ପାଣି ଓ ବିଦ୍ୟୁତ୍‌ ସଂଯୋଗ ଭଡ଼ାଟିଆଙ୍କ ନାମରେ ଦିଆଯିବ

ବସ୍ତିରେ ଜମି ମାଫିଆଙ୍କ ମୁଣ୍ଡରେ ଚଡ଼କ

ପାଣି ଓ ବିଦ୍ୟୁତ୍‌ ସଂଯୋଗ ଭଡ଼ାଟିଆଙ୍କ ନାମରେ ଦିଆଯିବ

ଭୁବନେଶ୍ୱର: ବସ୍ତିରେ ଯଦି କେହି ଭଡ଼ାରେ ଥିବେ, ତେବେ ସେମାନଙ୍କ ନାମରେ ପାଣି ଓ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ଘରର ମାଲିକ କହୁଥିବା ବ୍ୟକ୍ତି ଯଦି ଏଥିରେ ବାଧକ ସାଜିବେ, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିଭଳି ପଦକ୍ଷେପ ବିଏମ୍‌ସି ନେଇଛି। ଏନେଇ ଗତ କାଉନସିଲ୍‌ ବୈଠକରେ ପ୍ରସ୍ତାବ ପାରିତ ହୋଇଥିବା ବେଳେ ଏହାକୁ ଖୁବ୍‌ଶୀଘ୍ର ଲାଗୁ କରିବାକୁ ବିଏମ୍‌ସି ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ସେସୁକୁ ଜଣାଇ ଦିଆଯାଇଛି। ବିଏମ୍‌ସିର ଏହି ନିଷ୍ପତ୍ତି ବସ୍ତିର ଜବରଦଖଲକାରୀଙ୍କ ନିଦ ହଜାଇ ଦେଇଛି। ଦୀର୍ଘ ବର୍ଷ ଧରି ଯେଉଁ ଜମିକୁ ଜବରଦଖଲ କରିଛନ୍ତି, ସେଥିରେ ଯଦି ଅନ୍ୟ କାହା ନାମରେ ବିଦ୍ୟୁତ୍‌ ଓ ପାଣି ସଂଯୋଗ ଦିଆଯାଏ, ତେବେ ଜମି ଉପରୁ ତାଙ୍କର ମାଲିକାନା ଚାଲିଯିବ। ଏକର ଏକର ଜମିକୁ ମାଡ଼ି ବସି ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଆଦାୟ କରୁଥିବା ବେଳେ ହାତରୁ ଆୟର ଉତ୍ସ ଖସିଯିବାକୁ ବସିଛି। ତେଣୁ ଏହି ନିୟମ ଯେପରି କାର୍ଯ୍ୟକାରୀ ନହେବ ସେଥିପାଇଁ ଜମି ମାଫିଆମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବସ୍ତିରେ ଘର କରିବା ବେଆଇନ। କିନ୍ତୁ କେତେକ ଜମି ମାଫିଆ ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି। ଘର ଭଡ଼ାରେ ଲଗାଇଛନ୍ତି। ଏପରିକି ଗୋଟିଏ ଲେଖାଏଁ ପାଣି ଓ ବିଦ୍ୟୁତ ସଂଯୋଗ ନେଇ ଭଡ଼ାଟିଆମାନଙ୍କୁ ବେଆଇନ ଭାବେ ସଂଯୋଗ ଦେଇଛନ୍ତି। ଏଥିପାଇଁ ମନ ଇଚ୍ଛା ଅର୍ଥ ବି ଆଦାୟ କରୁଛନ୍ତି। ବେଆଇନ ଭାବେ ଘର ନିର୍ମାଣ କରି ପାଣି ଓ ବିଦ୍ୟୁତ ସଂଯୋଗ ଦେଇଥିବାରୁ ଅଧିକ ପାଣି ଓ ବିଦ୍ୟୁତ ଖର୍ଚ୍ଚ ହେଉଛି। କିନ୍ତୁ ସରକାର ରାଜସ୍ୱ ହରାଉଛନ୍ତି। ଏହାସହ ବସ୍ତିରେ ଭଡ଼ାରେ ରହୁଥିବା ଲୋକ ନିଜ ହକ୍‌ ପାଉ ନଥିବାବେଳେ ଶୋଷଣର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ କେତେକ ସରକାରୀ କର୍ମଚାରୀ, ବିତ୍ତଶାଳୀ ଲୋକ ଜମି ଦଖଲ କରି ନୂଆ ବସ୍ତି କରୁଛନ୍ତି। ତେଣୁ ଜମି ଜବରଦଖଲକାରୀଙ୍କ ଉପରେ ରୋକ୍‌ ଲଗାଇବା ଏବଂ ବସ୍ତି ବଢ଼ିବା ଉପରେ ରୋକ୍‌ ଲଗାଇବା ପାଇଁ ଏହି ନିୟମ ଅଣାଯାଇଛି। ବସ୍ତିରେ ଭଡ଼ାରେ ରହୁଥିବା ଲୋକଙ୍କ ନାମରେ ବିଦ୍ୟୁତ ଓ ପାଣି ସଂଯୋଗ ଦିଆଗଲେ ସେମାନେ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ। ଆଉ ଯେଉଁମାନେ ବେଆଇନ ଭାବେ ଜମି ଜବରଦଖଲ କରି ଘର ନିର୍ମାଣ କରିଥିବେ, ସେଗୁଡ଼ିକୁ ଉଚ୍ଛେଦ କରିବାରେ ଏବଂ କାର୍ଯ୍ୟାନୁଷ୍ଠାନ ନେବାରେ ଏହି ନିୟମ ସହାୟକ ହେବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe