ବର୍ଷା ହେଲେ ବୁଡ଼ିବ ରାସ୍ତା: ଡ୍ରେନ୍‌ ସଫା ହୋଇନଥିବାରୁ ପୁରୁଣା ଭୁବନେଶ୍ବରର ସ୍ଥିତି ଏଥର ହେବ ସାଂଘାତିକ

Advertisment
ବର୍ଷା ହେଲେ ବୁଡ଼ିବ ରାସ୍ତା: ଡ୍ରେନ୍‌ ସଫା ହୋଇନଥିବାରୁ ପୁରୁଣା ଭୁବନେଶ୍ବରର ସ୍ଥିତି ଏଥର ହେବ ସାଂଘାତିକ

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆସିବ ମୌସୁମି। ବର୍ଷାଦିନେ ପୁରୁଣା ଭୁବନେଶ୍ବରର ଅନେକ ଅଞ୍ଚଳ ଜଳମଗ୍ନ ହେଉଥିବା ବେଳେ ଡ୍ରେନଗୁଡ଼ିକ ଅଧିକ ସମସ୍ୟା ସୃଷ୍ଟି କରିବ। ସମ୍ପୃକ୍ତ ଅଞ୍ଚଳରେ ଡ୍ରେନଗୁଡ଼ିକ ଏଯାଏ ସଫେଇ ହୋଇନାହିଁ। ଫଳରେ ବର୍ଷା ହେଲେ ବଡ଼ ଧରଣର ସମସ୍ୟା ମୁଣ୍ଡ ଟେକିବ। ସ୍ଥାନୀୟ ଅଞ୍ଚଳର ଡ୍ରେନ୍‌ ସଫେଇ କାମ ଠିକଣା ଭାବେ ନହେଲେ ବର୍ଷା ହେଲେ ରାସ୍ତାରେ ପାଣି ଭାସିବା ସହ ଲୋକେ ଦୁର୍ଦ୍ଦଶା ଭୋଗିବେ। ଆଗକୁ ବର୍ଷାଦିନ ଥିବା ବେଳେ ଡ୍ରେନ୍‌ ଗୁଡ଼ିକରୁ ମାଟି ଓ ପଙ୍କ ସଫା ହେଉନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଯାଇଥିବା ମୁଖ୍ୟ ଡ୍ରେନ୍‌ ନଂ ୭ର ପାର୍ଶ୍ବ କାନ୍ଥ କେଦାରଗୌରୀ ଛକ ନିକଟରେ ଭାଙ୍ଗି ଯାଇଛି।

ଏଥି ସହ ରଥ ଦାଣ୍ଡ ନିକଟରେ ଡ୍ରେନ୍‌ ୭କାମ ଶେଷ ହୋଇପାରିନାହିଁ । ଅଧିକ ବର୍ଷା ହେଲେ ପାର୍ଶ୍ବ ମାଟି ଧୋଇ ମୁଖ୍ୟ ଡ୍ରେନ୍‌ ପାଣି ବାହାରକୁ ଆସିବ। ଯାହା ଫଳରେ ଡ୍ରେନ୍‌ର ମଇଳା ପାଣି ରାସ୍ତାରେ ଭାସିବା ସହ ସମସ୍ୟା ହୋଇ ମୁଣ୍ଡ ଟେକିବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କୁହନ୍ତି। ସେହିପରି ବିଭିନ୍ନ ରାସ୍ତା କଡ଼ରେ ଥିବା ଡ୍ରେନ୍‌ ରାସ୍ତାରୁ ଉଚ୍ଚା ହୋଇଥିବାରୁ ଏଥିରେ ନିୟମିତ ମାଟି ସଫା ନହେଲେ ପାଣି ଜମି ରହିବ। ପଙ୍କ ମାଟି ସଫା ନହେଲେ ଘରେ ପାଣି ପଶିବ ବୋଲି ସେବାୟତ ଶରତ ଚନ୍ଦ୍ର ପଣ୍ଡା କୁହନ୍ତି। ଶ୍ରୀ ପଣ୍ଡାଙ୍କ କହିବା ଅନୁଯାୟୀ, କେବଳ ବର୍ଷା ହେଲେ ରାସ୍ତାରେ ପାଣି ଭାସିବ ତାହା ନୁହେଁ ବର୍ଷା ହେଲେ ଘରେ ପାଣି ପଶିବ।

ବର୍ଷା ଅଧିକ ହେଲେ ପୂର୍ବ ବର୍ଷ ପରି ଗ୍ୟାରେଜ୍‍ ଛକ ନିକଟ ଗୌରୀ ନଗରର ଗୌରୀ ଗାର୍ଡେନ୍‍, କୋଟିତୀର୍ଥ ନିକଟ ପ୍ରଭୁ ଗଳି, ୫୯ନଂ ଵାର୍ଡ ଅନ୍ତର୍ଗତ ଶ୍ରୀରାମନଗର ଛକ ଠାରୁ ଲିଙ୍ଗରାଜ ମନ୍ଦିରକୁ ଯାଇଥିବା ରାସ୍ତା, ନୂଆଗାଁ ରୋଡ୍‍, ବିଜୟ ବିହାର, ଆକାଶ ନଗର, ରୁଦ୍ର ବିହାର, ସାମନ୍ତରାପୁର ଠାରୁ ଗ୍ୟାରେଜ ଛକ, ଭୀମଟାଙ୍ଗୀ ଉପର ଫେଜ୍‍ର ଅଟାକଳ ଗଳି, ତଳ ଫେଜ୍‍ର ପଞ୍ଚମୁଖୀ ହନୁମାନ ମନ୍ଦିର ଗଳି, ପୋଷ୍ଟ ଅଫିସ୍‍ ଗଳି, ବେହେରାସାହି, ଜମେଶ୍ବର ପାଟଣା ସାହି, ଦର୍ଜି ସାହି, ପରକରଣସାହି, ବେହେରାସାହି, ବଣିଆ ସାହି, ପୂଜାପଣ୍ଡାସାହି, ନାରଦସାହି, ସୁଆରସାହି, ଗୋଡ଼ିପୋଖରୀସାହି, ଚେମେଡ଼ିସାହି, ହରଚଣ୍ଡୀସାହି, ଗୋବିନ୍ଦେଶ୍ବର ରୋଡ୍‌, ତଳବଜାର, ହାଟସାହି ଆଦି ଅଞ୍ଚଳର ଅଧିବାସୀ ନାହିଁ ନଥିବା ହଇରାଣ ହେବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe