ପୂଜାମଣ୍ଡପରୁ ବୁହାହେଲା ବର୍ଜ୍ୟ

ଗଣେଶ ପୂଜା ଅବସରରେ ସହରର ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି। ବିଭିନ୍ନ ଗଣେଶ ପୂଜା ମଣ୍ଡପରୁ ପୂଜା ବର୍ଜ୍ୟ ସଂଗ୍ରହ କରିବାକୁ ବିଏମ୍‌ସିର ତିନି...

Untitled-3

ଭୁବନେଶ୍ୱର: ଗଣେଶ ପୂଜା ଅବସରରେ ସହରର ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି। ବିଭିନ୍ନ ଗଣେଶ ପୂଜା ମଣ୍ଡପରୁ ପୂଜା ବର୍ଜ୍ୟ ସଂଗ୍ରହ କରିବାକୁ ବିଏମ୍‌ସିର ତିନି ପ୍ରଶାସନିକ ଜୋନ୍, ଉତ୍ତର, ଦକ୍ଷିଣ-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଉତ୍ସର୍ଗୀକୃତ ଯାନ ଚଳାଚଳ ଆରମ୍ଭ କରିଛି। ତିନିଟି ସ୍ବତନ୍ତ୍ର ଗାଡ଼ି (ଉତ୍ସର୍ଗୀକୃତ) ପୂଜା ବର୍ଜ୍ୟ ଉଠାଇବାରେ ନିୟୋଜିତ ହୋଇଛି।

ବିଏମ୍‌ସି ସୂଚନାନୁଯାୟୀ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୧୭୯ଟି, ଦକ୍ଷିଣ-ପୂର୍ବ ଜୋନ୍‌ରେ ୧୨୨ଟି ଓ ଉତ୍ତର ଜୋନ୍‌ରେ ୭୦ଟି ମଣ୍ଡପ ରହିଛି। ଗଣେଶ ପୂଜା ପୂର୍ବରୁ ପୂଜା କମିଟି ସଦସ୍ୟଙ୍କ ସହ ଜୋନାଲ୍ କମିସନର୍‌ମାନେ ବୈଠକ କରିଥିଲେ। ପ୍ରତି ଜୋନ୍‌ରେ ଗୋଟିଏ ଉତ୍ସର୍ଗୀକୃତ ଗାଡ଼ି ମଣ୍ଡପରୁ ଫୁଲ ଓ ପୂଜା ବର୍ଜ୍ୟ ସଂଗ୍ରହ ପାଇଁ ଦିନକୁ ଦୁଇଥର ମଣ୍ଡପକୁ ଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରୁ ଫୁଲ ଓ ପୂଜା ବର୍ଜ୍ୟ ସଂଗ୍ରହ କରାଯାଉଛି। ସ୍ଥାନୀୟ ପରିମଳ ନିରୀକ୍ଷକମାନେ ପୂଜାମଣ୍ଡପ ସହ ଯୋଗାଯୋଗରେ ରହି ଫୁଲ ଓ ପୂଜା ବର୍ଜ୍ୟ ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ କରୁଛନ୍ତି।

ପ୍ରତିଦିନ ଫୁଲ ଓ ପୂଜା ବର୍ଜ୍ୟ ସଂଗ୍ରହ ପରେ ଏହାକୁ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି)କୁ ପଠାଯାଉଛି। ସେଠାରେ ଏହି ଫୁଲ ଓ ପୂଜା ବର୍ଜ୍ୟକୁ ଶୁଖାଯିବ। ଏଥିରୁ ଧୂପକାଠି ପ୍ରସ୍ତୁତ କରାଯିବ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। କମିସନର୍ ଚଞ୍ଚଳ ରାଣା କହିଛନ୍ତି, ଏହି ପଦକ୍ଷେପର ଆସ୍ଥା, ସୌନ୍ଦର୍ଯ୍ୟ ଏବଂ ପରିବେଶ ଭଳି ତିନିଟି ପ୍ରଭାବ ରହିଛି। ପୂର୍ବରୁ ଫୁଲ ଓ ପୂଜା ବର୍ଜ୍ୟକୁ ସାଧାରଣତଃ ଜଳାଶୟରେ ବୁଡ଼ାଇ ଦିଆଯାଉଥିଲା ଅବା ଆବର୍ଜନା ସ୍ଥଳରେ ଫିଙ୍ଗି ଦିଆଯାଉଥିଲା। ଏଭଳି ପ୍ରଥା ପରିବେଶକୁ ପ୍ରଦୂଷିତ କରୁଥିଲା ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିଲା। ସହରର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଥିଲା। କିନ୍ତୁ ବିଏମ୍‌ସିର ଏହି ଅଭିନବ ପଦକ୍ଷେପ ସହରର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ସହ ପରିବେଶକୁ ସଫାସୁତରା ରଖିବ। ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ସମସ୍ତଙ୍କ ଭାବାବେଗକୁ ମଧ୍ୟ ସମ୍ମାନ ଜଣାଇବ ବୋଲି ଶ୍ରୀ ରାଣା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe