ରାଜଧାନୀରୁ କେବେ ହଟିବ ଓଭର ହେଡ୍ କେବୁଲ?

Advertisment

୧୨ ସଂସ୍ଥା ନେଇଛନ୍ତି ସଂଯୋଗ, କଟା ହେଲାଣି ୨ ଟ୍ରକ୍‌ ତାର

୧୨ ସଂସ୍ଥା ନେଇଛନ୍ତି ସଂଯୋଗ, କଟା ହେଲାଣି ୨ ଟ୍ରକ୍‌ ତାର

ରାଜଧାନୀରୁ କେବେ ହଟିବ ଓଭର ହେଡ୍ କେବୁଲ?

ଭୁବନେଶ୍ୱର : ମୁଣ୍ଡ ଉପରେ ରହିବନି ତାର। ବିଦ୍ୟୁତ୍ ହେଉ କି ଟେଲିଫୋନ୍‌, ଟିଭି ହେଉ କି ଇଣ୍ଟରନେଟ୍‌, ସବୁ ତାର ମାଟି ତଳେ ଯିବ। ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ମାଟି ତଳେ ୬୮୦ କିଲୋମିଟର ତାର ବିଛାଇଛି। ଗତ ବର୍ଷ ଜୁନ୍ ମାସରୁ ଡିସେମ୍ବର ମାସ ମଧ୍ୟରେ ଏହାକୁ ଏକ ମିସନ୍ ମୋଡ୍‌ରେ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ଚଳିତ ବର୍ଷ ଜାନୁଆରି ମାସ ଶେଷ ସୁଦ୍ଧା କାମ ସାରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ରାଜଧାନୀ ସାରା ମୁଣ୍ଡ ଉପରେ ତାର ଝୁଲୁଛି। ରାଜଧାନୀ ସାରା ଯାଇଥିବା ଓଭରହେଡ୍ କେବୁଲ ସାମାନ୍ୟ ବର୍ଷା ପବନରେ ଛିଣ଼୍ଡି ଦୁର୍ଘଟଣାର କାରଣ ସାଜୁଛି। ତାର ଛିଣ୍ଡିଗଲେ ବିଭିନ୍ନ ସେବା ବାଧାପ୍ରାପ୍ତ ହେଉଛି। ଫଳ ଭୋଗୁଛନ୍ତି ରାଜଧାନୀବାସୀ। କେବେ ହଟିବ ଏହି ଓଭରହେଡ୍‌ କେବୁଲ? କେବେ ମିଳିବ ନିରବଚ୍ଛିନ୍ନ ସେବା? ସେ ନେଇ ପ୍ରଶ୍ନ ଉଠିଛି।

ରାଜଧାନୀବାସୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ଦେବା ପାଇଁ ବିଏସ୍‌ସିଏଲ୍ ୧୫୧ କୋଟି ଟଙ୍କା ଖର୍ଚ୍ଚ କରି ରାଜଧାନୀରେ ୬୮୦ କିମିର ଭୂତଳ କେବୁଲ୍ ବିଛାଇଛି। ସେଥିରୁ ୪୪୦ କିଲୋମିଟର କମିସନିଂ ସଫଳତାର ସହ ଶେଷ ହେବା ପରେ ସଂଯୋଗ ଦିଆ ଆରମ୍ଭ ହୋଇଛି। ସେଥିରୁ ୧୪୦ କୋର୍ ଫାଇବର ବା ୭୨ ପେୟାର କେବୁଲ୍ ରହିଛି। ସିସିଟିଭି, ଟ୍ରାଫିକ୍ ନିୟନ୍ତ୍ରଣ, ଇଣ୍ଟରନେଟ୍ ଭଳି ସେବା ପାଇଁ ବିଏସ୍‌ସିଏଲ୍ ୧୨ ପେୟାର କେବୁଲ୍ ନିଜ ବ୍ୟବହାର ପାଇଁ ରଖିଥିବା ବେଳେ ବାକି ୬୦ ପେୟାର କେବୁଲ୍ ଟେଲିଗ୍ରାଫ୍ ଆକ୍ଟ-୧୮୮୫ରେ ଆସୁଥିବା ସମସ୍ତ ଘରୋଇ ସଂସ୍ଥାକୁ ଲିଜ୍ ସୁତ୍ରରେ ଦିଆଯିବ ନେଇ ଯୋଜନା ରଖିଛି। ଏହାଦ୍ବାରା ସ୍ମାର୍ଟସିଟିର ୩ଲକ୍ଷ ୭୫ହଜାର ଉପଭୋକ୍ତା ଓ ୧ଲକ୍ଷ କର୍ପୋରେଟ୍‌କୁ ମିଶାଇ ମୋଟ୍ ୪ଲକ୍ଷ ୭୫ହଜାର ଉପଭୋକ୍ତା ଉପକୃତ ହେବେ। ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ବା ତୁରନ୍ତ ମରାମତି ପାଇଁ ପ୍ରତି ୫୦ରୁ ୧୦୦ମିଟର ମଧ୍ୟରେ ଗୋଟିଏ ହ୍ୟାଣ୍ଡହୋଲ୍ ଓ ପ୍ରତି ୩ଶହ ମିଟର ବ୍ୟବଧାନରେ ଗୋଟିଏ ମ୍ୟାନହୋଲ୍ ରଖାଯାଇଛି। ଫଳରେ ଶୀଘ୍ର ଯାନ୍ତ୍ରିକ ତ୍ରୁଟିକୁ ଚିହ୍ନଟ କରାଯାଇ ସହଜରେ ସମାଧାନ କରାଯାଇପାରିବ। ଏହାକୁ ଗତବର୍ଷ ଜୁନ୍‌ରୁ ଡିସେମ୍ବର ମଧ୍ୟରେ କମିସନିଂ କରାଯାଇ ପ୍ରୋଜେକ୍ଟ ଶେଷ ହୋଇଥିଲା।

publive-image

ସୂଚନା ଅନୁଯାୟୀ, ବିଏସ୍‌ସିଏଲ୍ ପକ୍ଷରୁ ଭୂତଳ କେବୁଲ ବ୍ୟବହାରକୁ ମିସନ ମୋଡ୍‌ରେ ନିଆଯାଇଛି। ଭୂତଳ ଅପ୍‌ଟିକାଲ୍‌ ଫାଇବରକୁ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ, ଟିଭି ଓ ଲ୍ୟାଣ୍ଡଲାଇନ ଭଳି ସେବା ଯୋଗାଉଥିବା ସଂସ୍ଥାକୁ ଭଡ଼ା ସୂତ୍ରରେ ଦିଆଯାଉଛି। ଏଣୁ ଏଭଳି ସେବା ଯୋଗାଉଥିବା ସଂସ୍ଥାମାନଙ୍କୁ ଓଭରହେଡ୍ କେବୁଲ୍ ହଟାଇ ବିଏସ୍‌ସିଏଲ୍‌ ଭୂତଳ ତାର ଭଡ଼ାରେ ନେବାକୁ କୁହାଯାଇଛି। ଯେଉଁମାନେ ଏହାକୁ ମାନୁ ନାହାନ୍ତି ସେମାନଙ୍କର କେବୁଲ୍‌ ମୁଣ୍ଡ ଉପରୁ କାଟି ଦିଆଯାଉଛି। ଓଭରହେଡ୍ କେବୁଲ ହଟାଇବା ପାଇଁ ଗୋଟିଏ ଟିମ୍ ଗଠନ କରାଯାଇ ଏହାର କାର୍ଯ୍ୟକୁ ଜାନୁଆରି ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କେବଳ ସ୍ମାର୍ଟଜନପଥକୁ ପ୍ରାଥମିକତା ଭିତ୍ତିରେ ନିଆଯାଇଥିଲା। ମୁଣ୍ଡ ଉପରେ ବେଆଇନ ଭାବରେ ଯାଇଥିବା ପ୍ରାୟ ଦୁଇ ଟ୍ରକ୍‌ ତାର କାଟି ଦିଆଯାଇଥିଲା। ସ୍ବତନ୍ତ୍ର ଟିମ୍‌ ଘୂରିବୁଲି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ସ୍ମାର୍ଟ ଜନପଥରେ ଆଉ କିଛି ତାର ରହିଛି। ସେଗୁଡ଼ିକ କଟାଯିବାକୁ ଯୋଜନା ରହିଛି। ତେବେ କିଛି ସଂସ୍ଥା ପୂର୍ବରୁ ମାଟି ତଳେ ତାର ନେଇ ସେବା ଯୋଗାଉଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ତେବେ ଆଗକୁ ଏମାନଙ୍କୁ ମାଟି ଖୋଳିବା ପାଇଁ ସ୍ବୀକୃତି ଦିଆଯିବ ନାହିଁ। ଏଣୁ ମାଟି ତଳେ କିଛି ଖରାପ ହେଲେ ସେମାନେ ବାଧ୍ୟ ହୋଇ ବିଏସ୍‌ସିଏଲ୍‌ ଠାରୁ ସଂଯୋଗ ନେବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଟାଟା କମ୍ୟୁନିକେସନ, ବିଏସ୍‌ଏନ୍‌ଏଲ୍‌, ସ୍ମାର୍ଟଲିଙ୍କ୍‌, ସିଟି, ଡବ୍ଲ୍ୟୁଇଏଫ୍‌ଇ, ଜେଟ୍‌ସ୍ପଟ୍‌, ହାଥ୍‌ୱେ, ଶିବଶକ୍ତି, ରିସ୍‌ନେଟ୍‌, ଜିଟିପିଏଲ୍‌ ଓ ଟେଲିସୋନିକ୍‌ ନେଟ୍‌ୱର୍କ ସଂଯୋଗ ନେଇ ସାରିଥିବା ବେଳ‌େ ଆଉ ଦୁଇ ସଂସ୍ଥାଙ୍କ ଆବେଦନ ବିଚାରାଧୀନ ରହିଥିବା ସୂଚନା ଦେଇଛି ବିଏସ୍‌ସିଏଲ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe