ଚନ୍ଦ୍ରଶେଖରପୁର: ମରଣଯନ୍ତା ପାଲଟିଛି ଭିଏଏସ୍ନଗର-ଚକେଇସିଆଣି ମୁଖ୍ୟ ରାସ୍ତା। ଦିନେ କି ଦୁଇ ଦିନ ନୁହେଁ, ମାସ ମାସ ଧରି ରାସ୍ତା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ଷା ହେଲେ କଥା ସରିଲା। ସେ ସମୟରେ ଲୋକେ ଯିବାଆସିବା କରିବାରେ ଘୋର ସମସ୍ୟାରେ ପଡ଼ୁଛନ୍ତି। ଏହାଛଡ଼ା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି ଖାଲଖମା ରାସ୍ତା। ୧ କିଲୋମିଟର ରାସ୍ତାରେ ୫୦ରୁ ଊର୍ଦ୍ଧ୍ବ ଖାଲ। ଅନେକ ସମୟରେ ପଥଚାରୀମାନେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତିଦିନ ଭାରୀଯାନ ସେହି ବାଟ ଦେଇ ଯିବା ଆସିବା କରୁଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଭିଏସ୍ଏସ୍ନଗର-ଚକେଇସିଆଣି ମୁଖ୍ୟ ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡ଼ି ଓ ଲୋକେ ଯାତାୟାତ କରୁଛନ୍ତି। ଚକେଇସିଆଣିର ୧୦ ନମ୍ବର ୱାର୍ଡ ବାସିନ୍ଦା ଭିଏସ୍ଏସ୍ନଗର ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥା’ନ୍ତି। ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲେ। ଫଳରେ ଗାଡ଼ି ଚାଳକ, ଛୋଟ ପିଲା ଓ ବୟସ୍କ ଲୋକ ଖାଲ ଜାଣି ନପାରି ଦୁର୍ଘଟଣାର ଶିକାର ହୁଅନ୍ତି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ହୋଇଥିବା ବେଳେ ବିଭିନ୍ନ କମ୍ପାନିର ଶହ ଶହ ମାଲବାହୀ ଭାରୀଯାନ ପ୍ରତିଦିନ ଏଠାକୁ ଆସୁଛି। ଫଳରେ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଛି। ବର୍ଷେ ପୂର୍ବରୁ ରାସ୍ତାଟି ନୂଆ କରି ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ କେବଳ ରାସ୍ତାସାରା ନାଲି ଗୋଡ଼ି ମାଟି ପଡ଼ି ରହିଛି। ଏହାଛଡ଼ା ପାଦେ ପାଦେ ଖାଲ। ଷ୍ଟ୍ରିଟ୍ ଲାଇଟ୍ ଜଳୁ ନଥିବାରୁ ରାସ୍ତା ଅନ୍ଧାରରେ ରହୁଛି। ରାତିରେ ଉକ୍ତ ରାସ୍ତାରେ ଯାତାୟାତ କରିବା ମୁସ୍କିଲ୍ ହୋଇଯାଉଛି।
ସ୍ଥାନୀୟ ବାସିନ୍ଦା ବସନ୍ତ ସାହୁ କହିଛନ୍ତି, ଦୀର୍ଘ ଦିନ ଧରି ରାସ୍ତା ସମସ୍ୟା ଲାଗି ରହିଛି। ଅନେକ ଲୋକ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ରାତିରେ ଯିବାକୁ ଭୟ ଲାଗୁଛି। ସ୍ଥାନୀୟ ଦୋକାନୀ ରାଜେନ୍ଦ୍ର ତ୍ରିପାଠୀ କୁହନ୍ତି, ନିମ୍ନମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ଖୁବ୍ କମ ଦିନରେ ଖରାପ ହୋଇପଡ଼ିଛି। ଅନେକ ସମୟରେ ଛୋଟ ପିଲାମାନେ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ବର୍ଷା ସମୟରେ ବିପଦ ଆହୁରି ବଢ଼ିଯାଏ। ପ୍ରଶାସନ ଏହା ଉପରେ ଶୀଘ୍ର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
Follow Us