ବିଶ୍ବସ୍ତରୀୟ ରେଳଷ୍ଟେସନ କେବେ? ବଢ଼ିବା ବଦଳରେ ଛିଡ଼ୁଛି ଷ୍ଟେସନର ସୌନ୍ଦର୍ଯ୍ୟ

ନୀଳ ନକ୍ସାକୁ ବିତିଲାଣି ୧୩ ବର୍ଷ, ଯାତ୍ରୀଙ୍କୁ ମିଳିପାରୁନି ଅତ୍ୟାଧୁନିକ ସୁବିଧା

ବିଶ୍ବସ୍ତରୀୟ ରେଳଷ୍ଟେସନ କେବେ? ବଢ଼ିବା ବଦଳରେ ଛିଡ଼ୁଛି ଷ୍ଟେସନର ସୌନ୍ଦର୍ଯ୍ୟ

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନ ବିଶ୍ବସ୍ତରୀୟ ହେବ। ରେଳ ଯାତ୍ରୀଙ୍କୁ ବିମାନବନ୍ଦରର ସୁବିଧା ସୁଯୋଗ ମିଳିବ। ୯ ମହଲା କୋଠା କରାଯିବ। ୨୦୦୮-୦୯ ଆର୍ଥିକ ବର୍ଷରୁ ଏଭଳି ନୀଳ ନକ୍ସା ଦେଖାଚାଲିଛି। କେତେବେଳେ କେନ୍ଦ୍ର ତ ଆଉ କେତେବେଳେ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ମାତ୍ର ସଫଳତା ମିଳିପାରିନି। ବର୍ଷ ପରେ ବର୍ଷ ଗଡ଼ିଯାଉଛି। ଜଣଙ୍କ ପରେ ଜଣେ କେନ୍ଦ୍ର ମନ୍ତ୍ରୀ ବଦଳୁଛନ୍ତି। ହେଲେ ବଦଳୁନି ରାଜ୍ୟର ଏହି ପ୍ରମୁଖ ରେଳଷ୍ଟେସନର ଚେହେରା। କେବେ ସୁଦ୍ଧା ଏଠାରେ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ, ସେନେଇ ବି କାହା ପାଖରେ ଉତ୍ତର ନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଷ୍ଟେସନକୁ ମଲ୍ଟିମୋଡାଲ ହବ୍‌ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୧୯ ସେପ୍ଟେମ୍ବର ୧୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଓ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଦୁଇଟି ନୂଆ ପ୍ଲାଟଫର୍ମ ନିର୍ମାଣ କରିଥାନ୍ତେ ଏବଂ ଦୁଇଟି ଅଧିକ ରେଳ ଲାଇନ୍ ବିଛାଇଥାନ୍ତେ। ଏଥିସହ ରେଳ ଷ୍ଟେସନ ଭିତରେ କିଛି ଉନ୍ନତିମୂଳକ କାମ ମଧ୍ୟ କରିଥାନ୍ତେ। ରାଜ୍ୟ ସରକାର ମଲ୍ଟିମୋଡାଲ୍ ହବ୍ ଯୋଜନାରେ ରେଳ ଷ୍ଟେସନ ପାଇଁ ନୂତନ ଟର୍ମିନାଲ ବିଲଡିଂ, ସିଟି ବସ୍ ଟର୍ମିନାଲ, ପବ୍ଲିକ କାର୍ ପାର୍କିଂ ଏବଂ ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ପୁରୁଣା ଷ୍ଟେସନ ବଜାରକୁ ସଂଯୋଗ କରି ରେଳ ପ୍ଲାଟଫର୍ମ ଉପରେ ୨୧ମିଟର ଓସାରର ଏକ କନ୍‌କୋର୍ସ ନିର୍ମାଣ କରିଥାନ୍ତେ। ତେବେ ପ୍ରକଳ୍ପ କାମ ଆରମ୍ଭରେ ବିଳମ୍ବ ହେଉଥିବା ଦର୍ଶାଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏହି ଚୁକ୍ତିରୁ ଓହରି ଯାଇଥିଲେ। ରାଜ୍ୟ ସରକାର ମଧ୍ୟ ଉକ୍ତ ନିଷ୍ପତ୍ତିରେ ସହମତି ପ୍ରକାଶ କରିବା ପରେ ବିଶ୍ବସ୍ତରୀୟ ରେଳ ଷ୍ଟେସନର ସ୍ବପ୍ନ ସାକାର ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା।

ଗତ ଜାନୁଆରିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ କହିଥିଲେ ଯେ ତିନି ମାସ ତଳେ ରାଜ୍ୟ ସରକାର ଆମକୁ ପ୍ରକଳ୍ପ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆଗେଇଛି। ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଳ ଷ୍ଟେସନ ବୁଲି ଦେଖିଯାଇଛନ୍ତି। ଖୁବ୍‌ ଶୀଘ୍ର ଡିଜାଇନ୍ ପ୍ରସ୍ତୁତ ହେବ। ୬ ମାସ ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ। ଇତି ମଧ୍ୟରେ ପ୍ରତିଶ୍ରୁତିକୁ ୫ ମାସ ବିତିବାକୁ ବସିଲାଣି। ପ୍ରକଳ୍ପ ଲାଗି ଇଟା ଖଣ୍ଡେ ପଡ଼ିପାରିନି। ବରଂ ଏବେ କେବଳ ଭଙ୍ଗା ଚାଲିଛି। ଷ୍ଟେସନର ଟିକେଟ୍‌ କାଉଣ୍ଟର ବିଲଡିଂକୁ ଭଙ୍ଗା‌ଯାଇ ମାଟିରେ ମିଶାଇ ଦିଆଯାଇଛି। ଷ୍ଟେସନ ପ୍ରବେଶ ପଥ କଥା ନ କହିବା ଭଲ। ମାସରୁ ଅଧିକ ଦିନ ହେଲା ପ୍ରବେଶ ପଥ ବାଟ ଦେଇ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମୁଖ୍ୟ ପ୍ରବେଶ ପଥର ଡାହାଣ ଓ ବାମ ପାର୍ଶ୍ବ ଦେଇ ଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ଷ୍ଟେସନରୁ ବାହାରିବା ସମୟରେ ‌ଯାତ୍ରୀମାନେ ସାମଗ୍ରୀ ଧରି ବହୁ ବାଟ ଚାଲି ଚାଲି ଯିବାକୁ ପଡ଼ୁଛି। ସମ୍ମୁଖ ଭାଗରେ ଥିବା ଦୁଇଟି ଯାକ ପାର୍କ ଅବସ୍ଥା ବିଗିଡ଼ି ଯାଇଛି। ସୌନ୍ଦର୍ଯ୍ୟୀକରଣ ବୋଲି କିଛି ଦେଖିବାକୁ ମିଳିଛି। କିଛି ଦିନ ହେଲା ଷ୍ଟେସନ ପ୍ରବେଶ ପଥରେ ଏକ ଚକ୍ର ରଖାଯିବା ସହ ଦୁଇ ପାର୍ଶ୍ବରେ ଦୁଇଟି ନର୍ତ୍ତକୀ ରଖାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଶନିବାର ଓଡ଼ିଶା ଗସ୍ତରେ ଆସିବାକୁ ଥିବାରୁ ପ୍ରବେଶ ପଥକୁ ଆଲୋକୀକରଣ କରାଯାଇଛି।

ସୂଚନାଯୋଗ୍ୟ, ବିଶ୍ବସ୍ତରୀୟ ରେଳ ଷ୍ଟେସନର ବିଳମ୍ବତା ନେଇ ୨୦୨୧ ସେପ୍ଟେମ୍ବରରେ ଭୁବନେଶ୍ବର ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ମନ୍ତ୍ରୀ ଓ ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଶ୍ବସ୍ତରୀୟ ରେଳ ଷ୍ଟେସନ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ୯ ମହଲା କୋଠାର ନୀଳ ନକ୍ସା ଆଙ୍କିଥିଲ, ମାତ୍ର ଏପର୍ଯ୍ୟନ୍ତ ଗୋଟିଏ ତାଲା ବି ହେଲାନି। ବରଂ ସୌନ୍ଦର୍ଯ୍ୟୀକରଣକୁ ଭାଙ୍ଗି ଦସ୍ତା ଆଜବେଷ୍ଟସ୍ ଲଗାଇ ଛାଡ଼ି ଦେଇଛ। ଦୁଇ ବର୍ଷ ହେଲା ରାଜଧାନୀବାସୀଙ୍କୁ କାହିଁକି ଯନ୍ତ୍ରଣା ଦିଆଯାଉଛି ବୋଲି ଅତିଥିମାନେ ପ୍ରଶ୍ନ ଉଠାଇଥିଲେ। ଗତ ମାସରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe