କିଏ ହା‌ତେଇବ ସାଲିଆସାହି?

ପ୍ରସଙ୍ଗ ୨୦୦ ଫୁଟିଆ ରାସ୍ତା, ଦ୍ବନ୍ଦ୍ବରେ ପୂର୍ବତନ ଡେପୁଟି ମେୟର

କିଏ ହା‌ତେଇବ ସାଲିଆସାହି?

ଚନ୍ଦ୍ରଶେଖରପୁର: ଗୋଟିଏ ବସ୍ତି; ୪ଟି ୱାର୍ଡ, ୩୫ ହଜାର ୬୦୧ ଭୋଟର୍‌। କିଏ ହାତେଇବ? ୨୦୧୪ ପରି ବିଜେଡି ନିଜ ପାଖରେ ରଖିବ ନା ଛଡ଼ାଇ ନେବ ବିଜେପି। ପୌର ନିର୍ବାଚନ ଲାଗି ବିଗୁଲ୍‌ ବାଜିବା ପରେ ଓଡ଼ିଶାର ସବୁଠାରୁ ବଡ଼ ବସ୍ତି ଭାବେ ପରିଚିତ ସାଲିଆସାହିକୁ ନେଇ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଆଶାୟୀଙ୍କ ସଂଖ୍ୟା ବି କିଛି କମ୍‌ ନାହିଁ। ଉଭୟ ବିଜେଡି ଓ ବିଜେପିରୁ ଏଠାରେ ଲଢ଼ିବା ଲାଗି ମାଳମାଳ ଆଶାୟୀ ବାହାରିଲେଣି। ପୂର୍ବତନ କର୍ପୋରେଟର୍‌ମାନେ ମଧ୍ୟ ପୁଣିଥରେ ବିଜେଡି ଟିକେଟ୍‌ ଆଶାରେ ରହିଛନ୍ତି।

ଏହି ବସ୍ତି ପାଇଁ ବଡ଼ ସମସ୍ୟା ହେଉଛି, ୨୦୦ ଫୁଟିଆ ନୂଆ ରାସ୍ତା। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବା ଲାଗି ବାମ ପାର୍ଶ୍ବରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଏହା ସାଲିଆସାହି ମଧ୍ୟ ଦେଇ ଏକାମ୍ରକାନନ ନିକଟରେ ବାହାରିବ। ୬ ବର୍ଷ ହେଲା ପ୍ରଶାସନ ଯେତେ ଚାପ ପକାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବସ୍ତି ଭିତରେ ରାସ୍ତା ପଶି ପାରିନାହିଁ। ପ୍ରଥମେ ଥଇଥାନ, ତା’ପରେ ରାସ୍ତା ନିର୍ମାଣ ଜିଦ୍‌ରେ ଅଟଳ ବସ୍ତିବାସିନ୍ଦା। କୌଣସି ବି ପରିସ୍ଥିତିରେ କାଣିଚା‌ଏ ଜମି ଦିଆଯିବ ନାହିଁ ବୋଲି ଅଡ଼ି ବସିଛନ୍ତି। ଆଗାମୀ ବିଏମ୍‌ସି ନିର୍ବାଚନରେ ଏହା ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି। ଶାସକ ଦଳ କି’ ପ୍ରତିଶ୍ରୁତି ଦେଇ ବସ୍ତିବାସିନ୍ଦାଙ୍କ ହୃଦୟ ଜିଣିବ, ତାହା ଉପରେ ରାଜନୈତିକ ପଣ୍ଡିତଙ୍କ ନଜର।

୧୬, ୨୦, ୨୧ ଓ ୨୬ ନମ୍ବର ୱାର୍ଡରେ ଆସୁଥିବା ଏହି ବସ୍ତିର ବାସିନ୍ଦାମାନେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୌଳିକ ସୁବିଧା ପାଇ ପାରିନାହାନ୍ତି। ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ବର୍ଷା ଦିନେ ଲୋକେ ହଇରାଣ ହେଉଛନ୍ତି। ଅସରାଏ ବର୍ଷାରେ ତଳିଆ ଅଞ୍ଚଳ, ବିଶେଷକରି ୨୬ନମ୍ବର ୱାର୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି। ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା ଭୁଶୁଡ଼ି ଯାଇଛି, ଯେଉଁଥିପାଇଁ ୨୦୧୭ରେ ଡେଙ୍ଗୁ ବ୍ୟାପିଥିଲା। ଶତାଧିକ ଲୋକ ଆକ୍ରାନ୍ତ ହେବା ସହ ଦୁଇଜଣଙ୍କ ମୁଣ୍ଡ ଗଡ଼ିଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ସେହିପରି ବସ୍ତିରେ ସମ୍ପୂର୍ଣ୍ଣ ଆଲୋକୀକରଣ ହୋଇପାରିନାହିଁ।

୨୦୧୪ ବିଏମ୍‌ସି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ମାତ୍‌ ଦେଇ ୪ଟି ଯାକ ୱାର୍ଡ ବିଜେଡି ଅକ୍ତିଆର କରିଥିଲା। ଇତିମଧ୍ୟରେ ୮ ବର୍ଷ ବିତିଯାଇଛି। ରାଜନୈତିକ ଦୃଶ୍ୟପଟ୍ଟରେ ବି ବ୍ୟାପକ ପରିବର୍ତ୍ତନ ହୋଇଛି। ବିଜେଡିର ଗଡ଼ ଭାବେ ପରିଚିତ ଏହି ବସ୍ତିରେ ବିଜେପି ସଙ୍ଗଠିତ ହେଉଛି। ବସ୍ତିରେ ଦବ୍‌ଦବା ଥିବା କମ୍ୟୁନିଷ୍ଟ ନେତା ଓ କର୍ମୀଙ୍କୁ ବିଜେପି ହାତେଇଛି। ମାତ୍ର ବିଜେଡିକୁ ମାତ୍‌ ଦେବା ଏତେଟା ସହଜ ହେବନି ବୋଲି ଚର୍ଚ୍ଚା ହେଉଛି। କାରଣ ବିଜେଡି ଏଠାରେ ସେତେଟା ଅଦଳବଦଳ କରିବ ନାହିଁ। କେବଳ ଯାହା ପୂର୍ବତନ କର୍ପୋରେଟର୍‌ଙ୍କୁ ଏପାଖସେପାଖ କରିପାରେ।

ୱାର୍ଡ ନଂ୨୦: ୱାର୍ଡ ପରିସୀମା - ସନ୍ତୋଷୀ ନଗର, ମହାବୀର ନଗର, ମଙ୍ଗଳା ବସ୍ତି, ମହାବୀର ନଗର, ଏକାମ୍ର ବିହାର, ଜଗନ୍ନାଥ ବିହାର, ଜନତା ନଗରର କିଛି ଅଂଶ, ଶ୍ରୀରାମ ନଗର କିଛି ଅଂଶ, ନୀଳଚକ୍ରନଗରର କିଛି ଅଂଶ ଓ ତାରିଣୀ ନଗରର କିଛି ଅଂଶ ଭୋଟର୍: ୬୮୬୯(ପୁରୁଷ: ୩୭୩୯, ମହିଳା: ୩୧୨୯, ତୃତୀୟ ଲିଙ୍ଗ: ୧)

୨୦୧୪ରେ ୨୦ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି (ଏସ୍‌ଟି) ମହିଳାଙ୍କ ଲାଗି ସଂରକ୍ଷିତ ଥିଲା। ବାସନ୍ତୀ ସିଂ ବିଜେଡ଼ି ପ୍ରାର୍ଥୀ ହୋଇ ବାଜି ମାରିଥିଲେ। ଏଥର ଅଣସଂରକ୍ଷିତ ରହିଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଜେଡିରୁ ବାସନ୍ତୀଙ୍କ ସମେତ ପ୍ରେମାନନ୍ଦ ଜେନା, ସୌମ୍ୟରଞ୍ଜନ ପ୍ରଧାନ, ପ୍ରଶାନ୍ତ କୁମାର ସ୍ବାଇଁଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଛି। ବିଜେପିରୁ ପୁଷ୍ପଲତା ନାଥ, ପ୍ରସନ୍ନ ସାହୁ, ଗଦା ପ୍ରଧାନ, ଅଶୋକ ସାହୁ ଏବଂ କଂଗ୍ରେସରୁ ଉମେଶ ଦାସଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ୱାର୍ଡର ପୂର୍ବତନ କର୍ପୋରେଟର୍‌ ବାସନ୍ତୀ ସିଂ କହିଛନ୍ତି ଯେ ୱାର୍ଡରେ ବହୁତ କାମ ହୋଇଛି। ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ବିକାଶ କାର୍ଯ୍ୟ ଚାଲିଛି। ଆଗକୁ ମଧ୍ୟ ଚାଲିବ। ଏଥର ନିର୍ବାଚନରେ ୨୬ ନମ୍ବର ୱାର୍ଡ ଅନୁସୂଚିତ ଜନଜାତି (ଏସ୍‌ଟି) ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବାରୁ ସେଠାରେ ଲଢ଼ିବାକୁ ଆଶାବାଦୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe