ଅନ୍‌ଲାଇନ୍‌ରେ ମିଳିବ ବିବାହ ଶୋଭାଯାତ୍ରା ଅନୁମତି

Advertisment

ଆଉ ଦୌଡ଼ିବାକୁ ପଡ଼ିବନି ଥାନାକୁ ଥାନା

ଆଉ ଦୌଡ଼ିବାକୁ ପଡ଼ିବନି ଥାନାକୁ ଥାନା

ଅନ୍‌ଲାଇନ୍‌ରେ ମିଳିବ ବିବାହ ଶୋଭାଯାତ୍ରା ଅନୁମତି

ଭୁବନେଶ୍ୱର : ବିବାହ ଶୋଭାଯାତ୍ରା ଅନୁମତି ପାଇଁ ଏଣିକି ଆଉ ଡିସିପିଙ୍କ କାର୍ଯ୍ୟାଳୟ କିମ୍ବା ଗୋଟିଏ ଥାନାରୁ ଅନ୍ୟ ଥାନାକୁ ଦୌଡ଼ିବାକୁ ପଡ଼ିବନି। ଏଣିକି ଅନ୍‌ଲାଇନ୍‌ରେ ମିଳିବ ଏହି ଅନୁମତି। ଏ ନେଇ କମିସନରେଟ୍‌ ପୁଲିସ ଯୋଜନା କରିଛି। ଖୁବ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଯେଉଁଥିରେ ବିବାହ ଶୋଭାଯାତ୍ରା ପାଇଁ ଅନ୍‌ଲାଇନ୍‌ରେ ଅନୁମତି ପ୍ରଦାନ କରାଯିବା ନେଇ ସ୍ଥିର ହେବ।

ପ୍ରତ୍ୟେକ ବର୍ଷ କମିସନରେଟ ପୁଲିସ ପକ୍ଷରୁ କେବଳ ରାଜଧାନୀରେ ପ୍ରାୟ ୫ ହଜାର ବିବାହ ଶୋଭଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଉଛି। ବର୍ତମାନ ପରିସ୍ଥିତିରେ ବିବାହ ଶୋଭାଯାତ୍ରା ଅନୁମତି ପାଇବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଲାଇସେନ୍ସ ସେଲ୍‌ରୁ ଆବେଦନପତ୍ର ଆଣି ଆବେଦନ କରିବାକୁ ପଡ଼ୁଛି। ଡିସିପିଙ୍କ କାର୍ଯ୍ୟାଳୟରେ ଏହି ଆବେଦନପତ୍ର ଉପରେ ଡିସିପିଙ୍କ ଦସ୍ତଖତ ପରେ ଏହାର ଅନ୍ୟ ଏକ କପିକୁ ନେଇ ଆବେଦନକାରୀ ସ୍ଥାନୀୟ ଥାନା ଓ ଜୋନାଲ ଏସିପି କାର୍ଯ୍ୟାଳୟରେ ଜମା କରିବାକୁ ପଡ଼ୁଛି। ଥାନା ଇନ୍ସପେକ୍ଟର ଓ ଜୋନାଲ ଏସିପି ଅନୁମତି ପ୍ରଦାନ କରିବା ପରେ ଡିସିପିଙ୍କ କାର୍ଯ୍ୟାଳୟରୁ ଶେଷ ଅନୁମତି ମିଳିଥାଏ। ଅର୍ଥାତ ଜଣେ ଆବେଦନକାରୀଙ୍କୁ ଅନୁମତି ପାଇବା ପାଇଁ ଡିସିପି କାର୍ଯ୍ୟାଳୟ, ଥାନା ଓ ଜୋନାଲ ଏସିପିଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିଥାଏ। ଏକାଧିକ ସମୟରେ ବିଭିନ୍ନ କାରଣରୁ ଇନ୍ସପେକ୍ଟର ଓ ଜୋନାଲ ଏସିପିମାନେ ଥାନାରେ ଅନୁପସ୍ଥିତ ରହିଲେ ଜଣେ ଆବେଦନକାରୀଙ୍କୁ ଅନୁମତି ପାଇବା ପାଇଁ ୩ରୁ ୫ ଦିନ ସମୟ ଲାଗି ଯାଇଥାଏ। ଏ ବାବଦରେ ଆବେଦନକାରୀଙ୍କୁ ସମୁଦାୟ ୩ଶହ ଟଙ୍କା ଜମା କରିବାକୁ ପଡ଼ିଥାଏ। ତେବେ ଅନଲାଇନ୍‌ରେ ବିବାହ ଶୋଭାଯାତ୍ରା ପାଇଁ ଅନୁମତି ମିଳିବା ପରେ ଆବେଦନକାରୀଙ୍କ ସମୟ ନଷ୍ଟ ହେବ ନାହିଁ। ଆଉ ଅନ୍‌ ଲାଇନ୍‌ ମାଧ୍ୟମରେ ଆବେଦନକାରୀ ଟଙ୍କା ମଧ୍ୟ ଜମା କରି ପାରିବ। ଏଥିପାଇଁ ଆବେଦନକାରୀକୁ କମିସନରେଟ ପୁଲିସର ୱେବସାଇଟ୍‌କୁ ଯାଇ ଆବେଦନପତ୍ର ପୂରଣ କରିବାକୁ ପଡ଼ିବ। ଅନ୍‌ଲାଇନରେ ଆବେଦନ କଲେ ୨୪ରୁ ୩୦ ଘଣ୍ଟା ମଧ୍ୟରେ ଅନୁମତି ମିଳିବ ପାରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଏ ସମ୍ପର୍କରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ପ୍ରଥମେ ଆବେଦନକାରୀଙ୍କଠାରୁ ଲାଇସେନ୍ସ ଫି’ ବ୍ୟାଙ୍କ ଡ୍ରାଫ୍ଟରେ ଗ୍ରହଣ କରାଯିବ। ଏହା ସଫଳ ହେଲେ ବିବାହ ଶୋଭାଯାତ୍ରା ପାଇଁ ଅନଲାଇନ୍‌ରେ ଅନୁମତି ପ୍ରଦାନ କରାଯିବ। ଏନେଇ ଖୁବ୍‌ ଶୀଘ୍ର ଏକ ବୈଠକ ବସିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe