ଉଦୟଗିରି ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ କେବେ? ଏଏସ୍‌ଆଇର ସର୍ତ୍ତମୂଳକ ଅନୁମତି ପରେ ମଧ୍ୟ ଆରମ୍ଭ ହୋଇ ପାରୁନି ସୋ’

Advertisment

ବର୍ଷେତଳେ ମିଳିଥିଲା ଅନୁମତି

ବର୍ଷେତଳେ ମିଳିଥିଲା ଅନୁମତି

ଉଦୟଗିରି ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ କେବେ? ଏଏସ୍‌ଆଇର ସର୍ତ୍ତମୂଳକ ଅନୁମତି ପରେ ମଧ୍ୟ ଆରମ୍ଭ ହୋଇ ପାରୁନି ସୋ’

ଖଣ୍ଡଗିରି: ୨୦୧୪ ମସିହାରେ ଉଦୟଗିରିରେ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ' ପ୍ରଦର୍ଶନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଲା। ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ (ଓଟିଡିସି) ମଧ୍ୟରେ ବୁଝାମଣା ହୋଇ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର ହେଲା। ଏହା ଭିତରେ ୧୦ ବର୍ଷ ବିତିଯାଇଛି। ସେହି ସମୟରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଅନ୍ୟ ୨ଟି ଐତିହ୍ୟ ସ୍ଥଳ, କୋଣାର୍କ ଓ ଧଉଳିରେ ଲାଇଟ୍ ଆଣ୍ଟ୍‌ ସାଉଣ୍ଟ୍‌ ସୋ' କାର୍ଯ୍ୟକ୍ଷମ ହୋଇ ସାରିଛି। ହେଲେ ଉଦୟଗିରିରେ ତାହା ଏଯାବତ୍ କାର୍ଯ୍ୟକ୍ଷମ ହୋଇ ପାରିଲାନି। ବିଭିନ୍ନ ସମୟରେ ଏଏସ୍ଆଇର ବିନା ଅନୁମତିରେ କୀର୍ତ୍ତିରାଜି ଖୋଳାକୁ ନେଇ ବିବାଦ ଦେଖା ଯିବା ପରେ କାମକୁ ଅଧାରୁ ବନ୍ଦ କରିବାକୁ ପଡ଼ୁଥିଲା‌। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ପରେ ବର୍ଷେ ତଳେ ସୋ' ପାଇଁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ଆଇଟିଡିସିକୁ ଅନୁମତି ପ୍ରଦାନ କରାଯାଇଥିଲା। ଐତିହ୍ୟକୁ ସୁରକ୍ଷା ଦେଇ କିଭଳି ଓ କେଉଁ ପଦ୍ଧତିରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ' କାମ କରିବ, ସେନେଇ ଏଏସ୍ଆଇ ନିର୍ଦେଶନାମା ଜାରି କରିଥିଲା।

ଏଏସ୍‌ଆଇର ୨୨ ଦଫା ସର୍ତ୍ତମୂଳକ ଅନୁମତି ପରେ ପୁଣି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ'ର ଭାଗ୍ୟ ଫିଟିବ ବୋଲି ପର୍ଯ୍ୟଟକ ଆଶା ବାନ୍ଧିଥିଲେ। ତେବେ ସର୍ତ୍ତମୂଳକ ଅନୁମତି ପାଇବାର ବର୍ଷେ ପରେ ମଧ୍ୟ ଆଇଟିଡିସି ପକ୍ଷରୁ ସୋ' କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ବର୍ଷକ ଭିତରେ କେବଳ କିଛି ତାର ଓ ଅଧା ପନ୍ତରିଆ କଣ୍ଟ୍ରୋଲ୍‌ ରୁମ୍ କାମ ହୋଇଛି। ରାଜଧାନୀର ପ୍ରମୁଖ ଆକର୍ଷଣ ପାଲଟିଥିବା ଏହି ଯମଜ ପାହାଡ଼କୁ ଅଣଦେଖା କରାଯାଉଛି ବୋଲି ଏବେ ଅଭିଯୋଗ ହେଲାଣି। ଏ ନେଇ ଆଇଟିଡିସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ସୋ' ପାଇଁ କାମ ଆରମ୍ଭ ହେବାର କିଛି ଦିନ ପରେ ଏଏଏସ୍‌ଆଇ ପକ୍ଷରୁ ଐତିହ୍ୟକୁ କ୍ଷତି ହେବା ଆଶଙ୍କାରେ କାମ ବନ୍ଦ କରାଯାଇଥିଲା। କିଛି ସ୍ଥାନରେ ତାର ବିଛାଇବା ପାଇଁ ଏହାର ଚଟାଣକୁ ଖୋଳିବାକୁ ତଥା କାମ ପାଇଁ କିଛିଦିନ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରିବାକୁ ପଡ଼ିଥାନ୍ତା। ଏଥିପାଇଁ ଏଏସ୍‌ଆଇ ପକ୍ଷରୁ ଅନୁମତି ମିଳି ନଥିଲା। ରାଣୀ ଗୁମ୍ଫା ସମ୍ମୁଖରେ ଥିବା କଣ୍ଟ୍ରୋଲ ପ୍ୟାନେଲ୍‌କୁ ନେଇ ମଧ୍ୟ ସମସ୍ୟା ଥିଲା। ତେଣୁ କାମ ବିଳମ୍ବ ହେବା ସହ ଗତ କାମ ବନ୍ଦ ‌ଅଛି। ହେଲେ ଏବେ ଏଏସ୍‌ଆଇକୁ ନୂତନ ବ୍ଲୁ ପ୍ରିଣ୍ଟ ପ୍ରଦାନ କରାଯାଇଛି। କାମ ଆରମ୍ଭ ହୋଇ ୧୫ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି।

ଉଲ୍ଲେଖନୀୟ ଯେ ବର୍ଷେ ତଳୁ ଏଏସ୍‌ଆଇ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଇଟିଡିସିକୁ ୨୨ ଦଫା ସର୍ତ୍ତମୂଳକ ଅନୁମତି ଦିଆଯାଇଥିଲା। ସର୍ତ୍ତ ଅନୁସାରେ, ସ୍କ୍ରିପ୍ଟ, ଲେ- ଆଉଟ ଓ ପ୍ଲାନ ଅନୁଯାଇ ଲାଇଟ ଆଣ୍ଡ ସାଉଣ୍ଡ ସୋ'କୁ ଆଇଟିଡିସି ପରିଚାଳନା କରିବ। ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ଯେପରି କୌଣସି କ୍ଷତି ନହୁଏ, ସେଥିପ୍ରତି ଗୁରୁତ୍ବ ଦେବ। ସୋ' ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହେବ। ଲାଇଟ, ସାଉଣ୍ଡ ଓ ଭିଜୁଆଲ ମଧ୍ୟରେ ସୁସାମଞ୍ଜସ୍ୟ ରହିବା ସହ ଏହାର କହିବା ଶୈଳୀ, ଉଚ୍ଚାରଣରେ ସ୍ପଷ୍ଟତା ରହିବ। ଏଏସ୍ଆଇ ବିଶେଷଜ୍ଞଙ୍କ ବିନା ଅନୁମତିରେ ସୋ'ର ପୂର୍ବ ନିର୍ଦ୍ଧାରିତ କୌଣସି ବିଷୟବସ୍ତୁକୁ ପରିବର୍ତନ କରାଯାଇ ପାରିବ ନାହିଁ। ଆଇଟିଡିସିକୁ ପ୍ରତିଦିନ ଏହି ସୋ' ଚଳାଇବାକୁ ହେବ। ଦେଶ କିମ୍ବା ରାଜ୍ୟର କୌଣସି ସ୍ବତନ୍ତ୍ର ଦିବସ ଥିଲେ ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ସୋ' ପରିବେଷଣ କରାଯାଇପାରେ। କୀର୍ତ୍ତିରାଜି ଲୁଚିଯାଉଥିବା ଭଳି କୌଣସି ପ୍ରକାରର କାର୍ଯ୍ୟ କରାଯିବ ନାହିଁ। ଏଥିସହ ସୋ'ରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ସିଷ୍ଟମ ଛୋଟ ଓ କମ୍ ଶବ୍ଦଯୁକ୍ତ ହୋଇଥିବ।

କୀର୍ତ୍ତିରାଜିକୁ କ୍ଷତି ଓ ଆଘାତ କରିବା ଭଳି ସାମଗ୍ରୀ ଲାଗିବ ନାହିଁ। ସାମଗ୍ରୀଗୁଡ଼ିକ ଉପଯୁକ୍ତ ଆକାରର ଓ ପରିବେଶ ସହିତ ମେଳ ଖାଉଥିବା ଆବଶ୍ୟକ। କୀର୍ତ୍ତିରାଜିକୁ ଅଧିକ ଆକର୍ଷଣୀୟ କରୁଥିବା ସ୍ଥାନରେ ଲାଇଟ୍‌ ଲଗାଯିବ। ସୋ' ଆରମ୍ଭ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଆଇଟିଡିସି ଏହାର ସ୍ଥାପନ, ରକ୍ଷଣାବେକ୍ଷଣ କାର୍ଯ୍ୟ ସହ ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ବହନ କରିବ। କୀର୍ତିରାଜିକୁ ଖୋଳା ନ ଯାଇ କେବୁଲ ଓ ତାର ବିଛାଯିବ। ବିନା କୌଣସି ବାଧାରେ ସୋ' ଯେପରି ଚାଲିପାରିବ ସେନେଇ ଆଇଟିଡିସି ବିଦ୍ୟୁତ୍ ବ୍ୟାକଅପ୍ ବ୍ୟବସ୍ଥା ରଖିବ।

ସୋ' ପାଇଁ ଉଦ୍ଧିଷ୍ଟ ସ୍ଥାନରେ ବ୍ୟବହୃତ ହେବାକୁ ଥିବା ବେଞ୍ଚ ଓ ଚେୟାର ଯେପରି ଘୁଞ୍ଚିପାରୁଥିବ ଏବଂ କୀର୍ତୀରାଜି ସହ ସମାନତା ରଖୁଥିବ ତାହା ଉପରେ ଗୁରୁତ୍ବ ଦିଆଯିବ। ଅଗ୍ନିକାଣ୍ଡ ଭଳି ଦୁର୍ଘଟଣାକୁ ରୋକିବା ଲାଗି ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖାଯିବା ସହ ଚୋରିକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥା ଆଇଟିଡିସି କରିବ। ଏହାସତ୍ତ୍ବେ ଯଦି କୌଣସି ଅଘଟଣ ଘଟେ, ସେଥିପାଇଁ ଏଏସ୍ଆଇ ଦାୟୀ ରହିବ ନାହିଁ। ଏଥିରେ ଲାଗିବାକୁ ଥିବା ସମସ୍ତ ସାମଗ୍ରୀ ଓ ହେବାକୁ ଥିବା କାମ ଏଏସ୍ଆଇ, ଭୁବନେଶ୍ବରର ପ୍ରତିନିଧିଙ୍କ ପରାମର୍ଶ ଅନୁଯାୟୀ ହେବ। ଏଥିପାଇଁ ଏଏସ୍ଆଇ ଓ ଆଇଟିଡିସି ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯିବ। ମିଳିବାକୁ ଥିବା ରାଜସ୍ବ ଆଇଟିଡିସି ଓ ଏଏସ୍ଆଇ ମଧ୍ୟରେ ୬୦:୪୦ ଅନୁପାତରେ ବଣ୍ଟା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe