ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧ କରିବାକୁ ହେବ: ଅଶ୍ବିନୀ ଚୌବେ

‘ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନଶକ୍ତି’ ଆଲୋଚନାଚକ୍ର

ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧ କରିବାକୁ ହେବ: ଅଶ୍ବିନୀ ଚୌବେ

ଖଣ୍ଡଗିରି: ଭାରତର ପ୍ରାଚୀନ ସଭ୍ୟତା ଜ୍ଞାନର ଶିଖର ଛୁଇଁଥିଲା। ସେତେବେଳେ ପୃଥିବୀ ଓ ପରିବେଶ ସହ ଖାପ ଖୁଆଇ ମଣିଷ ଚଳି ପାରୁଥିଲା। ଏବେ ସେହି ଜ୍ଞାନର ଗୁରୁତ୍ୱକୁ ପୁଣିଥରେ ଆବିଷ୍କାର କରି ତାହାକୁ ବିଶ୍ବ ଦରବାରରେ ଉପସ୍ଥାପିତ କରିବା ଆବଶ୍ୟକ। ଭାରତୀୟ ପରମ୍ପରାକୁ ଅସ୍ତ୍ର କରି ବାୟୁ ପ୍ରଦୂଷଣ ବିରୋଧ‌ରେ ଯୁଦ୍ଧ କରିବାକୁ ହେବ। ସୋଆ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ‘ବାୟୁ-ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ୩ଦିନିଆ ଜାତୀୟ ସମ୍ମିଳନୀ‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏହା କହିଛନ୍ତି।

କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚୌବେ ଆହୁରି କହିଥିଲେ ଯେ ଏବେ ବାୟୁ ପ୍ରଦୂଷଣ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି। ବିଶ୍ବ ସମ୍ମିଳନୀରେ ମଧ୍ୟ ଏହାକୁ ନେଇ ସବୁ ରାଷ୍ଟ୍ର ନିଜର ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ମୁକାବିଲା କରିବା ନିମନ୍ତେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିମଧ୍ୟରେ ନ୍ୟାସ୍‌ନାଲ୍ କ୍ଲିନ୍ ଏୟାର ପ୍ରୋଗ୍ରାମ ଅନ୍ୟତମ। ସମ୍ମିଳନୀ ଏହି ସମସ୍ତ ଉଦ୍ୟମକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେଇଛି।

କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ପ୍ରଶାନ୍ତ ଗର୍ଗଭା, ବରୋଦାସ୍ଥିତ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ କୁଳପତି ବିଜୟ ଶ୍ରୀବାସ୍ତବ, ପ୍ରଫେସର୍‌ ଭାଗବତୀ ପ୍ରକାଶ ଶର୍ମା, ବିକାନେର୍‌ ବୈଷୟିକ ବିଶ୍ବବିଦ୍ୟାଳୟ କୁଳପତି ଏଚ୍‌.ଡି ଚରଣ ପ୍ରମୁଖ ଯୋଗଦେଇ ବାୟୁର ଆବଶ୍ୟକତା ଓ ବାୟୁର ଗୁଣବତ୍ତା ରକ୍ଷା କରିବାକୁ ଆହ୍ବାନ ଦେଇଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଅଶୋକ ମହାପାତ୍ର ଧନ୍ୟବ‌ାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଭାରତ ତଥା ଭାରତ ବାହାରୁ ୯୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe