ଆରଓବି ପକ୍ଷରୁ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଶୀର୍ଷକ ୱେବିନାର୍‌ : ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି

Advertisment
ଆରଓବି ପକ୍ଷରୁ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଶୀର୍ଷକ ୱେବିନାର୍‌ : ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ନେତାଜୀ ଅଭିନନ୍ଦନ, ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡ. ଅଜିତାଭ ସିଂ, ଅଷ୍ଟ୍ରେଲିଆର ସିଡନିଠାରେ କାର୍ଯ୍ୟରତ ଶିକ୍ଷା ଗବେଷକ ଡ. ପ୍ରିୟବ୍ରତଙ୍କ ସମେତ ଆରଓବି ଓ ପିଆଇବି, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ ମାଲବ୍ୟ ଏବଂ ଆରଓବି ନିର୍ଦ୍ଦେଶକ ଅଖିଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ୱେବିନାର୍‌ରେ ନୂତନ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଞ୍ଚଳିକ ଭାଷାରେ ଶିକ୍ଷା, ମାତୃଭାଷାର ଉନ୍ନତି, ରୋଜଗାରଭିତ୍ତିକ ଶିକ୍ଷା ପ୍ରଦାନ ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥି‌ଲେ। ସେ କହିଥିଲେ ଯେ ସମାଜର ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ସମାନ ସୁଯୋଗ ରହିବା ଦରକାର। ଫଳରେ ଶିକ୍ଷାର ବାସ୍ତବିକ ସ୍ୱରୂପକୁ ସମସ୍ତେ ବୁଝିପାରିବେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଲେ ଯେ ଏହି ନୂତନ ଶିକ୍ଷା ନୀତିରେ ଶିକ୍ଷା ଗ୍ରହଣ କରିବାର ନମନୀୟତା, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଆଲୋକପାତ କରାଯାଇଛି। ଏଥିରେ ଘରୋଇ ଓ ସରକାରୀ ମିଳିତ ଉଦ୍ୟମ ଉପରେ ଜୋର ଦିଆଯାଇଛି। ଏହାବ୍ୟତୀତ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ସହିତ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିବାରୁ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇବ।

ସହକାରୀ ପ୍ରାଧ୍ୟାପକ ନେତାଜୀ ଅଭିନନ୍ଦନ କହିଲେ ଯେ ପ୍ରାୟ ୩୪ବର୍ଷ ପରେ ଆମେ ଏକ ନୂତନ ଜାତୀୟ ଶିକ୍ଷା ନୀତିକୁ ଗ୍ରହଣ କରିବାକୁ ଯାଉଛୁ। ଡ. ଅଜିତାଭ ସିଂହ କହିଲେ, ଏହି ଶିକ୍ଷା ନୀତି ଦ୍ୱାରା ଭାରତ ବିଶ୍ୱରେ ଏକ ଜ୍ଞାନଭିତ୍ତିକ ସମାଜ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ। ସିଡ୍‌ନିରେ ଅବସ୍ଥାପିତ ଓଡ଼ିଆ ଶିକ୍ଷା ଗବେଷକ ଡ. ପ୍ରିୟବ୍ରତ କହିଲେ, ନୂତନ ଶିକ୍ଷା ନୀତିରେ କୌଣସି ବିଷୟଗତ କଟକଣା ନାହିଁ। ସ୍ନାତକସ୍ତରର କଳାଛାତ୍ରମାନେ ବିଜ୍ଞାନ ଓ ବାଣିଜ୍ୟ ବିଷୟ ମଧ୍ୟ ପଢ଼ିପାରିବେ ବୋଲି ସେ କହିଥିଲେ।
ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ମାଲବ୍ୟ ସମସ୍ତ ଅତିଥି, ବକ୍ତା ଏବଂ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଥିଲେ ଯେ ନୂତନ ଶିକ୍ଷା ନୀତିରେ ରୁଚି ଅନୁଯାୟୀ ବିଷୟ ବାଛି ପାଠ ପଢ଼ିବାର ବିକଳ୍ପ ରହିଛି। କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭାଗୀୟ ଅଧିକାରୀ, ଶିକ୍ଷାବିତ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe