ନଳକୂପରୁ ବାହାରୁଛି ପୋକ ମିଶା ପାଣି

Advertisment

ଉତ୍କଟ ରୂପ ନେଉଛି କାର୍‌ଗିଲ୍‌ ବସ୍ତିର ପାଣି ସମସ୍ୟା

ଉତ୍କଟ ରୂପ ନେଉଛି କାର୍‌ଗିଲ୍‌ ବସ୍ତିର ପାଣି ସମସ୍ୟା

ନଳକୂପରୁ ବାହାରୁଛି ପୋକ ମିଶା ପାଣି

ଭୁବନେଶ୍ୱର: ପୋଖରୀପୁଟ ନିକଟ କାର୍‌ଗିଲ୍‌ ବସ୍ତିରେ ପ୍ରାୟ ଆଠ ହଜାର ଲୋକ ବାସ କରନ୍ତି। କିନ୍ତୁ ପିଇବା ପାଣି ପାଇଁ ମୋଟ ୧୬ଟି ନଳକୂପ ରହିଛି। ଏଥିରେ ଅଧାରୁ ଅଧିକ ନଳକୂପ ଅଚଳ ହୋଇପଡ଼ଛି। ଆଉ ଯେଉଁ କେତୋଟି କାର୍ଯ୍ୟକ୍ଷମ ଅଛି ସେଥିରୁ ଲୁହା ଗୁଣ୍ଡ ଓ ପୋକ ମିଶା ପାଣି ବାହାରୁଛି। ରାଜଧାନୀ ଓ୍ଵାର୍ଡ ନମ୍ବର ୬୨ରେ ଥିବା କାର୍ଗିଲ ବସ୍ତିର ତାରିଣୀ ସାହି, ତ୍ରିନାଥ ସାହି, ମଦନମୋହନ ସାହି, ମଙ୍ଗଳା ସାହି, ମାହାବୀର ସାହି ଓ ମୁଣ୍ଡାସାହିରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ପିଇବା ପାଇଁ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଏଠିକାର ଲୋକ କୂଅ ଉପରେ ନିର୍ଭର କରୁଛନ୍ତି। ଏପରିି ପାଣି ପିଇ ଲୋକମାନେ ଅନେକ ସମୟରେ ଝାଡ଼ା, ବାନ୍ତିର ଶିକାର ହେଉଛନ୍ତି। ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଖାଲି ନାମକୁ ମାତ୍ର ନଳକୂପରେ ପମ୍ପ୍‌ ଲଗାଇ ଜନସ୍ୱାସ୍ଥ୍ୟ ବିଭାଗ ପାଣି ଯୋଗାଉଥିବା ବସ୍ତିବାସିନ୍ଦା କହିଛନ୍ତି। ବିଭାଗ ପକ୍ଷରୁ ବସ୍ତିର ମୁଖ୍ୟ ରାସ୍ତା ପାଖରେ କେତୋଟି ପାଣି ଟାଙ୍କି ବସାଯାଇଛି। ମାତ୍ର ଏହାକୁ ବେପରୁଆ ଢଙ୍ଗରେ ପାଣି ଯୋଗାଣ କାର୍ଯ୍ୟ ପରିଚାଳନା କରାଯାଉଛି। ଲିଙ୍ଗରାଜ ବିହାରକୁ ପାଣି ଯୋଗାଣ ପରେ ଯାହା ବଳକା ରୁହେ ତାହା କାର୍‌ଗିଲ୍‌ ବସ୍ତିକୁ ଯୋଗାଣ ହୋଇଥାଏ ବୋଲି ବସ୍ତି ଉନ୍ନୟନ କମିଟିର ସଦସ୍ୟମାନେ କହିଛନ୍ତି। ବସ୍ତିରେ ଏକ ହଜାରରୁ ଅଧିକ ପରିବାର ରହୁଥିବାରୁ ଏହି ପାଣି ସମୁଦ୍ରକୁ ଶଙ୍ଖେ। ପିଇବାକୁ ଶୁଦ୍ଧ ପାଣି ମୁନ୍ଦେ ଠିକ୍‌ରେ ମିଳୁନଥିବାରୁ ବସ୍ତିର ମହିଳାମାନେ ଏକ ପରିତ୍ୟକ୍ତ ପୋଖରୀର ପାଣିକୁ ବାସନମଜା କାମରେ ବ୍ୟବହାର କରୁଛନ୍ତି। ଗତ କିଛି ଦିନ ପୂର୍ବେ କାର୍‌ଗିଲ୍‌ ବସ୍ତିର ପାଣି ସମସ୍ୟା ଦୂର କରିବା ପାଇଁ ଏକ ଖାଲି ଜାଗାରେ ପାଣି ପ୍ରକଳ୍ପର ଶୁଭ ଦିଆଯାଇଥିଲା। କିନ୍ତୁ ଶୁଭ ଦିଆଗଲା ପରେ କାମ ଆରମ୍ଭରେ ବି ବିଳମ୍ବ ହେଲା। ଏବେ ପାଣି ପାଇପ ବିଛା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ବସ୍ତିର ସମ୍ପାଦକ ଆନନ୍ଦ ପରିଡ଼ା ସୂଚନା ଦେଇଛନ୍ତି। ତେବେ କାମକୁ ତ୍ୱରାନ୍ଵିତ କରିବାକୁ ବସ୍ତି ବାସିନ୍ଦା ଦବି କରିଛନ୍ତି। ସ୍ଥାନୀୟ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, କାର୍‌ଗିଲ୍‌ ବସ୍ତିର ପାଣି ସମସ୍ୟା ଆଗ ଅପେକ୍ଷା ବହୁତ ସମାଧାନ ହୋଇଛି। ଏବେ ପାଣି ପାଇଁ ଟେଣ୍ଡର ହୋଇଯାଇଛି। ଅମୃତ ଯୋଜନାରେ ଖୁବ ଶୀଘ୍ର ରହିଯାଇଥିବା ପାଣି ସମସ୍ୟାର ସମାଧାନ କରାଯିବ। ଏନେଇ ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ ନୃସିଂହ ଚରଣ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ତିନି ମାସ ଭିତରେ କାର୍‌ଗିଲ ବସ୍ତିର ପାଣି ସମସ୍ୟା ଦୂର ହେବ। ଏଥି ପାଇଁ ଅମୃତ ଯୋଜନାରେ ପାଣି ପାଇପ ବିଛା କାମ ଚାଲିଛି। ବର୍ତ୍ତମାନ ତିନି ଲକ୍ଷ ଲିଟରର ଏକ ପାଣି ଟାଙ୍କି ବସ୍ତିରେ ତିଆରି ହେଉଛି। ଯାହାଫଳରେ ସେଠାରେ ଆଉ ପାଣି ସମସ୍ୟା ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe