ଖୁବ୍‌ଶୀଘ୍ର ଭିଏସ୍‌ଏସ୍‌ ନଗର ‘ଆର୍‌ଓବି’: ୨୦୨୪ ଅଗଷ୍ଟ ସୁଦ୍ଧା ସରିବ କାମ

Advertisment

ଖର୍ଚ୍ଚ ହେବ ୬୧ କୋଟି ଟଙ୍କା, ଉପକୃତ ହେବେ ୨ଲକ୍ଷ ଲୋକ

ଖର୍ଚ୍ଚ ହେବ ୬୧ କୋଟି ଟଙ୍କା, ଉପକୃତ ହେବେ ୨ଲକ୍ଷ ଲୋକ

ଖୁବ୍‌ଶୀଘ୍ର ଭିଏସ୍‌ଏସ୍‌ ନଗର ‘ଆର୍‌ଓବି’: ୨୦୨୪ ଅଗଷ୍ଟ ସୁଦ୍ଧା ସରିବ କାମ

ଭୁବନେଶ୍ବର: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ହେବ। ଖୁବ୍‌ଶୀଘ୍ର ଆରମ୍ଭ ହେବ ଭିଏସ୍‌ଏସ୍‌ ନଗର ରେଳ ଓଭରବ୍ରିଜ୍‌। ଯାତାୟାତ ବେଳେ ଆଉ ଘଣ୍ଟା ଘଣ୍ଟା ଧରି ରେଳ ଫାଟକ ନିକଟରେ ଛିଡ଼ା ହେବାକୁ ପଡ଼ିବନି। ପୂର୍ତ୍ତ ବିଭାଗ ଦ୍ବାରା ଏହି ଓଭରବ୍ରିଜ୍‌ର ନିର୍ମାଣ ହେଉଥିବା ବେଳେ ଟେଣ୍ଡର୍‌ ପ୍ରକ୍ରିୟାରେ ଠିକା ସଂସ୍ଥାକୁ କାମ ଦିଆସରିଛି। ଆବଶ୍ୟକ ଅର୍ଥ ମଧ୍ୟ ଅନୁମୋଦନ ହୋଇଯାଇଛି। ଆସନ୍ତା ସପ୍ତାହେ ଭିତରେ ଚୁକ୍ତି ସ୍ବାକ୍ଷର ହୋଇ ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଇଂରାଜୀ ଅକ୍ଷର ‘ଏଲ୍‌’ ଆକୃତିରେ ଏହି ବ୍ରିଜ୍‌ ନିର୍ମାଣ ହେବ। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପଟୁ ଓଡ଼ିଶ୍ୟାଲୀ ଛକରୁ ଆରମ୍ଭ ହୋଇ ଭିଏସ୍‌ଏସ୍‌ ନଗର ଡାକ୍ତରଖାନା ପାଖରେ ଶେଷ ହେବ। ପ୍ରାୟ ୧ କିଲୋମିଟରର ଏହି ବ୍ରିଜ୍‌ ନିର୍ମାଣ ପାଇଁ ଦୁଇବର୍ଷ ସମୟ ଅବଧି ରଖାଯାଇଥିବା ବେଳେ ‘ବିରଜା କନଷ୍ଟ୍ରକସନ୍‌’ ନାମକ ଠିକା ସଂସ୍ଥା ଏହି କାମ କରିବ। ଏଥିପାଇଁ ୬୧ କୋଟି ଟଙ୍କା ଅନୁମୋଦନ ହୋଇଛି। ୪୬ କୋଟି ଟଙ୍କା ବ୍ରିଜ୍‌ ନିର୍ମାଣରେ ଖର୍ଚ୍ଚ ହେବାକୁ ଥିବା ବେଳେ ଜବରଦଖଲ ଉଚ୍ଛେଦ, ଲାଇଟ୍‌ ପୋଷ୍ଟ ସ୍ଥାନାନ୍ତର ଆଦି ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ୧୫କୋଟି ଟଙ୍କା ଅର୍ଥ ବ୍ୟୟ ଅଟକଳ ରଖାଯାଇଥିବା ଜଣାପଡ଼ିଛି। ବ୍ରିଜ୍‌ ଡାକ୍ତରଖାନା ପାଖ‌ରେ ଶେଷ ହେଉଥିବା ବେଳେ ସେଠାରେ ଉଭୟ ପାର୍ଶ୍ବରେ ସର୍ଭିସ୍‌ ରୋଡ୍‌ ନିର୍ମାଣ କରାଯିବ। ଯେଉଁ ଲୋକମାନେ ମ‌ଞ୍ଚେଶ୍ବର ଶିଳ୍ପାଞ୍ଚଳ ପଟୁ ହାଟ ଏବଂ ସୈନିକ ସ୍କୁଲ୍‌ ପଛ ପାର୍ଶ୍ବକୁ ଯିବାକୁ ଚାହିବେ, ସେମାନେ ଡାକ୍ତରଖାନା ନିକଟରୁ ୟୁ-ଟର୍ଣ୍ଣ ନେଇ ସର୍ଭିସ୍‌ ରୋଡ୍‌ରେ ହାଟ ରୋଡ୍‌କୁ ଯାଇପାରିବେ। ରାସ୍ତା ଚଉଡ଼ା ହୋଇଥିବାରୁ ଜାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ। ଏ ସଂପର୍କରେ ପୂର୍ତ୍ତ ବିଭାଗ ଡିଭିଜନ-୪ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ବେହେରାଙ୍କ କହିବାନୁସାରେ, ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି। କେବଳ ଚୁକ୍ତି ସ୍ବାକ୍ଷର ହୋଇ ଆସନ୍ତା ସପ୍ତାହରେ ନିର୍ମାଣ କାମ ଆରମ୍ଭ ହେବ ଏବଂ ଦୁଇ ବର୍ଷ ଭିତରେ କାମ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଥାଉ କି, ରେଳ ବିଭାଗର ୧୮୬ ନମ୍ବର ରେଳ ଫାଟକ ତଥା ଭିଏସ୍‌ଏସ୍‌ ନଗର ଫାଟକରେ ଓଭରବ୍ରିଜ୍‌ ନଥିବା ହେତୁ ଟ୍ରେନ୍‌ ଚଳାଚଳ ସମୟରେ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ସେହି ରାସ୍ତା ଉପରେ ନିର୍ଭର କରୁଥିବା ଭିଏସ୍‌ଏସ୍‌ ନଗର, ‌ଚକେଇସିହାଣୀ, ମଞ୍ଚେଶ୍ବର, ସମେଇଗାଡ଼ିଆ, ଭୋଟପଡ଼ା ଆଦି ଅଞ୍ଚଳର ପ୍ରାୟ ୨ ଲକ୍ଷ ଲୋକ ଦୀର୍ଘ ବର୍ଷ ଧରି ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ବ୍ରିଜ୍‌ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ଘୋଷଣା କରାଯାଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ, ରେଳ ଫାଟକ ଗୃହ ସ୍ଥାନାନ୍ତର ଆଦି ବିଭିନ୍ନ ସମସ୍ୟା ଯୋଗୁଁ ନିର୍ମାଣରେ ବିଳମ୍ବ ହେଉଥିଲା। ଏବେ ସେ ସବୁ ସମସ୍ୟା ନଥିବାରୁ ବ୍ରିଜ୍‌ କାମ ତୁରନ୍ତ ଶେଷ ହୋଇଯିବାର ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe