ଆଇଗିଣିଆ ଶ୍ମଶାନରେ ବିଦ୍ୟୁତ୍‌ ଚୁଲା କେବେ?

Advertisment
ଆଇଗିଣିଆ ଶ୍ମଶାନରେ ବିଦ୍ୟୁତ୍‌ ଚୁଲା କେବେ?

ଭୁବନେଶ୍ବର: ଆଇଗିଣିଆସ୍ଥିତ ଶ୍ମଶାନ ରାଜଧାନୀର ସର୍ବବୃହତ୍‌ ମଶାଣି ହୋଇଥିଲେ ହେଁ ଧୀରେଧୀରେ ଏହା ଜବରଦଖଲକୁ ଚାଲି ଯାଉଛି। ଫଳ‌ରେ ୩ ଏକର ୧୮୧ ଡିସିମିଲ ପରିମିତ ଅଞ୍ଚଳରେ ଥିବା ଶ୍ମଶାନ ସଙ୍କୁଚିତ ହୋଇଗଲାଣି। ଶ୍ମଶାନ ଚତୁଃପାର୍ଶ୍ବରେ ପାଚେରି ନଥିବାରୁ ଜବରଦଖଲ ପାଇଁ ଅନୁକୂଳ ହେଉଛି। ଏଠାରେ ମରଶରୀର ଦାହ କରିବା ପରେ ସ୍ନାନ ପାଇଁ ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କରୋନା ସମୟରେ ଯେତେବେଳେ ସତ୍ୟନଗର ଶ୍ମଶାନରେ ଦୈନିକ ଶବଦାହ ସଂଖ୍ୟା ୩୦ରୁ ଅଧିକ ଅତିକ୍ରମ କଲା, ସେତେବେଳେ କିଛି ସଂଗଠନ ଏହା ବିରୋଧରେ ସ୍ବର ଉଠାଇଲେ। ତେଣୁ ବିଏମ୍‌ସି ପକ୍ଷରୁ ଆଇଗିଣିଆ ଶ୍ମଶାନରେ ସମୂହ ଶବ ଦାହ ନେଇ ପରିକଳ୍ପନା କରାଗଲା। ଏହି ପରିସରରେ ବିଦ୍ୟୁତ୍‌ ଚୁଲା ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା। ‌ମାତ୍ର ତାହା କେବଳ ମାପଚୁପରେ ସୀମିତ ରହିଯାଇଛି।

ସ୍ଥାନୀୟ ବାସିନ୍ଦା ଅନନ୍ତ କୁମାର ଦେ କହିଛନ୍ତି, ରାଜଧାନୀର ପରିସର ବିସ୍ତୃତ ହେଉଥିବା ବେଳେ ବାସିନ୍ଦାଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଏହି ଶ୍ମଶାନ ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିବେଶକୁ ଦୃଷ୍ଟିରେ ରଖି ଅନେକ ବିଦ୍ୟୁତ ଚୁଲାରେ ଶବ ଦାହ କରିବାକୁ ଚାହୁଥିଲେ ହେଁ ଏଥିପାଇଁ ସତ୍ୟନଗର ଶ୍ମଶାନର ବିଦ୍ୟୁତ ଚୁଲା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ହେଲେ ତାହା ମଧ୍ୟ ବର୍ଷକରେ ୬ମାସ ଅଚଳ ହୋଇଯାଏ। ତେଣୁ ଘୋଷଣା ମୁତାବକ, ଶ୍ମଶାନ ମଧ୍ୟରେ ବିଦ୍ୟୁତ ଚୁଲା କରାଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରନ୍ତେ। ବାସିନ୍ଦା ତ୍ରିଲୋଚନ ବିଶ୍ବାଳ କହିଛନ୍ତି, ଆଇଗିଣିଆ ମଶାଣି ନିକଟବର୍ତୀ ଅଞ୍ଚଳମାନଙ୍କରେ ଏମ୍‌ସ ଓ ଆମ୍ରି ଭଳି ବଡ଼ ହସ୍ପିଟାଲ୍‌ ରହିଛି। ଯଦି ବିଏମ୍‌ସି ପକ୍ଷରୁ ଏଠାରେ ବିଦ୍ୟୁତ ଚୁଲାର ବ୍ୟବସ୍ଥା କରାଯାଇପାରନ୍ତା, ତେବେ ଲୋକଙ୍କୁ ଆଉ ସତ୍ୟନଗର ପର୍ଯ୍ୟନ୍ତ ଯିବାକୁ ପଡ଼ନ୍ତା ନାହିଁ। ଯଦିଓ ଏଠାରେ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ଜେଡିସିଙ୍କ ଉପସ୍ଥିତିରେ ମାପଚୁପ କରାଯାଇଥିଲା, କିନ୍ତୁ ଏଯାଏ ‌ଏ ବାବଦରେ ‌ବିଏମ୍‌ସି ଆଗକୁ ବଢ଼ିଲା ନାହିଁ। ଏଣେ ଜବରଦଖଲ ହୋଇଯାଉଥିବାରୁ ଏହାର ଚତୁଃପାର୍ଶ୍ବରେ ପାଚେରି ଘେରାଇ ଏହାର ପରିସରକୁ ସୌନ୍ଦର୍ଯ୍ୟୀକରଣ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe