ବାଲିପାଟଣାରେ ପିଇବା ପାଣି ସମସ୍ୟା ଉତ୍କଟ

ସ୍ବଚ୍ଛ ଜଳଧାରାର ୧୦ ପ୍ରକଳ୍ପକୁ ହୋଇପାରୁନି ବିଦ୍ୟୁତ୍‌ ସଂଯୋଗ

ବାଲିପାଟଣାରେ ପିଇବା ପାଣି ସମସ୍ୟା ଉତ୍କଟ

ବାଲିପାଟଣା: ବାଲିପାଟଣା ବ୍ଲକ ସ୍ବଚ୍ଛ ଜଳଧାରା ପାଣି ଯୋଗାଣ ଠପ୍‌ ହୋଇଯାଇଛି। ଫଳରେ ହଜାର ହଜାର ଜନସାଧାରଣ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ବାତ୍ୟା ଫନିକୁ ଦୀର୍ଘ ଦୁଇମାସ ବିତିଯାଇଥିବା ବେଳେ ସ୍ବଚ୍ଛ ଜଳଧାରାର ୩୯ଟି ପ୍ରକଳ୍ପ ମଧ୍ୟରୁ ବର୍ତମାନ ସୁଦ୍ଧା ୧୦ଟି ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରୁନି। ବ୍ଲକ ତରଫରୁ ଯୋଗାଯାଉଥିବା ଜେନେରେଟରକୁ ଗତ ୧୦ତାରିଖରୁ ବନ୍ଦ କରିଦିଆଯାଇଛି। ଉପରିସ୍ଥ କର୍ମଚାରୀଙ୍କ ନି‌ର୍ଦ୍ଦ‌େଶକ୍ରମେ ବନ୍ଦ କରି ଦିଆଯାଇଥିବା ବିଭାଗୀୟ ମୁଖ୍ୟ ସୁନୀଲ ପାଢ଼ୀ କହିଛନ୍ତି। ଫଳରେ ଗାଁ ଗଣ୍ତାରେ ପଇବା ପାଣି ହାହାକାର ପଡିଛି। ଓଭରହେଡ୍‌ ଟାଙ୍କିର ଘୋଡ଼ଣି ଉଡ଼ି ଯାଇଥିବାରୁ ପାଣିକୁ ପିଇବା ପାଇଁ ଲୋକେ ଡରୁଛନ୍ତି। ଅନେକ ଜାଗାରେ ଷ୍ଟାଣ୍ତପୋଷ୍ଟ ଭାଙ୍ଗି ଯାଇଥିବା ବେଳେ ଏଯାଏଁ ମରାମତି ହୋଇପାରୁନି। ଫଳରେ ରାସ୍ତାରେ ପାଣିର ଧାର ଅନବରତ ଛୁଟୁଛି। ବାଲିପାଟଣା ବ୍ଲକର ଅନେକ ସ୍ଥାନରେ ଲୋକେ ନିଜସ୍ବ ବ୍ୟବହାର ପାଇଁ ପାଇପ୍‌କୁ କାଟି ପାଣି ନେଉଛନ୍ତି। ଏଥିଯୋଗୁଁ ସ୍ବଚ୍ଛ ପାଣିରେ ଦୂଷିତ ହେଉଛି। ତେଣୁ ଏହି ପାଣି ପିଇବା ଦ୍ବାରା ପେଟ ରୋଗ, ଝାଡ଼ାବାନ୍ତି, ଜଣ୍ତିସ, କିଡ୍‌ନୀ ରୋଗ ଭଳି ବହୁ ମାରାତ୍ମକ ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

୧୪୯୨ଟି ନଳକୂପ ମଧ୍ୟରୁ କେତୋଟି ଅଚଳ ହୋଇ ପଡ଼ିଥିବା ବେଳେ ଅଧିକାଂଶ ନଳକୂପରୁ ଲୌହଯୁକ୍ତ ପାଣି ବାହାରୁ ଥିବାରୁ ଏହା ପିଇବା ଅନୁପଯୁକ୍ତ ହୋଇପଡ଼ିଛି। ଉକ୍ତ ପାଣି ବ୍ୟବହାର ଦ୍ବାରା ଦାନ୍ତ ରୋଗ ହେବା ସହ ଏବଂ ନଖ କଳା ପଡ଼ିଯାଉଛି। ପାଣି ରଖିବାର ୩/୪ ଘଣ୍ଟା ପରେ ପାତ୍ରର ରଙ୍ଗ ବଦଳି ଯାଉଛି। ସେଥିରେ ବସୁଥିବା ଆସ୍ତରଣକୁ ଛଡ଼ାଇବା ମଧ୍ୟ କଷ୍ଟ ହେଉଛି। ପାଣିରେ ଲୁଗା ଧୋଇବାରୁ ହଳଦିଆ ରଙ୍ଗର ଆସ୍ତରଣ ବସି ଯିବାରୁ ନଷ୍ଟ ହେଉଛି। ନଳକୂପ ପାଣିରେ ରୋଷେଇ କଲେ ଖାଦ୍ୟ କଳା ପଡ଼ି ଯାଉଛି। ଅପରପକ୍ଷରେ ନଳଳୂପ ଏବଂ ସ୍ବଚ୍ଛ ଜଳଧାରା ଖନନ କାର୍ଯ୍ୟରେ ଅନିୟମିତତା ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ବିଦ୍ୟୁତ୍‌ ବିଭାଗର ଉଦାସୀନତା ଯୋଗୁଁ ଏପରି ସମସ୍ୟା ଉପଜୁଥିବା ସ୍ବଚ୍ଛ ଜଳଧାରା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ତରଫରୁ ଘଟଣାକୁ ଗୁରୁତ୍ବର ସହିତ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଯୋଗାଇ ସ୍ବଚ୍ଛ ଜଳଧାରା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe