୨୬ ନମ୍ବର ୱାର୍ଡ ବାସିନ୍ଦାଙ୍କ ଭୋଟ୍‌ ବର୍ଜନ ଚେତାବନୀ

୨୬ ନମ୍ବର ୱାର୍ଡ ବାସିନ୍ଦାଙ୍କ ଭୋଟ୍‌ ବର୍ଜନ ଚେତାବନୀ

ଚନ୍ଦ୍ରଶେଖରପୁର: ଡ୍ରେନ୍‌ ସମସ୍ୟାର ସମାଧାନ ନ ହେଲେ, ଆସନ୍ତା ପୌର ନିର୍ବାଚନରେ ଭୋଟ୍‌ ଦେବୁନି। ଜୟଦେବ ବିହାରସ୍ଥିତ ୨୬ନମ୍ବର ୱାର୍ଡ ବାସିନ୍ଦାମାନେ ଆଜି ଏଭଳି ଚେତାବନୀ ଦେବା ସହ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ୫ବର୍ଷ ହେଲା ୨୬ ନମ୍ବର ୱାର୍ଡରେ ଡ୍ରେନ୍ ସମସ୍ୟା ଲାଗି ରହିଛି। ଏହି ୱାର୍ଡ ଦେଇ ଯାଇଥିବା ୪ନମ୍ବର ଡ୍ରେନ୍‌ଟି ନିୟମିତ ଅନ୍ତରାଳରେ ସଫେଇ ହେଉ ନଥିବାରୁ ବର୍ଷା ଦିନେ ଡ୍ରେନ୍‌ ପାଣି ଲୋକଙ୍କ ଘରେ ପଶୁଛି। ସେହିପରି ନିକଟରେ ଥିବା ପେଙ୍ଗୁଇନ୍‌ ଆପାର୍ଟମେଣ୍ଟ ପାଇଁ ଡ୍ରେନ୍‌ ସଂକୁଚିତ ହୋଇଯାଇଛି। ଫଳରେ ଠିକ୍‌ ଭାବେ ଡ୍ରେନ୍‌ ଜଳ ନିଷ୍କାସିତ ହୋଇପାରୁନାହିଁ।

ଏ ସଂପର୍କରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ପରେ ବିଏମ୍‌ସିର କିଛି ଅଧିକାରୀ ସ୍ଥିତି ଯାଞ୍ଚ କରିଥିଲେ। କିଛି ଦିନ ପରେ ଡ୍ରେନ୍ ଉପରେ ଏକ ବ୍ରିଜ୍‌ ମଧ୍ୟ ତିଆରି ଆରମ୍ଭ ହେଲା, କିନ୍ତୁ ଉକ୍ତ ବ୍ରିଜ୍‌ ଏବେ ବି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଏହି ଅଧାତିଆରି ବ୍ରିଜ୍ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ବ୍ରିଜ୍ ଉଚ୍ଚା ହେବା ଫଳରେ ‌ବର୍ଷାଦିନେ ଡ୍ରେନ୍ ପାଣି ସିଧା ଘରେ ପଶୁଛି। ତେଣୁ ଏ ସମସ୍ୟାର ସମାଧାନ ନ ହେଲେ, ଆଗାମୀ ପୌର ନିର୍ବାଚନରେ ୱାର୍ଡବାସୀ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ବିକ୍ଷୋଭରେ ଆଶିଷ ରଂଜନ ମହାନ୍ତି, ରଂଜନ ପଣ୍ଡା, ଶିଶିର ପଣ୍ଡା, ଅମୂଲ୍ୟରତ୍ନ ବେହେରା ପ୍ରମୁଖଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe