ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ କେବେ?

Advertisment
ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ କେବେ?

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଲାଗୁ ହେବାକୁ ଥିବା ସ୍ବତନ୍ତ୍ର ଆଇନ ଆସିବାରେ ବିଳମ୍ବ ହେଉଛି। ପ୍ରାୟ ବର୍ଷେ ହେଲା ବହୁ କସରତ ହେବା ପରେ ବି ଫାଇଲ୍ ସେମିତି ଚାପି ହୋଇରହିଛି। କ୍ୟାବିନେଟ୍‌ ଅନୁମୋଦନ ପରେ ଆଇନ ବିଭାଗର ଅନୁମୋଦନ ପାଇଁ ଯାଇଛି ଯେ ଯାଇଛି। ଏଣେ ଏହି ବିଳମ୍ବ ହେବା ମଉକାରେ ମାଫିଆମାନେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲ ଓ ବିକ୍ରି କରିବାରେ ଲାଗିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆସୁନଥିବାରୁ ଦାନ ଓ ନିଲାମ ଟଙ୍କା ହ୍ରାସ ପାଉଛି। ଫଳରେ ଠାକୁରଙ୍କ ପୂଜାର୍ଚ୍ଚନା ପାଇଁ ଆର୍ଥିକ ସ୍ଥିତି ଦୋହଲି ଗଲାଣି। ତେଣୁ ସ୍ବତନ୍ତ୍ର ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଏକାମ୍ର ଜନଜାଗରଣ ମଞ୍ଚ।

ମଞ୍ଚ ପକ୍ଷରୁ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦଶ୍ୟରେ ଦାବିପତ୍ର ଦିଆଯାଇଛି। ମଞ୍ଚ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସା‌ରେ, ସ୍ବତନ୍ତ୍ର ଆଇନ ପ୍ରଣୟନ ପାଇଁ ୨୦୨୦ ଡିସେମ୍ବର ୧୪ରେ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। କ୍ୟାବିନେଟ୍‌ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ଆଇନ ବିଭାଗକୁ ଫାଇଲ୍‌ ପଠାଯାଇଥିଲା। ସେଠାରୁ ଅନୁମୋଦନ ମିଳିଗଲେ, ଏହି ଆଇନ କାର୍ଯ୍ୟକ‌ାରୀ ହେବା କଥା। ମାତ୍ର ଫାଇଲ୍‌ ଦୀର୍ଘ ଦିନ ହେଲା କେନ୍ଦ୍ରକୁ ଯାଇ ପଡ଼ିଛି। ଏହି ନୂଆ ଆଇନ କାର୍ଯ୍ୟକାରୀ ହେଲେ ଲିଙ୍ଗରାଜ ମନ୍ଦିର ନିମନ୍ତେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅକାମି ହୋଇଯିବ। ଏହା ମନ୍ଦିର ସମ୍ପତ୍ତିକୁ ସୁରକ୍ଷା ଯୋଗାଇବ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ମାନସ ରଞ୍ଜନ ପତି, ଦିଲ୍ଲୀପ ସୁବୁଦ୍ଧି, ସୌମ୍ୟରଞ୍ଜନ ପଣ୍ଡା, ନିରାକାର ସାହୁ, ରାଜେଶ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ସୁଲତା ସାହାଣୀ, ସ୍ବପ୍ନାରାଣୀ ସାମଲ, ସଞ୍ଜୁଲତା ପଟ୍ଟନାୟକ, ବିନୋଦିନୀ ସେନାପତି, ମାନସୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe