‘ଶ୍ରୀଲିଙ୍ଗରାଜଙ୍କ ଜମି ପାଇଁ ସ୍ବତନ୍ତ୍ର ଆଇନ କେବେ?’

Advertisment
ମନ୍ଦିର ଜୋତାଷ୍ଟାଣ୍ଡ୍‌ ନିଲାମ କରିବାକୁ ଦାବି: ରସିଦ୍‌ ଦିଆ ଯାଉନଥିବାରୁ ସ୍ବଚ୍ଛାତାକୁ ନେଇ ପ୍ରଶ୍ନ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ ହେଲେ ଉଭୟ ମହାପ୍ରଭୁ ଓ ସରକାରଙ୍କ ରାଜସ୍ବ ବଢ଼ନ୍ତା ବୋଲି କଂଗ୍ରେସ କହିଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦିକା ତଥା ମୁଖପାତ୍ର ରଶ୍ମି ମହାପାତ୍ର କହିଛନ୍ତି, ୨୦୨୨ର ସିଏଜି ରିପୋର୍ଟ ଅନୁଯାୟୀ, ସାରା ଓଡ଼ିଶାରେ ଶ୍ରୀଲିଙ୍ଗରାଜଙ୍କର ୧୫୨୩.୮୭୯ ଏକର ଜମି ଅଛି। ଏଥିରୁ କୌଣସି ଆୟ ହେଉନାହିଁ। ଏଣେ ଜମିର ସ୍ବତ୍ବାଧିକାର ନେଇ ସ୍ପଷ୍ଟତା ନ ଥିବାରୁ ଏକାମ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ହିତାଧିକାରୀ ଜମି ବାବଦକୁ ଟଙ୍କାଟିଏ ପାଇ ନାହାନ୍ତି। କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିଲେ ହେଁ ଏପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ କରାଯାଇନାହିଁ। ଶ୍ରୀଜିଉଙ୍କ ସେବା ପୂଜା କରିବା ପାଇଁ ମନ୍ଦିର ପ୍ରତିଷ୍ଠାତା ରାଜା ମହାରାଜା ଏବଂ ଦାତାମାନେ ମାନସିକ ପୂରଣ ସୂତ୍ରରେ ଏସବୁ ଦାନ କରିଛନ୍ତି। ପୁରୀରେ ଯେଉଁଭଳି ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସେବାୟତମାନଙ୍କ ନାମରେ କରିବା ପାଇଁ ସରକାର ନିୟମ କଲେ, ସେହିପରି ଶ୍ରୀଲିଙ୍ଗରାଜଙ୍କ ସେବାୟତମାନଙ୍କ ଜମିକୁ ତାଙ୍କ ନାମରେ କରିବା ପାଇଁ ତୁରନ୍ତ ନିୟମ କରି ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

publive-image Odisha Bytes

ସେହିଭଳି ଜଳବନ୍ଦୀ ସମସ୍ୟା ନେଇ ମଧ୍ୟ କଂଗ୍ରେସ ଗର୍ଜିଛି। ସରକାର ୨୩ ବର୍ଷ ଧରି ଶାସନ କରୁଥିଲେ ମଧ୍ୟ ରାଜଧାନୀ ଜଳବନ୍ଦୀ ସମସ୍ୟାରେ ଫସି ରହିଛି। ଚଳିତ ବର୍ଷ ମୌସୁମୀ ବର୍ଷାର ପ୍ରଥମ ଦିନରେ ଭୁବନେଶ୍ୱର ଜଳାର୍ଣ୍ଣବ ହୋଇଯାଇଥିଲା। ୨୦୧୪ ମସିହାରେ ବିଏମ୍‌ସିରେ ଏକ ସ୍ୱତନ୍ତ୍ର ଡ୍ରେନେଜ୍‌ ଡିଭିଜନ୍‌ ହେଲା। ୧୦ଟି ବଡ଼ ପ୍ରାକୃତିକ ଡ୍ରେନ ବିଏମ୍‌ସିକୁ ଆସିଲା। ୨୦୧୫ରେ ଉନ୍ନୟନ କମିସନର ଓ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜଳବନ୍ଦୀ ସମସ୍ୟାକୁ ନେଇ ବୈଠକ ହେଲା। ଇସ୍କନଠାରେ ଜମୁଥିବା ପାଣି ସମସ୍ୟାକୁ ନେଇ ଏନ୍‌ଏଚ୍‌ଏଆଇର ଦୋଷ ଦେଇ ସରକାର ଚୁପ ବସିଗଲେ। ୨୦୧୫ରୁ ଏ ପର୍ଯ୍ୟନ୍ତ ୭ଜଣ ଲୋକ ଖୋଲା ଡ୍ରେନ୍‌ରେ ପଡ଼ି ମଲେଣି। ରାଜ୍ୟରେ ଟ୍ରାନସଫରମେସନ ହେଉଛି ବୋଲି କୁହାଯାଉଛି। ସ୍ୱତନ୍ତ୍ର ସଚିବ ବି ଏଥିପାଇଁ ନିଯୁକ୍ତ ହୋଇଛନ୍ତି। କିନ୍ତୁ ରାଜଧାନୀକୁ ଜଳବନ୍ଦୀରୁ ରକ୍ଷା କରାଯାଇପାରୁନାହିଁ। ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ୧୦୦୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କଲେ। ଏ ପର୍ଯ୍ୟନ୍ତ ୭୫୦ କୋଟି ଟଙ୍କା ମହାନଗର ନିଗମକୁ ଦିଆଯାଇଛି। ୭୫୦ କୋଟି ଟଙ୍କା କେମିତି ଖର୍ଚ୍ଚ ହୋଇଛି, ତା’ର ହିସାବ ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର, ଭୁବନେଶ୍ୱର ଉତ୍ତର ବ୍ଲକ ସଭାପତି ଅଶୋକ ଦାସ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe