ଜଳସଂକଟରେ ବାସୁଆଘାଇ ପଞ୍ଚାୟତ: କମୁଛି ଜଳସ୍ତର, ନଦୀରେ ଆନିକଟ୍‌ ନାହିଁ

Advertisment

ଜଳସଂକଟରେ ବାସୁଆଘାଇ ପଞ୍ଚାୟତ: କମୁଛି ଜଳସ୍ତର, ନଦୀରେ ଆନିକଟ୍‌ ନାହିଁ

ଜଳସଂକଟରେ ବାସୁଆଘାଇ ପଞ୍ଚାୟତ: କମୁଛି ଜଳସ୍ତର, ନଦୀରେ ଆନିକଟ୍‌ ନାହିଁ

ଜଳସଂକଟରେ ବାସୁଆଘାଇ ପଞ୍ଚାୟତ: କମୁଛି ଜଳସ୍ତର, ନଦୀରେ ଆନିକଟ୍‌ ନାହିଁ

ଭୁବନେଶ୍ୱର: ଦୀପ ତଳ ଅନ୍ଧାର ଭଳି ରହିଛି ଆମ ଅଞ୍ଚଳ। ଗୋଟିଏ ପଟେ ରାଜଧାନୀକୁ ସ୍ମାର୍ଟ କରିବାକୁ ସରକାର ଯୋଜନା ଉପରେ ଯୋଜନା କରୁଥିବା ବେଳେ ରାଜଧାନୀ ଉପକଣ୍ଠର ଲୋକମାନଙ୍କୁ ମୌଳିକ ସୁବିଧା ଟିକେ ଯୋଗାଇ ଦେଇ ପାରୁନାହାନ୍ତି। ନା ଭଲ ରାସ୍ତା ଖଣ୍ଡେ ଅଛି ନା ବର୍ଷା ପାଣି ନିଷ୍କାସନ ପାଇଁ କିଛି ବ୍ୟବସ୍ଥା। ଖରା ଦିନ ନ ଆସୁଣୁ ମାଘ ଫଗୁଣରୁ କୂଅ ଓ ନଳକୂପ ଶୁଖିଯାଉଛି। ଏବେଠାରୁ ପାଣି ଟିକେ ପାଇଁ ଲୋକେ ଡହକବିକଳ ହେଲେଣି। ଲୋକ କେବଳ ପାଇପ୍‌ ପାଣିକୁ ଅନେଇ ରହି କାଳ‌ାତିପାତ କରୁଛନ୍ତି। ଜଳସ୍ତର ଏତେ ତଳକୁ ଚ‌ାଲି ଯାଉଛି ଯେ ଖରାଦିନ ନ ଆସୁଣୁ ନା କୂଅରେ ପାଣି ରହୁଛି ନା ନଳକୂପରୁ ପାଣି ବାହାରୁଛି। ଜାତୀୟ ରାଜପଥକୁ ଲାଗି ରହିଥିବା ବାସୁଆଘାଇ ପଞ୍ଚାୟତର ଏହି ଜଳକଷ୍ଟ ପଞ୍ଚାୟତର ମୁଖ୍ୟ ସମସ୍ୟା ପାଲଟିଛି। ସହର ଉପକଣ୍ଠରେ ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁରପାଟଣା ଓ ବାସୁଆଘାଇ ଆଦି ୫ଟି ଗାଁର ୧୨ଟି ୱାର୍ଡକୁ ନେଇ ଗଢ଼ିଉଠିଛି ବାସୁଆଘାଇ ପଞ୍ଚାୟତ। ପୂର୍ବରୁ ଏହି ପଞ୍ଚାୟତର ମୋଟ୍‌ ଜନସଂଖ୍ୟା ୩ହଜାର ଥିବା ବେଳେ ବର୍ତ୍ତମାନ ବିଭିନ୍ନ କଲୋନି ଗଢ଼ି ଉଠିବା ଫଳରେ ଜନସଂଖ୍ୟା ୬ ହଜାରରୁ ଅଧିକ ହେଲାଣି। ଏତେ ସଂଖ୍ୟାରେ ଲୋକ ବ୍ୟବହାର କରିବା ପାଇଁ ଆବଶ୍ୟକ ପରିମାଣର ପାଣି ପ୍ରଶାସନ ଯୋଗାଇ ଦେବାରେ ଅସମର୍ଥ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଗାଁଗୁଡ଼ିକରେ ବର୍ଷ ସାରା ଯଥେଷ୍ଟ ପାଣି ରହୁଥିଲା। ମେ’ ମାସ ଖରାରେ ବି କୂଅ ପୋଖରୀ ଶୁଖୁ ନ ଥିଲା। କିନ୍ତୁ ୫/୭ ବର୍ଷ ହେଲା ଏହି ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ରୂପ ନେଲାଣି। ପୁଣି କୁଆଖାଇ ନଦୀରେ ଚେକ୍‌ ଡ୍ୟାମ୍‌ ନ ଥିବାରୁ ଜଳ ସଂରକ୍ଷିତ ହୋଇପାରୁନି। ଫଳରେ ଜଳସ୍ତର କମି ଯାଉଛି ଏବଂ କୂଅ, ପୋଖରୀ ଓ ନଳକୂପ ଆଦି ଶୁଖି ଯାଉଛି। ଲୋକ ପାଣି ଟୋପାଏ ପାଇଁ ବି ବାହାର ଉତ୍ସ ଉପରେ ନିର୍ଭର କରୁଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରେ ବର୍ଷା ଟିକେ ହୋଇଥିବାରୁ ଏବେ ଜଳ ସମସ୍ୟାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ‌‌ହୋଇଛି। ପୂର୍ବ ବର୍ଷଗୁଡ଼ିକରେ ଫେବ୍ରୁଆରି ସୁଦ୍ଧା କୂଅ ଶୁଖିଯିବା ସହ ନଳକୂପରୁ ବି ପାଣି ବାହାରେନି। ନଦୀ ପଠାରୁ ଅଧିକ ବାଲି ଉଠାଇ ନିଆ ଯାଉଥିବାରୁ ନଦୀର ଜଳ ଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି ‌େବାଲି ଲୋକ ଅଭିଯୋଗ କରିଛନ୍ତି। ଏଦିଗ‌ରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। କେବଳ ପାଇପ୍‌ ଯୋଗେ ପାଣି ଟିକେ ଯୋଗାଇ ଦେଇ ନିଜ ଦାୟିତ୍ବ ସାରି ଦେଉଛନ୍ତି। ବାଙ୍କୁଆଳଠାରେ ନଦୀରେ ଏକ ଆନିକଟ୍‌ ନିର୍ମାଣ ହୋଇପାରିଲେ ପଞ୍ଚାୟତରୁ ପାଣି ସମସ୍ୟା ଅନେକ ଦୂର ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏ ନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏ ଯାଏ କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି ଅଭିଯୋଗ ହୋଇଛି।

ଦୀପ ତଳ ଅନ୍ଧାର
ଗ୍ରାମ ପଞ୍ଚାୟତର ବିକାଶ ଓ ରକ୍ଷଣାବେକ୍ଷଣା ପାଇଁ କୋଟି କୋଟି ଟଙ୍କା ବଜେଟ୍‌ ଦରକାର ହେଉଥିବା ବେଳେ ସରକାର ବିଭିନ୍ନ ଯୋଜନାରେ କମ୍ ଟଙ୍କା ଦେଇ ନିଜ ଦାୟିତ୍ୱ ସାରି ଦେଉଛନ୍ତି। ଯାହାକି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରର୍ଯ୍ୟାପ୍ତ ନୁହେଁ। ପଞ୍ଚାୟତରେ ଜଳସ୍ତର କମୁଥିବାରୁ ବଙ୍କୁଆଳ ପଟେ ନଦୀରେ ଏକ ଆନିକଟ ନିର୍ମାଣ ପାଇଁ ବାରମ୍ବାର ବିଡିଓ ଓ ଜିଲ୍ଲାପାଳକୁ ନେଇ ଚିଠି ଲେଖିଥିଲେ ବି ତା’ର କୌଣସି ଉତ୍ତର ମିଳିନାହିଁ। ‌କିନ୍ତୁ ଦୀପ ତଳ ଅନ୍ଧାର ଭଳି ଆମ ପଞ୍ଚାୟତ ଲୋକ ସମସ୍ୟା ଭୋଗୁଛନ୍ତି। ତୁରନ୍ତ ସରକାର ପଞ୍ଚାୟତବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
-ବିନୋଦିନୀ ଜେନା, ସରପଞ୍ଚ

ପାଣି ପାଇଁ ଦୂରକୁ ଯିବାକୁ ପଡ଼ୁଛି
ଆମ ପା‌ଖରେ ଦୁଇଟି ନଳକୂପ ଅଛି। କିନ୍ତୁ ଏହା ୪/୫ ବର୍ଷ ହେଲା ଖରାପ ଥିବାରୁ ପାଣି ପାଇଁ ଆମକୁ ନିକଟସ୍ଥ ଶିବ ମନ୍ଦିର ଯିବାକୁ ପଡ଼ୁଛି। କେଶୁରା ମୁଣ୍ଡାସାହିରେ ଆମେ ୧୦ଟି ପରିବାର ରହୁଛୁ। ପିଇବାଠାରୁ ନିତ୍ୟକର୍ମ ପର୍ଯ୍ୟନ୍ତ ଆମେ ଏଠାରୁ ୨୦୦ ମିଟର ଦୂରରେ ଥିବା ଶିବ ମନ୍ଦିରରୁ ହିଁ ପାଣି ଆଣି ବ୍ୟବହାର କରୁଛି। ନଳକୂପଟିକୁ ସଜାଡ଼ି ଦେବାକୁ ବାରମ୍ବାର କହିଲେ ବି କେହି ଶୁଣୁନାହାନ୍ତି। ଏବେ ଖରା ଦିନ ଆସିଲାଣି ପାଣି ସମସ୍ୟା ପାଇଁ ଏବେଠାରୁ ଚିନ୍ତା ଘାରିଲାଣି।
-ଲିଲି ସିଂହ, କେଶୁରା ମୁଣ୍ଡା ସାହି

ସପ୍ଲାଏ ପାଣି ହିଁ ଭରସା
ଏବେ ଖରା ଦିନ ଆସିଲାଣି। ଆଉ ଦିନ କେଇଟାରେ ନଳକୂପରୁ ପାଣି ବାହାରିବା ବନ୍ଦ ହୋଇଯିବ। ଯାହା ସକାଳ ଓ ରାତିରେ କିଛି ସମୟ ପାଇଁ ଆସୁଥିବା ଯୋଗାଣ ପାଣି ଆମର ସାହା ଭରସା ପାଲଟିବ। ଆମେ ଏଠି ୬୦ରୁ ଅଧିକ ପରିବାର ବସବାସ କରୁଛୁ। ସପ୍ଲାଏ ପାଣି ପାଇଁ ଏଠାରେ ୪ଟି ଟ୍ୟାପ୍‌ ବସିଛି। ୬୦ ପରିବାରର ପିଇବା, ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ଏଠାରୁ ପାଣି ନେଲା ବେଳକୁ ପାଣି ବନ୍ଦ ହୋଇଯାଉଛି। ବେଳେ ବେଳେ ପାଣି ଆସିବା ସମୟରେ ଯଦି ଲାଇନ୍‌ କଟିଯାଏ ତେବେ ସେ ଦିନର ଅସୁବିଧା ନ କହିବା ଭଲ। ଏଣୁ ସରକାରଙ୍କ ପକ୍ଷରୁ ଅଧିକ ଗଭୀର ନଳକୂପ ବସାଇବା ବା ୨୪ ଘଣ୍ଟିଆ ପାଣି ଯୋଗାଣ ବ୍ୟବସ୍ଥା କଲେ ଆମେ ଉପକୃତ ହୁଅନ୍ତୁ।
-ଜୀବନ ଦାସ, କେଶୁରା ନୂଆ ସାହି

ଠିକ୍‌ ସମୟରେ ପାଣି ଆସୁନି
ଆମେ ଖଟିଖିଆ ମଜଦୁର ଲୋକ। ଖଟିଲେ ଖାଇବୁ। ସକାଳ ୮ଟାରୁ ମୂଲ ଲାଗିବାକୁ ଯାଉ। କିନ୍ତୁ ୮ଟାରେ ସପ୍ଲାଏ ପାଣି ଆସେ। ଫଳରେ ନାନା ଅସୁବିଧା ଭୋଗିବାକୁ ପଡ଼େ। ନଦୀ ଏଠାରୁ ବହୁତ ଦୂର ହୋଇଥିବାରୁ ନିତ୍ୟକର୍ମ ପାଇଁ ସେଠାକୁ ଯିବା ସମ୍ଭବ ହେଉନି। ପୁଣି ସପ୍ଲାଏ ପାଣି ବେଳେ ବେଳେ ଠିକ୍‌ ସମୟରେ ଆସେ ତ’ ପୁଣି କେବେ କେବେ ବିଳମ୍ବରେ ଆସେ। ଏନେଇ ଅଭିଯୋଗ କଲେ କେହି ଶୁଣୁନାହାନ୍ତି।
-ରେଣୁବାଳା ଦେଈ, ବାଙ୍କୁଆଳ ହରିଜନ ସାହି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe