ୱାର୍ଡ ନଂ୨୯: ବର୍ଷା ଦିନେ ବୁଡ଼ିଯାଉଛି ବସ୍ତି

Advertisment

ଜବରଦଖଲରେ ପ୍ରାକୃତିକ ନାଳ ଓ ଡ୍ରେନ୍‌

ଜବରଦଖଲରେ ପ୍ରାକୃତିକ ନାଳ ଓ ଡ୍ରେନ୍‌

ୱାର୍ଡ ନଂ୨୯: ବର୍ଷା ଦିନେ ବୁଡ଼ିଯାଉଛି ବସ୍ତି

ୱାର୍ଡ ପରିସୀମା: ମହାରାଜା ସିନେମା ହଲ୍‌ ଓ ଡିସିପି ଅଫିସ୍‌ ପଛ ଘରୋଇ ପ୍ଲଟ୍‌, ରମାଦେବୀ ବିଶ୍ବବିଦ୍ୟାଳୟ, ଆନନ୍ଦ ବଜାର, ଇରିଗେସନ କଲୋନି, ଗ୍ରିଡ୍‌କୋ କଲୋନି, ଆଦିବାସୀ ହଷ୍ଟେଲ, ଇଡ୍‌କୋ, ୟୁନିଟ୍‌-୯ ଫ୍ଲାଟ୍‌, ରାଧାକୃଷ୍ଣ ମନ୍ଦିର ଅଞ୍ଚଳରେ ଘରୋଇ ପ୍ଲଟ୍‌ ଓ ସରକାରୀ କ୍ବାର୍ଟର୍ସ।

ଭୁବନେଶ୍ବର: ପ୍ରାକୃତିକ ନାଳକୁ ପୋତି ଘର କରାଯାଇଛି ଓ ଭଡ଼ାରେ ଲାଗିଛି। ୨୦ ଫୁଟ୍‌ ଓସାରର ପ୍ରାକୃତିକ ନାଳ ପୋତି ହୋଇ ହୋଇ ୬ଫୁଟ୍‌ରେ ପହଞ୍ଚିଲାଣି। ଏମିତିକି ଡ୍ରେନ୍‌ ମଧ୍ୟ ଜବରଦଖଲରୁ ମୁକ୍ତ ନୁହେଁ। ଡ୍ରେନ୍‌କୁ ପୋତି ଦୋକାନ ଘର କରାଯାଇଛି ଓ ଭଡ଼ାରେ ଲାଗିଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁନି ଓ ଅସରାଏ ବର୍ଷା ହେଲେ ବସ୍ତିରେ ଘରେ ପାଣି ପଶିଯାଉଛି। ବର୍ଷା ଦିନରେ ବସ୍ତି ବୁଡ଼ିଯିବା ଏକ ସାଧାରଣ ଘଟଣା ହୋଇଗଲାଣି। ଏହା ହେଉଛି ବିଏମ୍‌ସି ୱାର୍ଡ ନମ୍ବର ୨୯ର ଦୁର୍ଦ୍ଦଶାର ଚିତ୍ର। ଆଗାମୀ ପୌର ନିର୍ବାଚନରେ ଏହା ପ୍ରମୁଖ ପ୍ରସଙ୍ଗ ହେବ ଓ ବସ୍ତିବାସିନ୍ଦାମାନେ ଏହାକୁ ନେଇ ରାଜନେତାଙ୍କୁ ଘେରିବେ ବୋଲି ସୂଚନା ମିଳିଛି।

ଏହି ୱାର୍ଡରେ ମହାରାଜା ସିନେମା ହଲ୍‌ ପଛ ପଟେ ରହିଛି ବିଜୁ ଆଦର୍ଶ କଲୋନି। ଏଠାରେ ପାଖାପାଖି ୬ଶହ ଲୋକ ରହୁଛନ୍ତି। ଏମାନଙ୍କୁ ସ୍ଥାୟୀ ଭାବେ ଥଇଥାନ କରିବା ପାଇଁ ‌ହୋଇଥିବା ଯୋଜନା ଏଯାବତ୍‌ ହୋଇପାରିନାହିଁ। ଫଳରେ ଏହି ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସାଇନ୍ସ ପାର୍କ ଛକରୁ ଡିସିପି ଅଫିସ୍‌ ପର୍ଯ୍ୟନ୍ତ ରାସ୍ତା ଓ ରାସ୍ତା କଡ଼ରେ ଡ୍ରେନ୍‌ ନିର୍ମାଣ ପାଇଁ ୨୦୨୧ ମସିହାରେ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୧୦ ବର୍ଷ ମଧ୍ୟରେ ଏଠାରେ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି।

ମାତ୍ର ଏହି ରାସ୍ତା କଡ଼ରେ ଡ୍ରେନ୍‌ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏଣେ ଡ୍ରେନ୍‌ ଯେତିକି ଆଗକୁ ଆଗକୁ ଯାଉଛି, ପଛରୁ ସେତିକି ପୋତି ହୋଇ ହୋଇ ଚାଲିଛି। ଡ୍ରେନ୍‌ ଉପରେ ଦୋକାନ ଘର ନିର୍ମାଣ କରାଯାଇଛି। ଫଳରେ ବର୍ଷା ଜଳ ଉଛୁଳି ରାସ୍ତାରେ ଲହଡ଼ି ମାରୁଛି। ବଡ଼ କଥା ହେଉଛି ଏହି ଅଞ୍ଚଳର ଏକ ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲ ମଧ୍ୟ ଡ୍ରେନ୍‌ର କିଛି ଅଂଶ ଜବରଦଖଲ କରିଛି। ତେବେ ବିଭିନ୍ନ ସମୟରେ ବିଏମ୍‌ସି ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ଛୋଟ ଦୋକାନୀମାନଙ୍କୁ ଘଉଡ଼ାଇ ଦେଉଥିବାବେଳେ ବଡ଼ ବଡ଼ ଅନୁଷ୍ଠାନମାନଙ୍କ ଆଡ଼କୁ ନଜର ଦେବାକୁ ଜୁ’ ଜୁଟାଇ ପାରୁନି। ସେହିଭଳି ନିକୋ ପାର୍କରୁ ଆସିଥିବା ପ୍ରମୁଖ ନାଳକୁ ପୋତି ଘର ତିଆରି ହୋଇଛି।

ଏଠାରେ ପାଖାପାଖି ୪୦ଟି ଘର ଭଡ଼ାରେ ଲାଗିଛି। ଏହି ଜବରଦଖଲ ଉଚ୍ଛେଦ ପାଇଁ ତିନି ତିନି ଥର ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜନୈତିକ ଚାପ ଯୋଗୁଁ ଉଚ୍ଛେଦ ସମ୍ଭବ ହୋଇନାହିଁ ବୋଲି ଅଭିଯୋଗ ହେଉଛି। ଆନନ୍ଦବଜାର ଛକରୁ ରମାଦେବୀ ବିଶ୍ବବିଦ୍ୟାଳୟ ଆଡ଼କୁ ଲମ୍ବିଥିବା ନାଳରୁ ‌ଛୋଟ ଛୋଟ ଉଠା ଦୋକାନୀଙ୍କୁ ହଟାଇ ଦିଆଯାଇଥିଲେ ବି ଏବେ ଆଜ୍‌ବେଷ୍ଟସ ଘର ତିଆରି ହୋଇଛି। ଏଥିରେ ରେ’(ରାଜୀବ ଆବାସ ଯୋଜନା)ର ଘର ମଧ୍ୟ ରହିଛି। ନାଳ ଜବରଦଖଲକାରୀଙ୍କୁ କିଭଳି ରେ’ ରେ ସାମିଲ୍ କରାଗଲା ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଦିନ ମଜୁରିଆଙ୍କୁ ଏହି ଯୋଜନାରେ ସାମିଲ୍ କରାଗଲା ନାହିଁ, ଏହାକୁ ନେଇ ବିବାଦ ଲାଗି ରହିଛି।

ଭୋଟର୍: ୯୩୦୩: ପୁରୁଷ: ୫୦୫୧
ମହିଳା: ୪୨୪୮, ତୃତୀୟ ଲିଙ୍ଗ: ୪

ମୋଟ ଘର ସଂଖ୍ୟା: ୧୪୦୫

ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଦିନ୍‌ଙ୍କ କହିବା କଥା ପ୍ରାୟ ୨୦ ବର୍ଷ ତଳେ କଟକ ଡ୍ରେନେଜ୍‌ ଡିଭିଜନ ଏଠାରେ ଡ୍ରେନ୍‌ ନିର୍ମାଣ କରିଥିଲା। କିଛି ତ୍ରୁଟିପୂର୍ଣ ନିର୍ମାଣ କାରଣରୁ ଏବେ ଜଳ ନିଷ୍କାସନ ସମ୍ଭବ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ୬୬ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। କିନ୍ତୁ କାମ ଆରମ୍ଭ ହେବା ବେ‌ଳକୁ ଜମି ମାଲିକମାନେ ନିର୍ମାଣକୁ ବିରୋଧ କରି ହାଇକୋର୍ଟ ଗଲେ। ଡ୍ରେନ୍‌ର କିଛି ଅଂଶ ଘରୋଇ ଜମି ଉପରେ ନିର୍ମାଣ ହୋଇଥିବାରୁ ମାଲିକମାନେ କୋର୍ଟଙ୍କ ଦ୍ବାରସ୍ଥ ହେଲେ। ଫଳରେ କାମ ହୋଇପାରୁନାହିଁ ଓ ଅନୁଦାନ ଫେରିଯିବାକୁ ବସିଛି।

ମୁଜାହିଦ୍ଦିନ୍‌ଙ୍କ କହିବା କଥା ଏହି ଗୋଟିଏ ସମସ୍ୟାକୁ ଛାଡ଼ିଦେଲେ ଏହି ୱାର୍ଡରେ ଅନେକ ଉନ୍ନୟନମୂଳକ କାମ ହୋଇଛି। ୨୦ ବର୍ଷ ତଳର ପୁରୁଣା ପାଣି ପାଇପ ବଦଳାଯାଇଛି। ଓଭରହେଡ୍‌ ଟାଙ୍କି ନିର୍ମାଣ କରାଯାଇଛି ଓ ଏହି ଅଞ୍ଚଳର ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହୋଇଛି। ସେହିଭଳି ବହୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇଛି।

୨୦୧୪ ନିର୍ବାଚନ ବେଳେ ଏହି ଆସନଟି ଅଣସଂରକ୍ଷିତ ଥିଲା ଓ ଏବେ ବି ଅଣସଂରକ୍ଷିତ ରହିଛି। ପୂର୍ବତନ କର୍ପୋରେଟର ଶେଖ୍‌ ନିଜାମୁଦ୍ଦିନ୍‌ ଏଥର ମଧ୍ୟ ବିଜେଡିରୁ ଆଶାୟୀ ଅଛନ୍ତି। ବିଜେଡିରୁ ମଧ୍ୟ ଆଉ କିଛି ଆଶୟୀଙ୍କ ନାମ‌ ଚର୍ଚ୍ଚାରେ ରହିଛି। ବିଜେପି ମଧ୍ୟ ଏହି ୱାର୍ଡକୁ ଗୁରୁତ୍ବର ସହ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe