ଭୁବନେଶ୍ୱର: ‘‘ଭାରତର ହସ୍ତତନ୍ତ ଖୁବ ସ୍ୱତନ୍ତ୍ର ଓ ପ୍ରସିଦ୍ଧ। ତେଣୁ ଏହି ହସ୍ତତନ୍ତକୁ ପ୍ରସିଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବୁଣାକାରଙ୍କୁ ସଶକ୍ତ କରିବା ହେଉଛି ମୋ ବ୍ରାଣ୍ଡ ‘ଶାଢ଼ି ମୁଡ୍’ର ଲକ୍ଷ୍ୟ।’’ ଏକଥା କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ଉଦ୍ୟୋଗୀ ମୁଗ୍ଧା ଗଡ଼ସେ। ଆଜି ଇଣ୍ଡଲ୍ଜ ବ୍ରାଇଡାଲ୍ ମଲ୍ରେ ଏହାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ସେ ଏଭଳି ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିନେତା-ନେତା ଆକାଶ ଦାସ ନାୟକ ଯୋଗଦେଇ ଆମ ପରମ୍ପରାକୁ ଜୀବନ୍ତ ରଖୁଥିବା କାରିଗରମାନଙ୍କୁ ସହଯୋଗ କରିବାର ଆମର କର୍ତ୍ତବ୍ୟ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଇଣ୍ଡଲଜ୍ର ପ୍ରତିଷ୍ଠାତା ସୁକୀର୍ତି ପଟ୍ଟନାୟକ ଯୋଗଦେଇ ଓଡ଼ିଶାର କଳାକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି କହିଥିଲେ।
‘ଫ୍ୟାସନ’ ଓ ‘ଖେଲା ହୋବେ’ ଭଳି ଫିଲ୍ମ ସହିତ ମଡେଲିଂ ଦୁନିଆରେ ନିଜ ଛାପ ରଖିଛନ୍ତି ମୁଗ୍ଧା ଗଡ଼ସେ। ଚିରାଚରିତ ନାୟିକାଠାରୁ ଭିନ୍ନ ଚରିତ୍ରକୁ ନିଜ ଅଭିନୟ ଦକ୍ଷତା ବଳରେ ଫୁଟାଇ ପାରୁଥିବା ମୁଗ୍ଧା ଉଭୟ ଫିଲ୍ମ ନିର୍ମାତା ଓ ଦର୍ଶକଙ୍କ ପାଖରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଆଜି ରାଜଧାନୀର ଇଣ୍ଡଲ୍ଜ ବ୍ରାଇଡାଲ୍ ମଲ୍ରେ ତାଙ୍କ ଶାଢ଼ି ବ୍ରାଣ୍ଡ ‘ଶାଢ଼ି ମୁଡ୍’ର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିବା ସମୟରେ ତାଙ୍କ ସହ ସ୍ବଳ୍ପ ଆଳାପ।
ଓଡ଼ିଶା ବିଷୟରେ କ’ଣ କହିବେ ?
ଓଡ଼ିଶା, ବିଶେଷ କରି ଭୁବନେଶ୍ୱର ମତେ ବହୁତ ଭଲଲାଗେ। ମୁଁ ଏଠାକୁ ଆଗରୁ ବହୁ ଥର ଆସିଛି। ଏହାର ଖାଦ୍ୟ ଓ ସୌନ୍ଦର୍ଯ୍ୟର ଏକ ସ୍ୱତନ୍ତ୍ରତା ରହିଛି। ଓଡ଼ିଶାର ଲୋକମାନେ ମଧ୍ୟ ଖୁବ ମେଳାପୀ। ଆଜି ବି ମୁଁ ଯିବା ପୂର୍ବରୁ ଓଡ଼ିଆ ଥାଳି ଖାଇକରି ଯିବି।
ଓଡ଼ିଶାର ହସ୍ତତନ୍ତ ଉପରେ ଆପଣଙ୍କର ମତ କ’ଣ?
ଓଡ଼ିଶାର ହସ୍ତତନ୍ତ ସାରା ବିଶ୍ୱରେ ପରିଚିତ। ମୁଁ ନିଜେ ମଧ୍ୟ ଏହି ବାନ୍ଧ, ସମ୍ୱଲପୁରୀ ଶାଢ଼ି ପିନ୍ଧି ମଡେଲିଂ କରିଛି। ମୁଁ ମୋର ବ୍ରାଣ୍ଡ ଜରିଆରେ ଏହି ଶାଢ଼ିକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି।
ସୁଯୋଗ ମିଳିଲେ ଓଡ଼ିଆ ଫିଲ୍ମରେ ଅଭିନୟ କରିବେ?
ପ୍ରତ୍ୟେକ ଫିଲ୍ମ ଏକ ନୂଆକଥା ଶିଖାଏ। ତେଣୁ ସୁଯୋଗ ମିଲିଲେ ନିଶ୍ଚୟ କରିବି।
ନିଜ ବ୍ରାଣ୍ଡ୍ର ଏଭଳି ନାଁ ସମ୍ପର୍କରେ କ’ଣ କହିବେ?
ନାରୀମାନଙ୍କର ବିଭିନ୍ନ ପ୍ରକାର ଭାବାବେଗ ରହିଛି। ଶାଢ଼ି ବିଭିନ୍ନ ରଙ୍ଗ ଓ ଡିଜାଇନ୍ ମାଧ୍ୟମରେ ନାରୀର ସେହି ଭାବାବେଗକୁ ପ୍ରକାଶ କରେ। ଏଥିସହିତ ମୋ’ ଗୁରୁ ମଧ୍ୟ ଏହି ନାମକରଣକୁ ମଞ୍ଜୁର କରିଥିଲେ। ତେଣୁ ଏଭଳି ନାମକରଣ ହୋଇଛି।
ଅଭିନୟରୁ ଉଦ୍ୟୋଗପତି ହେବାର ଯାତ୍ରା କେମିତି ଥିଲା?
ଏ ବହୁତ ସୁନ୍ଦର ଓ ଶିକ୍ଷଣୀୟ ଥିଲା। ଅଭିନୟ ଜୀବନରେ ବିଭିନ୍ନ ଭୂମିକାରେ ଓ ବହୁ ବଡ଼ ବଡ଼ କଳାକାରଙ୍କ ସହ ଅଭିନୟ କରିବାର ସୁଯୋଗ ମିଳିଛି। ବର୍ତ୍ତମାନ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସେହିଭଳି ଅନୁଭବ ମିଳିବାର ଆଶା ରଖିଛି।
ବର୍ତ୍ତମାନ ସାମ୍ପ୍ରତିକ ଘଟଣା ଓ ବାୟୋପିକ୍ ଫିଲ୍ମସବୁ ଲୋକପ୍ରିୟ ହେଉଛି, ଏହାକୁ ନେଇ କ’ଣ କହିବେ?
କୌଣସି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହେଲେ ସମସ୍ତଙ୍କୁ ଛୁଇଁଥାଏ। ଉଦାହରଣ ଭାବରେ ରିୟଲିଟି ସୋ’ ଅଥବା ଉତ୍ସବରେ ଦର୍ଶକଙ୍କ ଭାଗବେଗକୁ ବି ନିଆଯାଇପାରେ। ତେଣୁ ଯେତେ ସମାଜକୁ ନେଇ ଯେତେ ସିନେମା ବା ୱେବସିରିଜ୍ ହେବ, ଦର୍ଶକଙ୍କୁ ସେତେ ଆକର୍ଷିତ କରିବ।
Follow Us