ନଭେମ୍ବରରୁ ଜଳଯୋଗାଣ କରିବ ଓ୍ଵାଟ୍‌କୋ

Advertisment
ନଭେମ୍ବରରୁ ଜଳଯୋଗାଣ କରିବ ଓ୍ଵାଟ୍‌କୋ

ଭୁବନେଶ୍ୱର: ରାଜଧାନୀ ସମେତ ଜଟଣୀ, ଖୋର୍ଦ୍ଧାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଜନସ୍ୱାସ୍ଥ୍ୟ ବିଭାଗ ହାତରୁ କଢ଼ାଯିବ। ପାନୀୟ ଜଳ ଯୋଗାଣ ଓ ବଣ୍ଟନ ବ୍ୟବସ୍ଥା ଓ୍ଵାଟ୍‌କୋ (ଜଳ ନିଗମ) କରିବ। ଦୀର୍ଘ ତିନି ବର୍ଷ ହେଲା ଏନେଇ କସରତ ଚାଲିଥିବାବେଳେ ଏବେ ଏହାକୁ ଚୂଡ଼ାନ୍ତ ରୂପ ଦେବାକୁ ଯୋଜନା ହୋଇଛି। ଓ୍ଵାଟ୍‌କୋକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଆଜି ୬୯ଟି ପଦବି ମଞ୍ଜୁର କରିଛନ୍ତି। ଖୁବ୍‌ ଶୀଘ୍ର କର୍ମଚାରୀ ଏବଂ ଡକୁମେଣ୍ଟ ଅଦଳବଦଳ ପ୍ରକ୍ରିୟା ଶେଷ ହେବ। କିନ୍ତୁ ଓ୍ଵାଟ୍‌କୋ ଦଶହରା ପରେ ଅର୍ଥାତ୍‌ ନଭେମ୍ବର ମାସରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନର ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଓ୍ଵାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଅଧୀକ୍ଷଣ ଯନ୍ତ୍ରୀ ଲେଭେଲ୍‌-୨ର ଜଣେ ଅଧିକାରୀଙ୍କୁ ଓ୍ଵାଟ୍‌କୋର ନିର୍ଦ୍ଦେଶକ (ଅପରେସନ୍‌), ଏବଂ ଆଉ ଜଣଙ୍କୁ ନିର୍ଦ୍ଦେଶକ (ପ୍ରକଳ୍ପ) ଭାବେ ନିଯୁକ୍ତି ଦିଆଯାଇଛି।

ଏବେ ମିଳିବ ୬୦କୋଟି ସବ୍‌ସିଡି
ଓ୍ଵାଟ୍‌କୋ ହେଲେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩ବର୍ଷ ପାଇଁ ସହାୟତା ଯୋଗାଇବେ। ପ୍ରଥମ ବର୍ଷ ପ୍ରାୟ ୬୦କୋଟି ସବ୍‌ସିଡି ଦେବେ। ପ୍ରଥମ ବର୍ଷ ସରକାର ଓ୍ଵାଟ୍‌କୋକୁ ସମସ୍ତ ଖର୍ଚ୍ଚ ସବ୍‌ସିଡ୍‌ ଆକରରେ ଦେବେ, ଏହାପରେ ଅଧା ଦେବେ, ତୃତୀୟ ବର୍ଷ ୨୫ପ୍ରତିଶତ ସବ୍‌ସିଡ୍‌ ଦେବେ। ଚତୁର୍ଥ ବର୍ଷରୁ ଓ୍ଵାଟକୋ ତା’ର ଆୟ ବ୍ୟୟ ହିସାବ କରିବ। ଆକଳନ ଅନୁଯାୟୀ ଏବେ ଜଳକର ବାବଦକୁ ଯିଏ ଯେତିକି କର ଦେଉଛନ୍ତି ଆଗକୁ ଏହାର ପ୍ରାୟ ୪ଗୁଣା ଦେବେ। କମର୍ସିଆଲ୍‌ ସଂଯୋଗ ହୋଇଥିଲେ ୟୁନିଟ ପିଛା(ହଜାରେ ଲିଟରରେ ଏକ ୟୁନିଟ) ୧୧ଟଙ୍କା ୨୬ପଇସା, ଘରୋଇ ସଂଯୋଗ ହୋଇଥିଲେ ୟୁନିଟ ପିଛା ୩ଟଙ୍କା ୯୫ପଇସା ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ: ସର୍ବୋଚ୍ଚ ଯନ୍ତ୍ରୀ
ଏନେଇ ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏସ୍‌.ଲକ୍ଷ୍ମୀପତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆଜି ରାଜ୍ୟ ସରକାର ଓ୍ଵାଟ୍‌କୋ ପାଇଁ ଥିବା ପଦବି ମଞ୍ଜୁର କରିଛନ୍ତି। ଓ୍ଵାଟକୋକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏବେ ଯେଉଁ ଡିଭିଜନ୍‌ରେ ଯାହା ବିଲ୍‌ ଦେବାକୁ ଅଛି ତାହାକୁ ପଇଠ କରିବାକୁ ଯୋଜନା କରୁଛୁ। ଏହାପରେ ଯଦି କିଛି ବାକି ରହେ ତେବେ ତାହା ଜନସ୍ୱାସ୍ଥ୍ୟ ବିଭାଗ, ଭୁବନେଶ୍ୱରକୁ ସ୍ଥାନାନ୍ତର ହେବ।

ଓ୍ଵାଟ୍‌କୋ କେମିତି କାମ କରିବ
ଓ୍ଵାଟ୍‌କୋ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନସ୍ୱାସ୍ଥ୍ୟ ବିଭାଗର ଭୁବନେଶ୍ୱର ଡିଭିଜନ୍‌-୧, ଡିଭିଜନ୍‌-୨ ଓ ଡିଭିଜନ୍‌-୩ ଜଳ ଯୋଗାଣ କରୁଥିବା ଅଞ୍ଚଳରେ ଜଳ ଯୋଗାଣ କରିବ। ତେଣୁ ଜନସ୍ୱାସ୍ଥ୍ୟ ବିଭାଗର ଢାଞ୍ଚାକୁ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀରେ ସଂପୂର୍ଣ୍ଣ ବଦଳାଯିବ। ରାଜଧାନୀରେ ଜଳ ଯୋଗାଣ ଏବଂ ଆବଣ୍ଟନ ପାଇଁ ଦୁଇଟି ଡିଭିଜନ୍‌ ରହିବ। ଏବେ ଜନସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ଡିଭିଜନ୍‌-୨କୁ ଓ୍ଵାଟକୋ ଡିଭିଜନ୍‌-୧ରେ ପରିଣତ କରାଯାଇଛି। ଜନସ୍ୱାସ୍ଥ୍ୟ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ଓ୍ଵାଟକୋର ଡିଭିଜନ୍‌-୨ର ମହାପ୍ରବନ୍ଧକ ଏବଂ ଜନସ୍ୱାସ୍ଥ୍ୟ ବିଭାଗ-୨ର ନିର୍ବାହୀ ଯନ୍ତ୍ରୀ ଓ୍ଵାଟକୋ ଡିଭିଜନ୍‌-୧ର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରିବେ। ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପଦବି ନୂଆ କରି ସୃଷ୍ଟି କରି ତାଙ୍କୁ ଓ୍ଵାଟ୍‌କୋର ପ୍ରୋଜେକ୍ଟ ଡିଭିଜନ୍‌ର ମହାପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି।

ଓ୍ଵାଟ୍‌କୋ କାର୍ଯ୍ୟକ୍ଷମ ହେଲେ ଏଥିରେ କିଏ ସ୍ଥାୟୀ ଭାବେ କାର୍ଯ୍ୟ କରିବେ, କେଉଁ ଅଧିକାରୀମାନେ କେଉଁ ଭଳି ପଦବିରେ ରହିବେ, କାହାକୁ କେତେ ଅର୍ଥ ମଞ୍ଜୁର କରିବା କ୍ଷମତା ମିଳିବ, କିପରି ଲୋକଙ୍କ ଅଭିଯୋଗ ଗ୍ରହଣ କରାଯିବ ଓ ସମାଧାନ କରାଯିବ ସେନେଇ ବି ନିଷ୍ପତ୍ତି ହୋଇଛି। ଓ୍ଵାଟ୍‌କୋ ପାନୀୟ ଜଳ ଉତ୍ପାଦନ, ଯୋଗାଣ ଏବଂ ଆବଣ୍ଟନ କରିବ। କେଉଁ ନୂଆ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହେବ, କ’ଣ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ, ପାଣି ବିଲ୍‌, ସ୍ୱେରେଜ୍‌ ବିଲ୍‌ ସଂଗ୍ରହ କରିବ। ଜନସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ସରକାରୀ କ୍ୱାର୍ଟର୍ସ, ସଚିବାଳୟ, ରାଜଭବନ ଏବଂ ସରକାରୀ କୋଠାର ରକ୍ଷଣାବେକ୍ଷଣ କରିବ। ଏହାସହ ପାଣି ମିଟର ଲଗାଇବ ଏବଂ ପାଣି କିପରି କମ୍‌ ନଷ୍ଟ ହେବ ସେନେଇ ଯୋଜନା ପ୍ରସ୍ତୁତ କରିବ। ସ୍ୱେରେଜ୍‌ ବୋର୍ଡ ସମସ୍ତ ସ୍ୱେରେଜ୍‌ ବ୍ୟବସ୍ଥା (ଓ୍ଵାଟ୍‌କୋ ଅଞ୍ଚଳକୁ ବାଦ୍‌ ଦେଇ) କରିବ।

କାହା ଅଧୀନରେ କ’ଣ ରହିବ
ଓ୍ଵାଟକୋ ଡିଭିଜନ୍‌-୧ ଅଧୀନରେ ମୁଣ୍ଡୁଳି, ଘାଟିକିଆ, ପଳାସୁଣୀ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ପାନୀୟ ଜଳ ଯୋଗାଣ କେନ୍ଦ୍ର ରହିବ। ଓ୍ଵାଟକୋ ଡିଭିଜନ୍‌-୨ ଅଧୀନରେ ପୁରୁଣା ଭୁବନେଶ୍ୱର, ହାଇଲେଭେଲ୍‌ ଟ୍ୟାଙ୍କ, ପୋଖରୀପୁଟ, ସତ୍ୟନଗର, ଖୋର୍ଦ୍ଧା, ଜଟଣୀ ରହିବ। ଏହିପରି ୧୬ଜଣ ସହାୟକ ନିର୍ବାହୀ ଯନ୍ତ୍ରୀ, ଉପନିର୍ବାହୀ ଯନ୍ତ୍ରୀଙ୍କୁ ଓ୍ଵାଟ୍‌କୋର ମ୍ୟାନେଜର୍‌ ପଦବି ମିଳିଛି। ୪୪ଜଣ ସହକାରୀ ଯନ୍ତ୍ରୀଙ୍କୁ ଓ୍ଵାଟକୋର ଆସିଷ୍ଟାଣ୍ଟ ମ୍ୟାନେଜର୍‌ କରାଯାଇଛି। ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍‌୧ର ଡିଭିଜିନାଲ ଆକାଉଣ୍ଟ୍‌ସ ଅଫିସର(ଡିଏଓ)ଙ୍କୁ ଓ୍ଵାଟକୋ ଡିଭିଜନ-୨ର ଡିଏଓ, ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍‌-୨ର ଡିଏଓଙ୍କୁ ଓ୍ଵାଟକୋ ଡିଭିଜନ୍‌-୧ର ଡିଏଓ, ଓ୍ଵାଟକୋ ପ୍ରକଳ୍ପ ଡିଭିଜନ ପାଇଁ ଆଉ ଜଣେ ଡିଏଓଙ୍କୁ ନିଯୁକ୍ତି ଦିଆଯିବ। ଓ୍ଵାଟକୋ ଅଞ୍ଚଳରେ ପାଣି ଯୋଗାଣ ପାଇଁ ୪୧ଟି ସେକ୍ସନ କରାଯାଇଛି। ଏଠାରେ ସହାୟକ ଯନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ପୁନଃ ଅଞ୍ଚଳ ବଣ୍ଟା ଯାଇଛି। ସେହିପରି ଜନସ୍ୱାସ୍ଥ୍ୟ ବିଭାଗ ଅଧୀନରେ ବର୍ତ୍ତମାନର ଡିଭିଜନ୍‌ ୩ ରହିବ। ଏହା କେବଳ ଜନସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ଡିଭିଜନ୍‌ ଭାବେ ନାମିତ ହୋଇଛି। ଏହା ଅଧୀନରେ ଥିବା ସମସ୍ତ ଅଫିସ୍‌ ଓ୍ଵାଟ୍‌କୋକୁ ଚାଲିଯିବ। କେବଳ ଡିଭିଜନ୍‌ ଅଫିସ ରହିବ। ଏହା ଅଧୀନରେ ଏବେ ଡିଭିଜନ୍‌-୧ ଅଧୀନରେ ଥିବା ୟୁନିଟ-୩, ୟୁନିଟ-୪ ସବ୍‌ଡିଭିଜନ ଏବଂ ଡିଭିଜନ୍‌-୨ ଅଧୀନରେ ଥିବା ୟୁନିଟ-୯ ସବ୍‌ଡିଭିଜନ୍‌ ନୂଆକରି ହେବାକୁ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର ଡିଭିଜନ ଅଧୀନକୁ ଆସିଛି। ଏହାର ଏସ୍‌ଡିଓମାନେ ବର୍ତ୍ତମାନ ଥିବା ପଦବିରେ କାର୍ଯ୍ୟ କରିବେ। ସେମାନଙ୍କ ଅଧୀନରେ ଥିବା ସହକାରୀ ଯନ୍ତ୍ରୀମାନେ ବି ସେମାନଙ୍କ ମୂଳ ପଦବିରେ ରହିବେ। ଏଥିପାଇଁ ୧୨ଜଣ ସହାୟକ ଯନ୍ତ୍ରୀ ୧୨ଟି ସେକ୍ସନରେ ରହିବେ। ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍‌-୩ର ଡିଏଓ ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍‌କୁ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe