ୱାର୍ଡ ନଂ୫୯: ଦଳ ଅପେକ୍ଷା ପ୍ରାର୍ଥୀଙ୍କ ଦବ୍‌ଦବା ବେଶି

ୱାର୍ଡ ନଂ୫୯: ଦଳ ଅପେକ୍ଷା ପ୍ରାର୍ଥୀଙ୍କ ଦବ୍‌ଦବା ବେଶି

ୱାର୍ଡ ପରିସୀମା: ଶ୍ରୀରାମ ନଗର, ସାମନ୍ତରାପୁର, ଗ୍ୟାରେଜ୍ ଛକ, ଗୌରୀ ନଗର, ଅନନ୍ତ ବାସୁଦେବ ମନ୍ଦିର ଅଞ୍ଚଳ, କେଦାରଗୌରୀ ମନ୍ଦିର ଅଞ୍ଚଳ, ନୂଆଗାଁ

( ଭୋଟର୍: ୧୨୧୨୫, ପୁରୁଷ: ୬୩୧୬, ମହିଳା: ୫୮୦୮, ତୃତୀୟ ଲିଙ୍ଗ: ୧)

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ନିକଟରେ ରହିଛି ୱାର୍ଡ ନଂ ୫୯। ଏହି ଅଞ୍ଚଳରେ ସମସ୍ୟା ହେଉଛି ରାସ୍ତା, ଷ୍ଟ୍ରିଟ୍‌ଲାଇଟ୍, ଡ୍ରେନେଜ୍, ପରିମଳ ଓ ଦୟାୱେଷ୍ଟ କେନାଲ। ଲିଙ୍ଗରାଜ ମନ୍ଦିରରୁ ସାମନ୍ତରାପୁର ରାସ୍ତା, ସାମନ୍ତରାପୁରରୁ କପିଳେଶ୍ବର ରାସ୍ତା ସହ ଅନେକ ରାସ୍ତା ଖାଲଖମାଭର୍ତ୍ତି। ସ୍ବରେଜ୍‌ ଲାଇନ୍‌ କାମ ଓ ବିନ୍ଦୁସାଗରକୁ ପାଇପ୍‌ ଲାଇନ୍‌ ବିଛା ପରେ ରାସ୍ତା ଅବସ୍ଥା ସୁଧୁରି ପାରୁନାହିଁ।

ସେହିପରି ମୁଖ୍ୟ ରାସ୍ତାରୁ କପିଳେଶ୍ବର ମନ୍ଦିରକୁ ରାସ୍ତା ଏ ପର୍ଯ୍ୟନ୍ତ ହୋଇପାରିଲାନି। ବର୍ଷା ହେଲେ ଶ୍ରୀରାମ ନଗର ଛକରେ ଆଣ୍ଠୁଏ ଉଚ୍ଚର ଡ୍ରେନ୍ ପାଣି ଜମେ ଓ କେନାଲ ନିକଟ ସାହିରେ ବହୁ ଲୋକଙ୍କ ଘରେ ପାଣି ପ‌ଶେ। ତେବେ ସବୁଠୁ ବଡ଼ ସମସ୍ୟା ହେଉଛି ଖରା ଦିନରେ ଉତ୍କଟ ଜଳାଭାବ। ଦୟାୱେଷ୍ଟ କେନାଲ ପୁନରୁଦ୍ଧାର ହୋଇ ନଥିବାରୁ ଦୟା କେନାଲର ମଇଳା ପାଣି କୂଅ ପୋଖରୀକୁ ପ୍ରଭାବିତ କରିଥାଏ। ସେଥିରୁ ଦୁର୍ଗନ୍ଧ ପାଣି ବା‌ହାରିବା ଯୋଗୁଁ ଲୋକ ବ୍ୟବହାର କରିପାରନ୍ତି ନାହିଁ। ଫଳରେ ପାଣି ଟ୍ୟାଙ୍କର୍‌ର ଆବଶ୍ୟକତା ପଡ଼ିଥାଏ।

ବିରଞ୍ଚି ନାରାୟଣ ମହାସୂପକାର ଏହି ୱାର୍ଡରୁ ପୂର୍ବରୁ ତିନିଥର କର୍ପୋରେଟର୍‌ ହୋଇଛନ୍ତି। ୨୦୦୩ ମସିହାରେ ସେ ପ୍ରଥମେ ବିଜେପି ଟିକେଟ୍‌ରେ ଲଢ଼ି ବିଜୟୀ ‌ହୋଇଥିଲେ। ପରେ ବିଜେଡିରେ ଯୋଗଦେଇ ୨୦୦୮ ମସିହାରେ ପୁନର୍ବାର କର୍ପୋରେଟର୍‌ ହୋଇଥିଲେ। ୨୦୧୪ ମସିହାରେ ବିଜେଡିରୁ ଟିକେଟ୍‌ ନ ମିଳିବାରୁ ସ୍ବାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିରଞ୍ଚି ପୁଣି ବିଜେଡିରେ ଯୋଗ ଦେଇଥିଲେ। ଏଥର ଦଳ ବିରଞ୍ଚିଙ୍କୁ ଭରସା କରିଛି ଓ ଟିକେଟ୍‌ ଦେଇଛି। ଆଜି ସେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିଛନ୍ତି।

ତାଙ୍କ ବିରୋଧରେ ବିଜେପିରୁ କୃଷ୍ଣଚନ୍ଦ୍ର ବଟୁ ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଛି। ଆଜି ଶ୍ରୀ ବଟୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଭୀଷ୍ମ ନାରାୟଣ ନାୟକ ମଇଦାନକୁ ଓହ୍ଲାଇବେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ମୌଳିକ ନେଇ ବାରମ୍ବାର ସ୍ବର ଉତ୍ତୋଳନ କରୁଥିବା ଭୀଷ୍ମ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ସେ କିପରି ମୁକାବିଲା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଠାରୁ କଂଗ୍ରେସରୁ ଦେବୀ ପ୍ରସାଦ ସ୍ବାଇଁ ଲଢ଼ିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe