ୱାର୍ଡ ନଂ୪୮: ବାଟବଣା ହୋଇଛି ସ୍ବଚ୍ଛତା ଅଭିଯାନ

ୱାର୍ଡ ନଂ୪୮: ବାଟବଣା ହୋଇଛି ସ୍ବଚ୍ଛତା ଅଭିଯାନ

ୱାର୍ଡ ପରିସୀମା: କୃଷି ବିହାର, ଶିରିପୁର ମାର୍କେଟ ଅଞ୍ଚଳ, ୟୁନିଟ ୮ ସରକାରୀ ଉଚ୍ଚ ବିଦ୍ୟାଳୟ ଅଞ୍ଚଳ, ଏଗ୍ରିକଲଚର କଲୋନି, ପ୍ରିୟଦର୍ଶିନୀ ମାର୍କେଟ, ଷ୍ଟୁଆର୍ଟ ସ୍କୁଲ, ମୁଣ୍ଡାସାହି ବସ୍ତି, ପାଇକନଗର ବସ୍ତି, ପାଇକନଗର ଘରୋଇ ଅଞ୍ଚଳ ( ଭୋଟର୍: ୬୧୨୧- ପୁରୁଷ: ୩୩୧୪, ମହିଳା: ୨୮୦୬, ତୃତୀୟ ଲିଙ୍ଗ: ୧)

ଖଣ୍ଡଗିରି: ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ, କିନ୍ତୁ ଏଠି ସ୍ବଚ୍ଛତା ଅଭିଯାନ ବାଟବଣା। ଡାଇରିଆ ବ୍ୟାପୁଥିବା ୱାର୍ଡ ଭାବେ ଜଣାଶୁଣା। ଡ୍ରେନ୍‌ ସମସ୍ୟା ଥିବାରୁ ବସ୍ତିରେ ଘରେ ଘରେ ପାଣି ପଶୁଛି। ବହୁ ରାସ୍ତାରେ ଖାଲଖମା ରହିଛି। ଏଥିସହ ରାସ୍ତା ସାରା ଗଦା ହୋଇରହୁଛି ଅଳିଆ ଆବର୍ଜନା। ଏହା ହେଉଛି ବିଏମ୍‌ସି ୱାର୍ଡ ନମ୍ବର ୪୮ର ସମସ୍ୟା। ଏଭଳି ଆହୁରି କିଛି ସମସ୍ୟାକୁ ନେଇ ୱାର୍ଡବାସୀ ଏଥର ପୌର ନିର୍ବାଚନ ବେଳେ ପ୍ରସଙ୍ଗ କରିବେ ବୋଲି ସୂଚନା ମିଳିଲାଣି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ୱାର୍ଡର ଅଧାରୁ ଅଧିକ ଅଞ୍ଚଳରେ ପ୍ରମୁଖ ସମସ୍ୟା ହେଉଛି ଡ୍ରେନ୍‌ ଓ ରାସ୍ତା। ମୁଣ୍ଡାସାହି ବସ୍ତିରେ ଡ୍ରେନ୍ ଉଚ୍ଚ କରି ତିଆରି କରାଯାଇଥିବାରୁ ବର୍ଷା ଜଳ ଡ୍ରେନ୍‌କୁ ଯାଇପାରୁନାହିଁ। ଫଳରେ ସାମାନ୍ୟ ବର୍ଷାରେ ଘରେ ପାଣି ପଶୁଛି। ବର୍ଷା ଦିନ ବାଦ୍‌ ବି ଅନ୍ୟ ସମୟରେ ଏଠାରେ ଲୋକଙ୍କୁ ଅନୁରୂପ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ସମାନ ଅବସ୍ଥା କୃଷିବିହାର ଅଞ୍ଚଳରେ। ଏଠାରେ ବର୍ଷା ଦିନେ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ୁଛି।

ସେହିଭଳି ରାସ୍ତାଗୁଡ଼ିକରେ ଅଳିଆ ଆବର୍ଜନା ସଫା କରାଯାଉନାହିଁ। ଦୁଇବର୍ଷ ତଳେ ଅଞ୍ଚଳବାସୀ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ସେହିପରି ଏଠାରେ ୱାର୍ଡ ଅଫିସ ନଥିବାରୁ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବା ଲାଗି ୩ କିମି ଦୂର ଚାଲି ଚାଲି ଡିଏଭି ସ୍କୁଲ ଅଞ୍ଚଳର ଏକ କ୍ଲବ୍‌ ଘରକୁ ଯାଉଛନ୍ତି। ଖରା, ବର୍ଷା ସମୟରେ ବୁଢ଼ାବୁଢ଼ୀ ଲୋକମାନେ ବଡ଼ କଲବଲ ହେଉଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏଠାରେ କମ୍ୟୁନିଟି ହଲ୍‌ଟିଏ ନାହିଁ। ବସ୍ତିବାସିନ୍ଦାଙ୍କୁ ଜାଗା ମିସନରେ କାହାକୁ ଘର ବା ଜମି ମିଳିନାହିଁ। ତେଣୁ ବସ୍ତିବାସିନ୍ଦାଙ୍କ ଭିତରେ ତୀବ୍ର ଅସନ୍ତୋଷ ଲାଗି ରହିଛି।

ପୂର୍ବତନ କର୍ପୋରେଟର୍‌ ନିହାର ରଂଜନ ସାହୁ କହିଛନ୍ତି ଯେ ଏଠାରେ ଅଧିକାଂଶ ଅଞ୍ଚଳରେ ଆଲୋକୀକରଣ ହୋଇଛି। ଡ୍ରେନେଜ୍ କାମ ୮୦%ରୁ ଅଧିକ ସରିଛି। ସବୁ ଘରକୁ ପିଇବା ପାଣି ଯୋଗାଇ ଦିଆଯାଇଛି। ତେବେ କିଛି ଡ୍ରେନ୍ କାମ ବାକି ଥିବା ବେଳେ ଶିରିପୁର ହାଟ ରାସ୍ତା ମଧ୍ୟ ବାକି ରହିଛି ବୋଲି ସେ କହିଥିଲେ। ବସ୍ତିବାସିନ୍ଦାମାନଙ୍କୁ ରାସନ୍ କାର୍ଡ ଓ ସବୁ ପ୍ରକାର ସାମାଜିକ ସୁରକ୍ଷା ଜନିତ ଭତ୍ତା ଯୋଗାଇ ଦିଆଯାଇଛି ବୋଲି ସେ କହିଥିଲେ।

ସୂଚନା‌ଯୋଗ୍ୟ, ୨୦୦୮ ଓ ୨୦୧୪ ମସିହା ପୌର ନିର୍ବାଚନରେ ଏଠାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିହାର ବିଜୟୀ ହୋଇଥିଲେ। ଗତଥର ବି ବିଜେଡିରୁ ଟିକେଟ୍‌ ନପାଇ ନିହାର ପୁଣି ସ୍ବାଧୀନ ଭାବେ ଲଢ଼ିଥିଲେ ଓ ବିଜେଡି ପ୍ରାର୍ଥୀ ପ୍ରବୀଣ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ଏହି ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ହୋଇଛି। ତେଣୁ ଏଥର ନିହାର ତାଙ୍କ ପତ୍ନୀ ତନୁଜା ବିଶ୍ବାଳଙ୍କୁ ମଇଦାନକୁ ଆଣିବେ ବୋଲି ଚର୍ଚ୍ଚା ହେଉଛି। ଗତଥରର ବିଜେଡି ପ୍ରାର୍ଥୀ ପ୍ରବୀଣଙ୍କ କାର୍ଯ୍ୟପନ୍ଥା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ତାଙ୍କ ଭାଉଜଙ୍କୁ ନିର୍ବାଚନ ମଇଦାନକୁ ଆଣିବା କଥାକୁ ଅସ୍ବୀକାର କରାଯାଇନପାରେ। ଏହି ୱାର୍ଡରେ ବିଜେପିର ମଙ୍ଗ ଧରିଥିବା ଧୀରେନ ପାତ୍ର ତାଙ୍କ ମା’ ସୁଚିତ୍ରା ପାତ୍ରଙ୍କୁ ପ୍ରାର୍ଥୀ କରିବେ ବୋଲି ଆଭାସ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସରୁ ଅନ୍‌ୱର ଖାଁ ନିଜ ପରିବାରର କାହାକୁ ପ୍ରାର୍ଥୀ କରିବେ କି ଦଳ ଆଉ କାହାକୁ ଟିକେଟ୍‌ ଦେବ? ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe