ ଜୋର୍‌ଦାର କରିଛନ୍ତି।

ଜୟଦେବ ନିର୍ବାଚନ ମଣ୍ଡଳୀରେ ଏଥର ଜିଲ୍ଲା ପରିଷଦ ଟିକେଟ୍‌ ବଣ୍ଟନକୁ ନେଇ ବିଜେଡିରେ କନ୍ଦଳ ରହିଛି। ବିଧାୟକଙ୍କ ସମର୍ଥିତ କୌଣସି ପ୍ରାର୍ଥୀ ଦଳୀୟ ଟିକେଟ୍‌ ପାଇନାହାନ୍ତି। କମଳ ପାତ୍ରଙ୍କ ସମର୍ଥିତ ପ୍ରାର୍ଥୀମାନେ ଦଳୀୟ ଟିକେଟ୍‌ରେ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ପରୋକ୍ଷରେ ବିଧାୟକଙ୍କ ଗୋଷ୍ଠୀ କମଳ ପାତ୍ରଙ୍କ ଗୋଛି କାଟିବାକୁ ଲାଗିପଡ଼ିଥିବା କୁହାଯାଉଛି। ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜେଡିରେ ଲାଗି ରହିଥିବା କଳହ ବ୍ଲକ୍ ଅଧ୍ୟକ୍ଷ ପଦ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଆବଶ୍ୟକ ପଡ଼ିଲେ, ସବୁ ବିରୋଧୀ ଦଳ ଅସନ୍ତୁଷ୍ଟ ବିଜେଡି ସହ ମିଶି କମଳ ପାତ୍ରଙ୍କୁ ଚେକ୍‌ ଦେବେ ବୋଲି ରଣନୀତି ହେଉଥିବା ଆଲୋଚନା ହେଉଛି। ତେବେ ପୂର୍ବରୁ ଏଥିରେ ସମସ୍ତଙ୍କୁ ଚକ୍‌ମା ଦେବାରେ ମାହିର୍‌ କମଳ ବି ବେଶ୍ ସତର୍କତାର ସହ ଗୋଟି ଚାଳନା କରୁଥିବା ଜଣାପଡ଼ିଛି। ପୂର୍ବରୁ ସେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଅଭିଜ୍ଞ ରାଜନୀତିଜ୍ଞ ଶଶିଭୂଷଣ ବେହେରାଙ୍କୁ ଏହି ପ୍ରତିଦ୍ବନ୍ଦ୍ବିତାରେ ପଛରେ ପକାଇଥିବାରୁ ଏଥର ବି ତାଙ୍କ ରଣକୌଶଳକୁ ନେଇ ଅନେକ ସନ୍ଦେହ କରୁନାହାନ୍ତି। ଶଶିଭୂଷଣଙ୍କୁ ହରାଇ ଥିବା କମଳଙ୍କ ପାଇଁ ବିଧାୟକ ଅରବିନ୍ଦ ଢାଲିଙ୍କୁ ପଛରେ ପକାଇବା କିଛି ବଡ଼ କଥା ନୁହେଁ ବୋଲି କୁହାଯାଉଛି। ତେବେ ବିଧାୟକ ଶ୍ରୀ ଢାଲିଙ୍କ ପଛରେ ଥିବା ସ୍ଥାନୀୟ ଛାମୁଆମାନେ ଏଥର କିଛି ନୂଆ ଯୋଜନା କରୁଥିବାରୁ ଏହି ବ୍ଲକ୍‌ ଅଧ୍ୟକ୍ଷ ଗଣିତ କଷା ଜଟିଳ ହୋଇପଡ଼ିଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe