ଭୁବନେଶ୍ବର,: ରାଜଧାନୀରେ ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯାଇଛି। ଅମାନିଆଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଦୁର୍ଘଟଣା ଏଡ଼ାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ଏହି ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଉଛି। କିନ୍ତୁ ରାଜଧାନୀର ବିଭିନ୍ନ ରାସ୍ତାରେ ଥିବା ବଡ଼ ବଡ଼ ଖାଲ ହଟାଇବା ଦିଗରେ ପଦକ୍ଷେପ ନିଆଯାଉନାହିଁ। ସଡ଼କ ଦୁର୍ଘଟଣାର ଅସଲ କାରଣ ଉକ୍ତ ଖାଲ ସବୁ କେବେ ହଟିବ, ସେ ଦିଗରେ କାହାର ନଜର ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ମରାମତି ନ କରି ଲୋକଙ୍କଠାରୁ ଜରିମାନା ଆଦାୟ କରିବା ସରକାରଙ୍କ ଏକପାଖିଆ ନ୍ୟାୟ ବୋଲି ଲୋକେ ସମାଲୋଚନା କରୁଛନ୍ତି। ପଳାସୁଣି ବସ୍ଷ୍ଟାଣ୍ଡରୁ ଚକେଇସିଆଣି, ମଞ୍ଚେଶ୍ବର, ଭୋଟପଡ଼ା, କଳାରାହାଙ୍ଗ ଦେଇ ବାରଙ୍ଗକୁ ସଂଯୋଗ କରିଥିବା ରାସ୍ତାରେ ଏମିତି ବହୁ ବଡ଼ ବଡ଼ ଖାଲ ରହିଛି। ବର୍ଷ ବର୍ଷ ଧରି ମରାମତି ହେଉନଥିବାରୁ ଦିନକୁ ଦିନ ଖାଲଖମା ବଡ଼ ହେବାରେ ଲାଗିଛି।
ଫଳରେ ସେହି ସବୁ ଖାଲରେ ପଡ଼ି ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ରାତିରେ ଏହି ରାସ୍ତା ଅଧିକ ଭୟଙ୍କର ହୋଇପଡ଼ୁଛି। ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସଡ଼କ ଦୁର୍ଘଟଣା ଏହି ରାସ୍ତାରେ ଏକ ନିୟମିତ ଘଟଣା ହୋଇଛି। ସେହିଭଳି ୧୬ ନମ୍ବର ଜାତୀୟ ରାଜପଥକୁ ପଳାସୁଣିଠାରେ ସଂଯୋଗ କରୁଥିବା ଉକ୍ତ ରାସ୍ତାରେ ଠିକ୍ ଛକରେ ହିଁ ରହିଛି ଏକ ବିରାଟ ଗର୍ତ୍ତ। ସ୍ଥାନୀୟ ଦୋକାନୀ ଜଗଦୀଶ ବେହେରାଙ୍କ କହିବାନୁସାରେ ଏହି ଖାଲ ଯୋଗୁଁ ଲୋକମାନେ ଗୋଟିଏ କଡ଼ରେ ଯିବା ଆସିବା କରୁଛନ୍ତି। ଫଳରେ ଏଠାରେ ରାସ୍ତା ଜାମ୍ ଏକ ନିତିଦିନିଆ ସମସ୍ୟା ହୋଇରହିଛି। ରାତିରେ ବସ୍ ଯାତ୍ରୀମାନେ ଏହି ଖାଲରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
Follow Us