ମଧ୍ୟ ଓ ଉତ୍ତର ପାଇଁ ନେତାଙ୍କ ଛାତି ଧଡ଼ଧଡ଼

ମଧ୍ୟ ଓ ଉତ୍ତର ପାଇଁ ନେତାଙ୍କ ଛାତି ଧଡ଼ଧଡ଼

Political Leader

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବର ଲୋକସଭା ଆସନରେ ଭୋଟ୍‌ ହେବ। ଆଜିଠାରୁ ନାମାଙ୍କନପତ୍ର ଦାଖଲ ବି ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି। ହେଲେ ସମସ୍ତଙ୍କ ନଜର ଭୁବନେଶ୍ବରର ଦୁଇ ନିର୍ବାଚନ ମଣ୍ଡଳୀ ଉପରେ ଅଛି। ତିନିଟି ଯାକ ଦଳ ଭୁବନେଶ୍ବର ଏକାମ୍ର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ବିଜେପି ଭୁବନେଶ୍ବର ମଧ୍ୟ ପାଇଁ ବି ପ୍ରାର୍ଥୀ ଘୋଷଣା କରିଦେଇଛି। କିନ୍ତୁ କେହି ଭୁବନେଶ୍ବର ଉତ୍ତର ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେଣୁ ଭୁବନେଶ୍ବର ମଧ୍ୟ ଓ ଉତ୍ତରରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଇଛି।ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବାର ଅବଧି ଥିବାରୁ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଭୁବନେଶ୍ବରର ବାକି ଦୁଇ ଆସନର ଚିତ୍ର ସ୍ପଷ୍ଟ ହେବା ସମ୍ଭାବନା ଅଛି। ତେଣୁ ଦୀର୍ଘ ଦିନ ହେଲା ସଂଗଠନ କରି ବିଧାୟକ ଟିକେଟ୍ ହାତେଇବାକୁ ଥିବା ନେତାଙ୍କ ଛାତି ଏବେ ଧଡ଼ଧଡ଼ ହେଲାଣି। ଟିକେଟ୍‌ କଟିଯିବନି ତ ଡର ଏବେ ଭୁବନେଶ୍ବରର ଦୁଇ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଘାରିଲାଣି।

ଭୁବନେଶ୍ବର ମଧ୍ୟ ଓ ଉତ୍ତର ଆସନକୁ ନେଇ ବିଜେଡି ଏବେ ଦ୍ବନ୍ଦ୍ବରେ ଥିବାରୁ ଏହି ଦୁଇ ଆସନରେ ପ୍ରାର୍ଥୀ ଘୋଷଣା ହୋଇନି। ଦିନ ଯେତେ ଗଡ଼ୁଛି ପ୍ରାର୍ଥୀ ସଂଖ୍ୟା ବି ସେତେ ବଢ଼ୁଛି। ବିଜେଡି ଟିକେଟକୁ ନେଇ ଦ୍ବନ୍ଦ୍ବ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ଏବେ ସେମାନଙ୍କ ବଳ ଦେଖାଇବା ଆରମ୍ଭ କରିଛନ୍ତି। କାହା ସପକ୍ଷରେ କେତେ କର୍ପୋରେଟର ଅଛନ୍ତି ତାହା ଏବେ ଦେଖାଉଛନ୍ତି। ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଭୁ‌ବନେଶ୍ବର ମଧ୍ୟ କିମ୍ବା ଉତ୍ତରରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ହେଲେ ତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ମଧ୍ୟରେ ଦ୍ବନ୍ଦ୍ବ ଥିବାରୁ ଦଳ କିଛି ନିଷ୍ପତ୍ତି ନେଇପାରୁନି। କିନ୍ତୁ ଟିକେଟ୍‌ ହାତେଇବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ଅନନ୍ତ ତାଙ୍କ ସପକ୍ଷରେ ବିଏମ୍‌ସିର ପ୍ରାୟ ୪୦ଜଣ ପୂର୍ବତନ କର୍ପୋରେଟରଙ୍କ ସମର୍ଥନ ଅଛି ବୋଲି ଜଣାଇ ସାରିଲେଣି। ଅନନ୍ତଙ୍କୁ ଯଦି ଟିକେଟ୍‌ ନମିଳେ ତେବେ ସେ ବିଜେଡି ପ୍ରାର୍ଥୀଙ୍କୁ ବି ଅକଳରେ ପକାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନନ୍ତଙ୍କୁ ଅସନ୍ତୁଷ୍ଟ କଲେ ସେ ବିଜେପିକୁ ଡେଇଁବାର ଆଶଙ୍କା ଥିବାରୁ ଦଳ ରିସ୍କ ନେବାକୁ ଚାହୁଁନି।

ଏପଟେ ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତି ବି ଭୁବନେଶ୍ବର ମଧ୍ୟ ଅନ୍ତର୍ଗତ ୨୦ଜଣ କର୍ପୋରେଟରଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବସିଥିବା ଏକ ବୈଠକରେ ବିଜୟ କର୍ପୋରେଟରଙ୍କ ସହ ଆଲୋଚନା କରିବା ପରେ ଆଜି ଦଳର କୋର୍‌ କମିଟି ସଦସ୍ୟଙ୍କ ନିକଟରେ ତାଙ୍କୁ ଟିକେଟ୍‌ ଦେବା ପାଇଁ ଦାବି କରିଛନ୍ତି। ଭୁବନେଶ୍ବର ଉତ୍ତର ବିଧାୟକ ଥିବା ପ୍ରିୟଦର୍ଶୀ ମିଶ୍ର ବି ତାଙ୍କ ଟିକେଟ୍ ଯେପରି ନ କଟେ ସେଥିପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ସମର୍ଥନରେ ଥିବା ପୂର୍ବତନ କର୍ପୋରେଟର, ବିଭିନ୍ନ ପଞ୍ଚାୟତର ନେତାଙ୍କୁ ବି ଏକାଠି କରିଛନ୍ତି। ଏପଟେ ଅନନ୍ତ କିମ୍ବା ପ୍ରିୟ ଯଦି କେହି ବିଜେଡି ଛାଡ଼ୁଛନ୍ତି, ତେବେ ତାଙ୍କୁ ବିଜେପି କେ‌ାଳେଇ ନେବାର ସମ୍ଭାବନା ଥିବାରୁ ବିଜେଡି ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି। ତେଣୁ ଉଭୟଙ୍କୁ ସନ୍ତୁଷ୍ଟ କରିବା ଏବଂ ଦଳକୁ କ୍ଷତି ନହେବା ଭଳି ପଦକ୍ଷେପ ନେବାକୁ ବିଜେଡି ଯୋଜନା କରିଛି। ବିଜେଡିର ପ୍ରା‌ର୍ଥୀ ଘୋଷଣା ପରେ ହିଁ ବିଜେପି ଭୁବନେଶ୍ବର ଉତ୍ତର ପାଇଁ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ ଦିନେ ଦୁଇ ଦିନ ଭିତରେ ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି।

ଆଜି ପ୍ରାର୍ଥିପତ୍ର ଦାଖଲ କରି‌େବ ସୁର, ରଶ୍ମି
ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ସିପିଆଇ (ଏମ୍‌ଏଲ୍‌)ର ଭୁବନେଶ୍ବର ଉତ୍ତର ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ବାରିକ ଭୁବନେଶ୍ବର ଏଡିଏମ୍‌ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପଟେ ଭୁବନେଶ୍ବର ଏକାମ୍ରର କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ଏବଂ ଜଟଣୀର କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଚଳିତବର୍ଷ ଭୁବନେଶ୍ବର ମଧ୍ୟ ଓ ଉତ୍ତରର ପ୍ରାର୍ଥୀ ଏଡିଏମ୍‌ ଅଫିସରେ ଏବଂ ଭୁବନେଶ୍ବର ଏକାମ୍ର, ଜୟଦେବ ଓ ଜଟଣୀର ପ୍ରାର୍ଥୀ ଭୁବନେଶ୍ବର ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe