ମହାପ୍ରଭୁଙ୍କ ସିଂହାସନ ଉପରେ ପାଚେରି

Advertisment

ଜବରଦଖଲରେ ଶ୍ରୀପଞ୍ଚମୀ ପଡ଼ିଆ

ଜବରଦଖଲରେ ଶ୍ରୀପଞ୍ଚମୀ ପଡ଼ିଆ

ମହାପ୍ରଭୁଙ୍କ ସିଂହାସନ ଉପରେ ପାଚେରି

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏକର ଏକର ସମ୍ପତ୍ତି ଥିବାବେଳେ ଠାକୁର ରାସ୍ତା କଡ଼ରେ ପୂଜା ପାଇବାକୁ ଯାଉଛନ୍ତି। ଏପରିକି ଠାକୁରଙ୍କ ସିଂହାସନ ଉପରେ ପାଚେରି ନିର୍ମାଣ ହୋଇଛି। ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ପାଇଁ ଯେଉଁ ସ୍ଥାନକୁ ଯାଇଥାନ୍ତି ତାହା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ବୋଲି ମନ୍ଦିର ପ୍ରଶାସନ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଶ୍ରୀପଞ୍ଚମୀ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାଇଥାନ୍ତି। ସେଠାରେ ପରମ୍ପରା ଅନୁଯାୟୀ ରୁକୁଣା ରଥକାଠ ଅନୁକୂଳ କରାଯାଏ। ମହପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ ଓ ବାସୁଦେବ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିଥାନ୍ତି। ସେଠାରେ ସେବାୟତମାନଙ୍କ ଗହଣରେ କାଠ ଚିରା ଅନୁକୂଳ କରାଯାଏ। ତେବେ ଠାକୁର ଯେଉଁ ସିଂହାସନ ଉପରେ ବିରାଜମାନ କରନ୍ତି ଉକ୍ତ ସିଂହାସନ ଉପରେ ପାଚେରି ତିଆରି ହୋଇଛି। ଏପରିକି ଯେଉଁ ଗଛକୁ କୁରାଢ଼ୀ ଲଗାଇ ଛେଦନ କରାଯାଏ, ସେହି ଗଛ ଜଣେ ବ୍ୟକ୍ତିଙ୍କ ଘର ପାଚେରି ଭିତରେ ରହିଛି। ଠାକୁର ରାସ୍ତା ଉପରେ ପୂଜା ପାଉଥିବା ବେଳେ ଆମ୍ବ ଗଛକୁ ଲୋକେ ଛୁଇଁବାକୁ ଚାହିଁଲେ ମଧ୍ୟ ଏହା ସମ୍ଭବ ହେଉ ନାହିଁ। ଏନେଇ ଆଜି ସ୍ଥାନୀୟ ବାସିନ୍ଦା ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ଵରେ ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଛି। ଏପରି ଅଭିଯୋଗ ପାଇ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଅମିନ ଓ ଆର୍‌ଆଇ ଜମିଗୁଡ଼ିକର ସ୍ଥିତି ଜାଣିବାକୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏ ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ାଙ୍କୁ ପଚାରିବାରୁ ସେ କୁହନ୍ତି ଏ ନେଇ ଅଭିଯୋଗ ହେବା ପରେ ଜମିର ସ୍ଥିତି ଜାଣିବାକୁ ତଦନ୍ତ ନିର୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ମନୋଜ ମହାନ୍ତି କୁହନ୍ତି ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ଟ୍ରଷ୍ଟ ବୋର୍ଡ ବୈଠକରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe