ସ୍ୱାଭାବିକ ସ୍ଥିତିକୁ ଫେରିଲାଣି ଜନଜୀବନ: ବଣଭୋଜିକୁ ଅନୁମତି କେବେ?

Advertisment

ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ, ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର

ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ, ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର

ସ୍ୱାଭାବିକ ସ୍ଥିତିକୁ ଫେରିଲାଣି ଜନଜୀବନ: ବଣଭୋଜିକୁ ଅନୁମତି କେବେ?

ଭୁବନେଶ୍ୱର : କରୋନା ସଂକ୍ରମଣ ହ୍ରାସ ପାଇଲାଣି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଭା, ସମିତି କରିବାକୁ ଅନୁମତି ମିଳିଲାଣି। ଫେବ୍ରୁଆରି ୨୧ରୁ ବିନା କୋଭିଡ୍‌ ପ୍ରମାଣପତ୍ରରେ ଶ୍ରୀମନ୍ଦିର ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସଂକ୍ରମଣ କମିବାରୁ ପର୍ଯ୍ୟଟନସ୍ଥ‌ଳୀ ଚଳଚଞ୍ଚଳ ହୋଇଉଠିଲାଣି। ମାତ୍ର ଏସ୍‌ଆରସି(ସ୍ବତନ୍ତ୍ର ରିଲିଫ୍‌ କମିସନର)ଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ବଣଭୋଜିକୁ ଅନୁମତି ମିଳୁନି। କରୋନା ବାହାନାରେ ଏପରି କଟକଣା ଯୋଗୁଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ନିରାଶ ହେଉଛନ୍ତି। ରୋଷେଇ ସରଞ୍ଜାମ ଧରି ବଣଭୋଜି ସ୍ଥଳରେ ପହଞ୍ଚିଲା ବେଳକୁ ସେଠାରୁ ତଡ଼ି ଦିଆଯାଉଛି। ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନ ରାଜ୍ୟର ସମସ୍ତ ବଣଭୋଜି ସ୍ଥଳୀରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ସବୁ ସ୍ବାଭାବିକ ଆଡ଼କୁ ମୁହାଁଉଥିବା ବେଳେ ପିକ୍‌ନିକ୍‌ ତଥା ବଣଭୋଜିରେ କାହିଁକି ତାଲା ପକାଯାଇଛି ତାହାକୁ ନେଇ ପର୍ଯ୍ୟଟକମାନେ ପ୍ରଶ୍ନ ଉଠାଇଲେଣି।

publive-image YouTube

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଜଙ୍ଗଲ ବିଭାଗ ଅଧୀନ ସ୍ଥିରୀକୃତ ବଣଭୋଜିସ୍ଥଳୀରେ ପର୍ଯ୍ୟଟକଙ୍କୁ ଅନୁମତି ମିଳୁନାହିଁ। ମାତ୍ର ଅନ୍ୟ ସ୍ଥାନରେ ୨୦ରୁ ୩୦ ଜଣ ଏକାଠି ହୋଇ ବଣଭୋଜି କରିପାରୁଛନ୍ତି। ଏହାଦ୍ବାରା ବଣଭୋଜି କରିବାକୁ ଯାଉଥିବା ପର୍ଯ୍ୟଟକ ଯେ କେବଳ ହଇରାଣ ହେଉଛନ୍ତି ତାହା ନୁହେଁ, ବରଂ ବନ ବିଭାଗ ବି ପ୍ରଚୁର ଅର୍ଥ ହରାଉଛି। ଭୋଜି କରିବାକୁ ଅନୁମତି ଦିଆଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବି କମିବାରେ ଲାଗିଛି। ଉଦାହରଣ ଭାବେ ଭୁବନେଶ୍ବରରେ ଥିବା ଜୟଦେବ ବାଟିକାକୁ ବିଚାରକୁ ନିଆଯାଇପାରେ। ଏଠାରେ ଭୋଜି କରିବାକୁ ଶହେରୁ ଅଧିକ ପିଣ୍ଡି ରହିଥିଲେ ମଧ୍ୟ ତାହା ଏବେ କୌଣସି କାର୍ଯ୍ୟରେ ଲାଗୁ ନାହିଁ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାରେ ବୁଲିବା ସହ ଭୋଜି କରିବାକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି। ମାତ୍ର କର୍ତୃପକ୍ଷ ଅନୁମତି ‌ଦେଉ ନ ଥିବାରୁ ନିରାଶ ହୋଇ ଫେରି ଯାଉଛନ୍ତି। ୧୦ ହଜାର ଲୋକଙ୍କ ଭୋଜି କରିବାକୁ ଏହା ପରିସରରେ ସୁବିଧା ରହିଥିଲେ ମଧ୍ୟ ଏବେ ଜଣେ ବି ଆସୁନାହାନ୍ତି। ଯେଉଁଥିପାଇଁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛି ବନ ବିଭାଗ।

ରାଜଧାନୀ ଉପକଣ୍ଠ ଡେରାସ, ନନ୍ଦନକାନନ ବଟାନିକାଲ ଗାର୍ଡେନ୍‌ରେ ବଣଭୋଜି ପାଇଁ ଅନୁମତି ନ ଥିବାରୁ ପର୍ଯ୍ୟଟକ ନିରାଶ ହେଉଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବୁଲି ଆସୁଥିବା ପର୍ଯ୍ୟଟକ ‌ବଣଭୋଜି କରି ନ ପାରି ନିରାଶ ହେଉଛନ୍ତି। ବଣଭୋଜି ପ୍ରସ୍ତୁତିରେ ଆସୁଥିଲେ ମଧ୍ୟ ସ୍ଥାନ ମିଳୁ ନ ଥିବାରୁ ଏଣେତେଣେ ଭୋଜି କରୁଛନ୍ତି। ପରିବେଶ ନଷ୍ଟ ହେବା ସହ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବିଗୁଡ଼ୁଛି। ରାଜ୍ୟର କିଛି ପର୍ଯ୍ୟଟନସ୍ଥଳୀ ନିକଟରେ ବଣଭୋଜି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏ କ୍ଷେତ୍ରରେ କାହିଁକି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ ଉଠିଛି। ବଣଭୋଜି ପାଇଁ ବିଭାଗ ଅନୁମତି ଦେଇ ନଥିଲେ ମଧ୍ୟ ପର୍ଯ୍ୟଟନସ୍ଥଳୀରେ ପାହାଡ଼ ଚଢ଼ିବା, ଜଙ୍ଗଲ ଟ୍ରେକିଂ, ଜଙ୍ଗଲ ସଫାରି, ବୋଟିଂ, ସାଇକେଲିଂ ଆଦି କରିବାକୁ ଅନୁମତି ଦିଆଯାଇଛି। ମାତ୍ର ବଣଭୋଜି ବେଳକୁ କିଭଳି ଅସୁବିଧା ହେଉଛି, ସେନେଇ କାହା ପାଖରେ ଉତ୍ତର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe