ୱାର୍ଡ ପରିସୀମା
ମୁଣ୍ଡାସାହି, ଷ୍ଟାର ସିଟି ଅଞ୍ଚଳ, ଶିଖରଚଣ୍ଡି ବସ୍ତି, ପ୍ରଶାନ୍ତି ବିହାର ଏଚବିର କିଛି ଅଞ୍ଚଳ, କଳାରାହାଙ୍ଗ, ନନ୍ଦନ ବିହାର, ଲକ୍ଷ୍ମୀବିହାର, ମନିତ୍ରି ଭୂବନ, ପଦ୍ମ କେଶରୀପୁରର କିଛି ଅଞ୍ଚଳଭୋଟର୍: ୬୮୮୭
ପୁରୁଷ: ୩୫୭୬
ମହିଳା: ୩୩୦୮
ତୃତୀୟ ଲିଙ୍ଗ: ୩
ଚନ୍ଦ୍ରଶେଖରପୁର : ୱାର୍ଡ ସାରା ମାଳମାଳ ସମସ୍ୟା। ବହୁ ରାସ୍ତାରେ ଖାଲଖମା ଭର୍ତ୍ତି। ଅନେକ ଏବେ ବି ନାଲି ମାଟି କଚ୍ଚା ରାସ୍ତା। ସବୁ ଅଞ୍ଚଳ ଆଲୋକୀକରଣ ହୋଇନି। ଚିଲ୍ଡ୍ରେନ୍ ପାର୍କ, କମ୍ୟୁନିଟି ସେଣ୍ଟର, ଓପନ୍ ଜିମ୍ ଭଳି ସହରୀ ସୁବିଧା ଏଠିକା ଲୋକଙ୍କ ପାଇଁ ସାତ ସପନ। ଡ୍ରେନେଜ୍ ସମସ୍ୟା ବି ରହିଛି। ଯୁଆଡ଼େ ଚାହିଁଲେ ଗଦା ହୋଇ ରହିଛି ଅଳିଆ ଆବର୍ଜନା। ଏହା ହେଉଛି ବିଏମ୍ସି ୨ ନମ୍ବର ୱାର୍ଡର ଚିତ୍ର। କଳାରାହାଙ୍ଗ ଗାଁ ବିଏମ୍ସିରେ ସାମିଲ ହେବା ପରେ ଏବେ ଏହି ୱାର୍ଡରେ ଯୋଡ଼ି ହୋଇଯାଇଛି ଆହୁରି ଅନେକ ସମସ୍ୟା। ମୋଟାମୋଟି ଏହି ୱାର୍ଡର ଅଧାରୁ ଅଧିକ ଅଞ୍ଚଳରେ ଗାଁ ପରିବେଶ ରହିଛି। ଏସବୁ ସମସ୍ୟା ଏଥର ଆଗାମୀ ପୌର ନିର୍ବାଚନରେ ପ୍ରସଙ୍ଗ ହେବ ଓ ସ୍ଥାନୀୟ ବାସିନ୍ଦାମାନେ କର୍ପୋରେଟର ଆଶାୟୀଙ୍କୁ ଘେରିବେ ବୋଲି ସୂଚନା ମିଳିଛି। ତେଣୁ ଆଶାୟୀମାନେ ଏଠିକାର ଗାଁ ପରିବେଶକୁ ସହର ଭଳି ଗଢ଼ିବାକୁ ଥିବା ଆହ୍ବାନକୁ କିଭଳି ମୁକାବିଲା କରିବେ, ତାହା ଚର୍ଚ୍ଚାର ବିଷୟ ହୋଇଛି।
୨୦୧୪ ରେ ୫୪୦୦ ଭୋଟରଙ୍କୁ ନେଇ ଏହି ୱାର୍ଡ ଗଠିତ ହୋଇଥିଲା। ଅନୁସୂଚିତ ଜନଜାତିଙ୍କ ଲାଗି ଏହି ଆସନ ସଂରକ୍ଷଣ ହୋଇଥିଲା। ବିଜେଡି ପ୍ରାର୍ଥୀ ହରିଶ ମୁର୍ମୁ ବିଜୟୀ ହୋଇଥିଲେ। ସେଥର ସ୍ବାଧୀନ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ଥିଲେ। ଏଥର ଭୋଟରଙ୍କ ସଂଖ୍ୟା ବଢ଼ି ୬୮୮୭ ହୋଇଛି। ଆସନଟି ଅନୁସୂଚିତ ଜାତି ମହିଳାଙ୍କ ଲାଗି ସଂରକ୍ଷିତ ହୋଇଛି। ତେଣୁ ପୂର୍ବତନ କର୍ପୋରେଟର ହରୀଶ ମୁର୍ମୁ ଏଠାରୁ ଦ୍ବିତୀୟ ଥର ପ୍ରାର୍ଥୀ ହେବାର ସମ୍ଭାବନା ନାହିଁ। ଏମିତିକି ତାଙ୍କ ସମ୍ପର୍କୀୟ ବି ପ୍ରାର୍ଥୀ ହୋଇପାରିବେନାହିଁ। ତେଣୁ ଏଠାରୁ ଏଥର ନୂଆ ମୁହଁ ଦେଖିବାକୁ ମିଳିବ। ଏଥର କଳାରାହାଙ୍ଗ ପଞ୍ଚାୟତର କିଛି ଅଂଶ ଏହି ୱାର୍ଡରେ ମିଶିଥିବାରୁ କିଏ ପ୍ରାର୍ଥୀ ହେବ, ତାହା ଏବେ ସବୁ ରାଜନୈତିକ ଦଳ ପାଇଁ ଆହ୍ବାନ ସୃଷ୍ଟି କରିଛି। ବିଜେଡି ଓ ବିଜେପିରୁ କିଏ ପ୍ରାର୍ଥୀ ହେବେ, ସ୍ପଷ୍ଟ ହୋଇପାରିନାହିଁ। ସେହିଭଳି ଏହି ୱାର୍ଡର କେଉଁ ଅଞ୍ଚଳକୁ ପ୍ରାଧାନ୍ୟ ଦେଇ ପ୍ରାର୍ଥୀ ଚୟନ ହେବ, ତାହା ବି ଉତ୍କଣ୍ଠାର ବିଷୟ ହୋଇପଡ଼ିଛି।
ପୂର୍ବତନ କର୍ପୋରେଟର ଶ୍ରୀ ମୁର୍ମୁ କହିଛନ୍ତି ଯେ ଶିଖରଚଣ୍ଡିନଗର, ଷ୍ଟାର୍ ସିଟି, ମାରୁତି ଭିଲ୍ଲା, ଆଦର୍ଶ ବିହାର, ସମ୍ପର୍କ ବିହାର, ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇଛି। ଅଧିକାଂଶ ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା ହୋଇଛି। ଶିଖରଚଣ୍ଡି ନଗରରେ ଡ୍ରେନେଜ୍ କାମ ୮୦% ସରିଛି। ଏଠାରେ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଜଳିସାହି-ଖ’ରେ ଶ୍ମଶାନ ତିଆରି ହୋଇଛି। ସବୁ ଘରକୁ ପିଇବା ପାଣି ଯୋଗାଇ ଦିଆଯାଇଛି। ବାର୍ଦ୍ଧକ୍ୟ ଭତ୍ତା, ରାସନ୍ କାର୍ଡ ଯୋଗାଇ ଦିଆଯାଇଛି। ଜାଗା ମିସନରେ ଜଳିମୁଣ୍ଡା ସାହିରେ ଡ୍ରେନ୍ ଓ ରାସ୍ତା କାମ ସରିଛି। ଗତ ୮ ବର୍ଷରେ ଅନେକ ବିକାଶମୂଳକ କାମ ହୋଇଛି। ତେବେ ଲୋକଙ୍କ ଦାବି ଅନୁସାରେ କିଛି ସମସ୍ୟା ଲାଗି ପାର୍କ ନିର୍ମାଣ ହୋଇପାରିନାହିଁ ଓ କିଛି ଡ୍ରେନ୍ କାମ ବାକି ରହିଛି ବୋଲି ସେ କହିଥିଲେ। ସେହିଭଳି ଏଠାରେ ଶୌଚାଳୟ ସମସ୍ୟା ରହିଛି ଓ କଳିମୁଣ୍ଡ ସାହି ନିକଟରେ ଶ୍ମଶାନ ନିର୍ମାଣକୁ ଲୋକେ ବିରୋଧ କରିବାରୁ ତାହା ଅଟକି ଯାଇଛି ବୋଲି ସେ କହିଥିଲେ।
Follow Us