କେବେ ହଟିବ ଶ୍ରୀଦେବୀ ଛକର ବିଦ୍ୟୁତ୍ ଖମ୍ବ?

Advertisment
କେବେ ହଟିବ ଶ୍ରୀଦେବୀ ଛକର ବିଦ୍ୟୁତ୍ ଖମ୍ବ?

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼-କଳ୍ପନା ଟକିଜ୍ ରାସ୍ତାରେ ଶ୍ରୀ‌ଦେବୀ ଛକ ମଝିରେ ଠିଆ ହୋଇଛି ଏକ ବିଦ୍ୟୁତ୍ ଖମ୍ବ। ଭୟଙ୍କର ଭାବେ ଛକ ମଝିରେ ଥିବା ଏହି ବିଦ୍ୟୁତ୍ ଖମ୍ବଟି ବହୁ ଦୁର୍ଘଟଣାର କାରଣ ପାଲଟିଛି। ରାତି ହେଲେ ଏହି ଖମ୍ବ ପାଇଁ ଅଧିକ ବିପଜ୍ଜନକ ହୋଇ ପଡ଼ୁଛି ଶ୍ରୀଦେବୀ ଛକ। କିନ୍ତୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବି ଖମ୍ବକୁ ସ୍ଥାନାନ୍ତର କରାଯାଉନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ଖମ୍ବ ହଟାଇବାକୁ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କାମ ହେଉନଥିବାରୁ ଲୋକେ ଆନ୍ଦୋଳନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

କଳ୍ପନା ଛକରୁ ବଡ଼ଗଡ଼ ଗ୍ରାମକୁ ଯିବା ରାସ୍ତାରେ ରହିଛି ଶ୍ରୀଦେବୀ ଛକ। ଏଠାରୁ ଡାହାଣ ପାର୍ଶ୍ବକୁ ଲମ୍ବିଛି ବିଜେବି ନଗରକୁ ଯିବାକୁ ରାସ୍ତା। ବିଜେବି ନଗର ଭିତରେ ରହିଛି ବିଜେବି କଲେଜ, ଟଙ୍କପାଣି ରୋଡ୍‌, ଲୁଇସ୍‌ ରୋଡ୍‌ ଓ କୋର୍ଟକୁ ପଡ଼ିଥିବା ରାସ୍ତା। ତେଣୁ ସବୁବେଳେ ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଯାନବାହାନ ଚଳାଚଳ କରୁଛି। ଅର୍ଥାତ୍ ଏହି ଛକରେ ଦିନର ସବୁ ସମୟରେ ଭିଡ଼ ହୁଏ। ତେବେ ଶ୍ରୀଦେବୀ ଛକରୁ ବିଜେବି ନଗରକୁ ପ୍ରବେଶ ପଥରେ ରାସ୍ତା ଉପରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ। ଛକରେ ଭିଡ଼ ଓ ଏହି ଖୁଣ୍ଟ ଯୋଗୁଁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାତି ହେଲେ ସମସ୍ୟା ଅଧିକ। ବିଶେଷକରି ଏହି ରାସ୍ତା ପାଇଁ କୌଣସି ନୂଆ ଲୋକ ନିଶ୍ଚୟ ଏହି ବିଦ୍ୟୁତ୍ ଖମ୍ବରେ ପିଟି ହେବା ସାର ହେଉଛି। ଗୋଟିଏ ପଟେ ବିଦ୍ୟୁତ୍‌ ଖୁଣ୍ଟ ରହିଥିବା ବେଳେ ଏବେ ସେହି ରାସ୍ତାର ଅପରପାର୍ଶ୍ବରେ ଡ୍ରେନ୍‌ ତିଆରି ଚାଲିଛି। ତେଣୁ ସମସ୍ୟା ବହୁଗୁଣିତ ହୋଇପଡ଼ିଛି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ରସୁଲଗଡ଼ ଏସ୍‌ଡିଓ ପ୍ରଭାତ କୁମାର ପରିଡ଼ାଙ୍କ ସହ ଯୋଗାଯୋଗ କରିବା ପରେ ଖମ୍ବ ସ୍ଥାନାନ୍ତର ପାଇଁ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ମିଳିଛି ଓ ଖମ୍ବ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe