ଭୁବନେଶ୍ବର: ଫକୀରମୋହନ ଫାଉଣ୍ଡେସନ, ନୂଆଦିଲ୍ଲୀ ଏବଂ ଓଡ଼ିଶା ଶାଖା ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଫକୀରମୋହନ କବିତା’ ଶୀର୍ଷକ ଏକ ୱେବିନାର ଏବଂ ତାଙ୍କ ରଚିତ କବିତା ଆବୃତ୍ତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ତଥା ବ୍ୟାସକବିଙ୍କ ଅଣନାତୁଣୀ ମନିକା ଦାସ ଫାଉଣ୍ଡେସନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଫାଉଣ୍ଡେସନ, ଓଡ଼ିଶା ଶାଖାର ମହାନିର୍ଦ୍ଦେଶିକା ହିରଣ୍ମୟୀ ମିଶ୍ର ଏବଂ ମହାସଚିବ ରବୀନ୍ଦ୍ର କୁମାର ଦାସ ଫାଉଣ୍ଡେସନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ କେନ୍ଦ୍ର ସାହିତ୍ୟ ଅକାଦମି, ପୂର୍ବାଞ୍ଚଳୀୟ ପ୍ରୋଗ୍ରାମ ଅଫିସର ଡ. ମିହିର କୁମାର ସାହୁ। ସେ ତାଙ୍କ ଉଦ୍ଘାଟନୀ ଅଭିଭାଷଣରେ ଫକୀରମୋହନ କିଭଳି ସର୍ବଭାରତୀୟସ୍ତରରେ ଜଣେ ଅପ୍ରତିଦ୍ବନ୍ଦ୍ବୀ ଆଧୁନିକ କଥାକାର ତଥା କବି ଥିଲେ ସେ ବିଷୟରେ ସୂଚନା ଦେଇଥିଲେ। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଆଦିକବି ସାରଳା ଦାସ ଚେୟାରର ପ୍ରଫେସର ଉଦୟନାଥ ସାହୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇ ଫକୀରମୋହନଙ୍କ ଜୀବନ କିଭଳି ତାଙ୍କ କବିତାମାନଙ୍କର ଶବ୍ଦ ମଧ୍ୟରେ ବୁଣିହେଇ ପଡ଼ିଛି ସେ ବିଷୟରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଅବସରରେ ଗତ ୧୦ ତାରିଖରେ ଫାଉଣ୍ଡେସନ ତରଫରୁ ଆୟୋଜିତ ‘ଓଡ଼ିଆ ଢଗଢମାଳି ଓ କାନ୍ଦଣା ଗୀତ’ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ଯଶସ୍ବିନୀ ସାହୁ ପ୍ରଥମ, ସ୍ବର୍ଣ୍ଣପ୍ରଭା ଖଟୁଆ ଓ ଲିପ୍ସା ରାଉତ ଦ୍ବିତୀୟ ଏବଂ କିରଣ ବାଳା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଗାଳ୍ପିକ ରବି ପଣ୍ଡା, ଚିରଶ୍ରୀ ଇନ୍ଦ୍ରସିଂ, ଜ୍ଞାନୀ ଦେବାଶିଷ ମିଶ୍ର, ମଧୁସ୍ମିତା, ଯଶସ୍ବିନୀ, ବିକାଶ, ମିଲନ, ବୈଜୟନ୍ତୀ, ମୁନ୍ମୁନ୍, ଚନ୍ଦ୍ରିକା ପ୍ରମୁଖ ଫକୀରମୋହନଙ୍କ ରଚିତ କବିତା ଆବୃତ୍ତି କରିଥିଲେ। ଏହି ଆବୃତ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସଂଘମିତ୍ରା ଭଞ୍ଜ ଏବଂ ହୃଷୀକେଶ ମହାକୁଡ଼।
Follow Us