ଓକାକ୍ ସିଇଓଙ୍କ ହ୍ବାଟ୍‌ସଆପ୍ ହ୍ୟାକ୍ ମାମଲା: ବେଙ୍ଗାଲୁରୁରେ ଧରାପଡ଼ିଲା ସାଇବର ଠକ

Advertisment
ଓକାକ୍ ସିଇଓଙ୍କ ହ୍ବାଟ୍‌ସଆପ୍ ହ୍ୟାକ୍ ମାମଲା: ବେଙ୍ଗାଲୁରୁରେ ଧରାପଡ଼ିଲା ସାଇବର ଠକ

କଟକ: ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ସିଇଓ ମନୋଜ କୁମାର ପଟ୍ଟନାୟକ ଓ ଅନ୍ୟ ଜଣେ ଆଇଏଏସ୍ ଅଫିସରଙ୍କ ହ୍ବାଟସ୍ଆପ୍ ହ୍ୟାକ୍ ମାମଲାରେ ସଂପୃକ୍ତ ଜଣେ ନାଇଜେରୀୟକୁ ବେଙ୍ଗାଲୁରୁରେ ଠାବ କରାଯାଇଛି। ବେଙ୍ଗାଲୁରୁ ବନାସ୍ବାଡିର ମିନାଟ୍ ଫେଡେରାଲ୍ ବ୍ୟାଙ୍କ୍‌ର ଏଟିଏମ୍ କାଉଣ୍ଟର ବାହାରୁ ଧରାପଡ଼ିଥିବା ନାଇଜେରିଆର ଏହି ନାଗରିକ ହେଉଛି ଓକୁଦିରି ପାଶ୍ଚାଲ। ତାକୁ ରିମାଣ୍ଡରେ ଆଣିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପୁଲିସ ଆଜି ସେଠାରେ ପହଞ୍ଚିଛି। କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ୍ ସେଠାରେ ତାକୁ ଜେରା କରିଥିବା ଜଣାପଡ଼ିଛି।

ଗତ ୧ ତାରିଖ‌ରେ ଦିଲ୍ଲୀର ପୂର୍ବତନ ପ୍ରଶାସନିକ ଅଧିକାରୀ ରଙ୍ଗଲାଲ ଜମୁଦାଙ୍କ ହ୍ବାଟ୍‌ସଆପ୍ ହ୍ୟାକ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ନାଇଜେରୀୟ ନାଗରିକକୁ ଦିଲ୍ଲୀ ପୁଲିସ୍ ଗିରଫ କରିଥିଲା। ସେ ହେଉଛି, ଚିମେଲମ୍ ଇମାନୁଏଲ ଅନିଓ୍ବେଟାଲୁ ଓରଫ ମରିସ। ବେଙ୍ଗାଲୁରୁ ଗିରଫ ହୋଇଥିବା ଓକୁଉଦିରି ପାଶ୍ଚାଲ୍ ହେଉଛି ତା’ ସହଯୋଗୀ। ଦିଲ୍ଲୀ ପୁଲିସ୍‌ ପାଶ୍ଚାଲକୁ ଖୋଜୁଥିବାବେଳେ ଏହି ସମୟରେ ଓଡ଼ିଶାରେ ଦୁଇଟି ହ୍ବାଟ୍‌ସଆପ୍ ହ୍ୟାକ୍ ହୋଇଥିଲା। ନଭେମ୍ବର ୪ ତାରିଖରେ ଓକାକ୍‌ର ଜଣେ ଆଇଏଏସ ଅଫିସରଙ୍କ ହ୍ବାଟ୍‌ସ୍‌ଆପ୍‌ ହ୍ୟାକ୍‌ ହୋଇଥିଲା। ପୁଣି ଓକାକ୍‌ ସିଇଓ ତଥା ଇଲୋକ୍ଟ୍ରନିକ୍ସ ଏବଂ ଆଇଟି ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍‌ସଆପ୍ ମଧ୍ୟ ହ୍ୟାକ୍ ହୋଇଥିଲା। ମୋଟ ୭ ଲକ୍ଷ ଟଙ୍କା ଠକେଇ ହୋଇଥିବା ସଂକ୍ରାନ୍ତରେ ଗତ ୧୧ ତାରିଖରେ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା। ଏବଂ ପାଶ୍ଚାଲକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଓାଣ୍ଟେଡ୍ ଘୋଷଣା କରିଥିଲା।

ସୂଚନା ଅନୁସାରେ, ଏହି ସମୟରେ ହ୍ବାଟ୍‌ସଆପ୍ ହ୍ୟାକ୍ ହୋଇଥିବା ଅଭିଯୋଗକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଶ୍ଚାଲ୍ ନିଜ ନିୟନ୍ତ୍ରଣକୁ ନେବା ସହିତ ଉକ୍ତ ଆକାଉଣ୍ଟରୁ ନିଜ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ପଠାଇ ଏଟିଏମ୍ ମାଧ୍ୟମରେ ଉଠାଣ କରୁଥିଲା। ବେଙ୍ଗାଲୁରୁର ବନାସ୍ବାଡି ଅଞ୍ଚଳରେ ଥିବା ମିନାଟ୍ ଫେଡେରାଲ୍ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଣ ହେଉଥିବା ଜଣାପଡ଼ିବା ପରେ ସେଠାରେ ଦିଲ୍ଲୀ ପୁଲିସର ଏକ ଟିମ୍ ଦୁଇଦିନ ହେଲା ଡେରା ପକାଇଥିଲା। ଗତ ୧୬ ତାରିଖରେ ପାଶ୍ଚାଲ୍ ଉକ୍ତ ଏଟିଏମ୍ କାଉଣ୍ଟରକୁ ଆସି ୨୦ ହଜାର ଟଙ୍କା ଉଠାଉଥିବା ସମୟରେ ଦିଲ୍ଲୀ ସାଇବର୍ ସେଲ୍ ଟିମ୍ ତାକୁ କାବୁ କରିଥିଲା।

ପାଶ୍ଚାଲ୍ ନିକଟରୁ ଜବତ ହୋଇଥିବା ୭ଟି ଏଟିଏମ୍ କାର୍ଡ, ୪ଟି ମୋବାଇଲ୍ ଫୋନ୍, ଏକାଧିକ ସିମ୍ କାର୍ଡକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାଶ୍ଚାଲକୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ରିମାଣ୍ଡରେ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ତଥ୍ୟ ପ୍ରମାଣ ଦାଖଲ କରିବ। ଦାଖଲ ପରେ ଭୁବନେଶ୍ବର କୋର୍ଟ ଏ ସଂକ୍ରାନ୍ତରେ ଦିଲ୍ଲୀର ଯେଉଁ କୋର୍ଟରେ ପାଶ୍ଚାଲ୍ ହାଜର ହୋଇଥିଲା, ଉକ୍ତ କୋର୍ଟକୁ ଅବଗତ କରିବେ। ଭୁବନେଶ୍ବର ଓକାକ୍ ସିଇଓଙ୍କ ମାମଲାରେ ପାଶ୍ଚାଲର ସମ୍ପୃକ୍ତି ଥିବାରୁ ତାଙ୍କୁ ପୁଲିସ ରିମାଣ୍ଡ ପାଇଁ ଅବଗତ କରାଯିବ। ଏହାସହିତ ଅଭିଯୁକ୍ତ ଯେଉଁ ଜେଲ୍‌ରେ ଏବେ ରହିଛି, ଉକ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ପ୍ରଡକ୍ସନ ଓାରେଣ୍ଟ ଜାରି କରିବ। ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସକର୍ଟ ଟିମ୍ ଦିଲ୍ଲୀ ପୁଲିସକୁ ଯୋଗାଇବା ପରେ ପାଶ୍ଚାଲ୍ ଓଡ଼ିଶାକୁ ଟ୍ରାନଜିଟ୍ ରିମାଣ୍ଡରେ ଆସି‌େବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe