ଚନ୍ଦ୍ରଶେଖରପୁର : ଖରା ଆରମ୍ଭରୁ କଷ୍ଟ ଦେଲାଣି ଜଳାଭାବ

Advertisment
ଚନ୍ଦ୍ରଶେଖରପୁର : ଖରା ଆରମ୍ଭରୁ କଷ୍ଟ ଦେଲାଣି ଜଳାଭାବ

ଚନ୍ଦ୍ରଶେଖରପୁର : ଖରା ଆରମ୍ଭ ହେଉ ହେଉ ରାଜଧାନୀରେ ଅନୁଭୂତ ହେଲାଣି ଜଳଯନ୍ତ୍ରଣା। ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଆଦି ଉତ୍ତର ଭୁବନେଶ୍ବର ଅଞ୍ଚଳରେ ଜଳକଷ୍ଟ ଦେଖାଦେଲାଣି। ଜନସ୍ବାସ୍ଥ୍ୟ ବିଭାଗ ଯୋଗାଉଥିବା ପାଇପ୍‌ ଜଳ ଯଥେଷ୍ଟ ହେଉ ନଥିବାବେଳେ ସ୍ଥାନୀୟ ଅଞ୍ଚଳର କୂଅ, ପୋଖରୀ ଭଳି ଜଳାଶୟ ସବୁ ଶୁଖି ଗଲାଣି। ବିଶେଷକରି ଏବେ ବସ୍ତିବାସିନ୍ଦାମାନଙ୍କ ପାଇଁ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାରୁ ଲୋକେ ବଡ଼ ହୀନସ୍ତା ହେଲେଣି।

ଏବେ କୁଆଖାଇ ନଦୀର ଜଳସ୍ତର କମି ଯାଇଥିବାରୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଇପ୍‌ ଜଳ ଯଥେଷ୍ଟ ପରିମାଣର ମିଳୁନାହିଁ। ବିଭାଗୀୟ କର୍ମଚାରୀମାନେ ଖରାଦିନ ବାହାନାରେ କମ୍ ସମୟ ଜଳ ଯୋଗାଣ କରୁଥିବା ଅଭିଯୋଗ ହେଉଛି। ସେହିଭଳି ଟାଙ୍କି ଦ୍ବାରା ବିଭିନ୍ନ ବସ୍ତିକୁ ଯୋଗାଇ ଦିଆଯାଉଥିବା ଜଳ ମଧ୍ୟ ବହୁତ କମ୍ ବୋଲି ଅଭିଯୋଗ ହେଉଛି। ପୂର୍ବରୁ ଯେତିକି ସମୟ ପାଣି ମିଳୁଥିଲା, ଏବେ ତାହାକୁ କମାଇ ଦିଆଯାଇଛି। ଫଳରେ ମାପିଚୁପି ଚଳିବା କଷ୍ଟକର ହେଉଛି ବୋଲି ବସ୍ତି ଲୋକେ କହୁଛନ୍ତି। କିଛି କିଛି ବସ୍ତିକୁ ଟାଙ୍କି ପାଣି ଯାଉନଥିବା ମଧ୍ୟ ଅଭିଯୋଗ ହେଉଛି। ଇନ୍‌ଫୋସିଟି ନିକଟ ଚିରଗାଲଟୋଲା ବସ୍ତି, ଚୁନୁକୋଳି ବସ୍ତି ଓ ଅଳସୁଆ ପଥରଗାଡ଼ିଆ ନିକଟ ଆଦିବାସୀ ବସ୍ତିଗୁଡ଼ିକରେ ଟାଙ୍କିପାଣି ପହଞ୍ଚୁ ନଥିବା ଅଭିଯୋଗ ହୋଇଛି। ସେହିଭଳି ସ୍ଥାନୀୟ ଗାଁଗୁଡ଼ିକରେ ମଧ୍ୟ ଜଳକଷ୍ଟ ଦେଖିବାକୁ ମିଳିଲାଣି। ମଞ୍ଚେଶ୍ବର କେନାଲ୍, ବୁଡୁ ନଈ, ପୁରୀ କେନାଲ୍, ଦୟାୱେଷ୍ଟ କେନାଲ୍‌ ସମେତ ବିଭିନ୍ନ ନାଳଗୁଡ଼ିକରେ ଜଳସ୍ତର କମି ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ନଳକୂପ କିମ୍ବା କୂଅରେ ଆଉ ପାଣି ନାହିଁ। ସବୁଠାରୁ ବଡ଼ ସମସ୍ୟା ହେଉଛି କୂଆଖାଇ ନଦୀ ଜଳସ୍ତର ହ୍ରାସ। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ଜଳାଶୟ ସବୁ ଶୁଖି ଗଲାଣି। ତେଣୁ ଗ୍ରାମାଞ୍ଚଳରେ ମଧ୍ୟ ଜଳାଭାବ ଅନୁଭୂତ ହେଲାଣି। ଏବେଠାରୁ ବିଭିନ୍ନ ବସ୍ତିକୁ ଯଥେଷ୍ଟ ଜଳଯୋଗାଣ ବ୍ୟବସ୍ଥା କରା ନଗଲେ ପରିସ୍ଥିତି ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe