କେବେ ସୁଧୁରିବ ବରମୁଣ୍ଡା ଓଭର୍‌ବ୍ରିଜ ତଳ ରାସ୍ତା?

Advertisment
କେବେ ସୁଧୁରିବ ବରମୁଣ୍ଡା ଓଭର୍‌ବ୍ରିଜ ତଳ ରାସ୍ତା?

ବରମୁଣ୍ଡା: ବରମୁଣ୍ଡା ବସ୍‌ଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ହେଉଛି ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ତଳ ରାସ୍ତା। ବସ୍‌ଷ୍ଟାଣ୍ଡକୁ ଚଳାଚଳ କରୁଥିବା ଯାନବାହାନ ସହ ଏହା ହେଉଛି ବରମୁଣ୍ଡା, ରେଣ୍ଟାଲ୍‌ କଲୋନି, ଜଗନ୍ନାଥବିହାର, ରୁଚିକା ମାର୍କେଟ୍‌ ଆଦି ଅଞ୍ଚଳବାସୀଙ୍କ ନିତିଦିନିଆ ଯାତାୟାତ ରାସ୍ତା। ମାତ୍ର ଦୀର୍ଘ ବର୍ଷ ଧରି ଏହି ଅଂଶଟି ଅବସ୍ଥା ବଡ଼ ଶୋଚନୀୟ ହୋଇରହିଛି। ଏହି ଅଂଶରେ ରାସ୍ତା ସାରା ବଡ଼ବଡ଼ ଖାଲ ରହିଛି। ଠାଏ ଠାଏ ପିଚୁ ଉଠି ରାସ୍ତା ଖଣ୍ଡିଆଖାବରା ହୋଇ ରହିଛି। ମରାମତି ହେଉ ନଥିବାରୁ ଏହି ଅଂଶଟି ମରଣଯନ୍ତା ପାଲଟିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଠାରେ ଟ୍ରାଫିକ୍‌ ଭିଡ଼ ଏକ ସାଧାରଣ ଘଟଣା। ସମୟ ସମୟରେ ଏମିତି ଭିଡ଼ ହୁଏ ଯେ ଲୋକେ ଘଣ୍ଟା ଘଣ୍ଟା ଧରି ଭିତରେ ଫସି ରହନ୍ତି। ମାତ୍ର ପରିତାପର କଥା, ଭିଡ଼ ନିୟନ୍ତ୍ରଣ କରିବାକୁ ଏଠାରେ ନିୟମିତ ଟ୍ରାଫିକ୍‌ ପୁଲିସ ନିୟୋଜିତ ହୁଅନ୍ତି ନାହିଁ। କାଁ ଭାଁ କେତେବେଳେ ଜଣେ ଟ୍ରାଫିକ୍ ପୁଲିସ ଠିଆ ହୁଅନ୍ତି ସିନା ନିୟମିତ କାମ କରିବା ଦେଖାଯାଏ ନାହିଁ। ବିଶେଷକରି ଏହି ଅଂଶରେ ଲୋକେ ଭୁଲ୍‌ ପାର୍ଶ୍ବରେ ଗାଡ଼ି ଚଳାଚଳ(ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ) କରୁଥିବା ଦେଖିବାକୁ ମିଳେ। ତେଣୁ ଅସମ୍ଭାଳ ଭିଡ଼ ହୋଇଥାଏ। ମାତ୍ର ଏହାକୁ ନିୟନ୍ତ୍ରଣ କରିବାକୁ କେହି ନଥାନ୍ତି। ଏବେ ସଡ଼କ ସୁରକ୍ଷା ମାସ ପାଳନ ଚାଲିଛି। ରାଜଧାନୀରେ ଏହି କାର୍ଯ୍ୟକ୍ରମ କଡ଼ାକଡ଼ି ହେବ ବୋଲି କମିସନରେଟ୍‌ ପୁଲିସ ଘୋଷଣା କରିଛି। ମାତ୍ର ଏଠାରେ ଯେଉଁ ଅବସ୍ଥା ଥିଲା, ଏବେ ବି ସେମିତି ରହିଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ କେହି ଟ୍ରାଫିକ୍ ନିୟମ ମାନୁ ନଥିବାରୁ ବହୁ ସମୟରେ ଭୟଙ୍କର ସ୍ଥିତି ଉପୁଜୁଛି। ଏମିତି ଦିନଟିଏ ନାହିଁ, ଯେଉଁ ଦିନ ଦୁର୍ଘଟଣା ନ ହେଉଛି। ଛୋଟମୋଟ ଦୁର୍ଘଟଣା ହେଲେ ବି ଏହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଉଛି। ଗଣ୍ଡଗୋଳ ହେଲେ ଅନ୍ୟମାନେ ଭିଡ଼ରେ ଫସି ନୟାନ୍ତ ହେଉଛନ୍ତି।

ଉକ୍ତ ସମସ୍ୟାକୁ ନେଇ ଗାଡ଼ି ଚାଳକ ସରୋଜ ମହାରଣାଙ୍କ କହିବା କଥା, ରାସ୍ତା ଅବସ୍ଥା ସବୁ ଅନର୍ଥର ମୂଳ କାରଣ। ଟିକିଏ ବର୍ଷା ହେଲେ, କଥା ସରିଲା। ପାଣି ଜମିବା ଯୋଗୁଁ ଖାଲଖମା କିଛି ଦେଖା ଯାଏନି। ଫଳରେ ଗାଡ଼ି ଖାଲରେ ପଡ଼େ ଓ ଦୁର୍ଘଟଣା ଘଟେ। ଏହା ଏଠାରେ ଏକ ସବୁଦିନିଆ ଘଟଣା। ସେହିଭଳି ସେଠାରେ ଦୋକାନ କରିଥିବା ବିଭୂତିଙ୍କ କହିବା କଥା, ସବୁଦିନ ଦୁର୍ଘଟଣା ଘଟୁଛି। ଆହତମାନଙ୍କୁ ଡାକ୍ତରଖାନା ନେବାକୁ ବି ପୁଲିସ୍‌ ନଥା’ନ୍ତି। ଦୋକାନୀମାନେ ଏହି କାମ କରନ୍ତି। ଅନେକ ସମୟରେ ଜାମ୍ ବେଳେ ଟ୍ରାଫିକ୍‌ ପୁଲିସ ନଥା’ନ୍ତି। ରାସ୍ତା ମରାମତି ଓ ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ ହେଲେ ଏମିତି ସମସ୍ୟା ହୁଅନ୍ତା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe