ରାତିସାରା ବାଘ ଖୋଜା: ଭୟଭୀତ ରଙ୍ଗମାଟିଆ ଗ୍ରାମବାସୀ

ରାତିସାରା ବାଘ ଖୋଜା: ଭୟଭୀତ ରଙ୍ଗମାଟିଆ ଗ୍ରାମବାସୀ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରରେ ବାଘ। ରାତିରେ ବୁଲୁଛି। ଘର ଅଗଣାରେ ଚାଲୁଛି। ବିଲ ଆଡ଼କୁ ଧାଉଁଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଲରାପତରିଆ ବାଘ ଧରା ପଡ଼ିବାର ୪୮ ଘଣ୍ଟା ନ ପୂରୁଣୁ ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ତଳସାହିରେ ଏଭଳି ଆତଙ୍କ ଖେଳିଯାଇଛି। ଏହି ଅଞ୍ଚଳରେ ଭଡ଼ା ରହୁଥିବା କେଶବ ମନ୍ତ୍ରୀ ନାମକ ଜଣେ ବ୍ୟକ୍ତି ଗୁରୁବାର ରାତିରେ ବାଘ ଦେଖିଥିବା କହିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବରପାଇ ବନ ବିଭାଗ ବି ଦିନରାତି ଏକ କରି ବାଘ ଖୋଜୁଛି। ପାଦ ଚିହ୍ନ ବି ସଂଗ୍ରହ କରିଛି। ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡ଼ିଛି ଯେ ଚିହ୍ନଟ ହୋଇଥିବା ପାଦ ଚିହ୍ନ ବାଘର ନୁହେଁ। ବରଂ ବିଲୁଆର ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି।

ଶ୍ରୀ ମନ୍ତ୍ରୀ କହିଛନ୍ତି ଯେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଘର ପଛ ପାର୍ଶ୍ବକୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ପିଜୁଳି ଗଛ ନିକଟରେ ଏକ ଜନ୍ତୁ ବସିଥିବା ଦେଖିବାକୁ ପାଇଥିଲି। ତାହାର ଲମ୍ବା ଲାଞ୍ଜ ରହିଥିଲା। ପରିସ୍ରା ବସିବା କ୍ଷଣି ଜନ୍ତୁଟି ଦୌଡ଼ି ପଳାଇଥିଲା। ତା’ ଦେହରେ କଳା କଳା ଦାଗ ରହିଥିବାରୁ ବାଘ ବୋଲି ଭାବି ଘରକୁ ଦୌଡ଼ି ପଳାଇ ଆସିଥିଲି। ଏହି ସମୟରେ ତଳେ ପଡ଼ି ଯାଇଥିଲି। ଦେହରେ ବି ଆହତ ଲାଗିଛି। ବାଘ ବୁଲୁଥିବା ନେଇ ରାତିରେ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ବାଘକୁ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ହେଲେ ବାଘର କୌଣସି ପତ୍ତା ମିଳି ନଥିଲା। ଏହାପରେ ମ‌ଞ୍ଚେଶ୍ବର ଥାନା ପୁଲିସ, ବନବିଭାଗ ଓ ବନ୍ୟପ୍ରାଣୀ ବିଭାଗକୁ ସୂଚନା ଦିଆଯାଇଥିଲା। ଆଜି ସକାଳୁ ବନ ବିଭାଗର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଭୁବନେଶ୍ବର ରେଞ୍ଜ୍‌ର ସହକାରୀ ବନ ସଂଗ୍ରକ୍ଷକ ଗୋବିନ୍ଦ ଚନ୍ଦ୍ର ବିଶ୍ବଳଙ୍କ ସହ ୧୦ ଜଣିଆ ଟିମ୍ ରଙ୍ଗମାଟିଆରେ ପହଞ୍ଚି କେଶବଙ୍କୁ ବାଘ ଦେଖିବା ଘଟଣା ବିଷୟରେ ପଚରାଉଚରା କରିଥିଲେ। କେଶବ ଘଟଣା ବିଷୟରେ ବନ ବିଭାଗ ଅଧିକାରୀଙ୍କୁ ତଥ୍ୟ ଦେବା ପରେ ଅଧିକାରୀମାନେ ଆଖପାଖ ବଣବୁଦା ଖୋ‌ଜାଖୋଜି କରିଥିଲେ। ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ମାଟି ରାସ୍ତାରେ କିଛି ପାଦ ଚିହ୍ନ ଦେଖି ଶ୍ରୀ ବିଶ୍ବାଳ ସନ୍ଦେହ ପ୍ରକାଶ କରି ଅଧିକ ତନାଘନା‌ କରିଥିଲେ।

ପାଦଚିହ୍ନର ହେଲା ଅନୁଧ୍ୟାନ
ପାଦଚିହ୍ନ ମିଳିବା ପରେ ବାଘ ଥିବା ନେଇ ସନ୍ଦେହ ବଢ଼ିଲା। ତେଣୁ ବନ ବିଭାଗର ଅଧିକାରୀମା‌ନେ ଉକ୍ତ ସ୍ଥାନରେ ଦେଖାଯାଉଥିବା ଦୁଇଟି ପାଦଚିହ୍ନକୁ ପ୍ଲାଷ୍ଟର୍ ଅଫ୍‌ ପ୍ୟାରିସ୍ ଦ୍ବାରା ଛାଞ୍ଚ ବସାଇ ପରୀକ୍ଷା ପାଇଁ ନନ୍ଦନକାନନ ଲା‌େବାରୋଟାରିକୁ ନେଇଥିଲେ। ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ପାଦ ଚିହ୍ନ ବାଘର ନୁହେଁ। ରଙ୍ଗମାଟିଆ ଗ୍ରାମବସୀ ଆତଙ୍କିତ ହେବାର କୌଣସି ଆବଶ୍ୟକ ନାହିଁ ବୋଲି ବନ ବିଭାଗ କହିଛି। ଭୁବନେଶ୍ବର ସିଟି ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି ଯେ ଚିହ୍ନଟ ହୋଇଥିବା ପାଦଚିହ୍ନଟି ବାଘର ନୁହେଁ। ପାଦଚିହ୍ନଟି କୁକୁର ପାଦଠାରୁ ଟିକିଏ ବଡ଼ ରହିଛି। ପ୍ରତ୍ୟେକ୍ଷଦର୍ଶୀ ଲମ୍ବା ଲାଞ୍ଜ କଥା କହୁଥିବାରୁ ବିଲୁଆ ହୋଇଥିବ ବୋଲି ଅନୁମାନ କରାଯାଉଛି। ତଥାପି ଘଟଣାକୁ ଗୁରୁତ୍ବ ଦିଆଯାଇ ଏହି ଅଞ୍ଚଳରେ ପାଟ୍ରୋଲିଂ ଜାରି ରହିଛି। ଶୁକ୍ରବାର ରାତିରେ ବନ ବିଭାଗର କର୍ମଚାରୀ ଖୋଜାଖୋଜି କରୁଛନ୍ତି। ଶନିବାର ବି ଜାରି ରହିବ। ଚନ୍ଦକା ଜଙ୍ଗଲରୁ ରଙ୍ଗମାଟିଆକୁ ବାଘ ଆସିବା ପାଇଁ କୌଣସି ରାସ୍ତା ନାହିଁ। ତେଣୁ ଲୋକେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ବଢ଼ିଲା ପୁଲିସ ପାଟ୍ରୋଲିଂ
ଲୋକଙ୍କ କଥାକୁ ଅଣଦେଖା କରିହେବ ନାହିଁ। ତେଣୁ ଆସନ୍ତା ଏକ ସପ୍ତାହ ପାଇଁ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂକୁ ବଢ଼ାଇବା ସହ ଗାଈ, ଛେଳି, ମେଣ୍ଢା ଓ କୁକୁଡ଼ା ଭାଡ଼ି ଉପରେ ନଜର ରଖିବା ପାଇଁ ସ୍ଥାନୀୟ ଲୋକଙ୍କୁ କୁହାଯାଇଛି। ବନବିଭାଗ ତଦନ୍ତ ଜାରି ରଖିବ। ଏକ ପ୍ଲାଟୁନ୍ ବନ ସୁରକ୍ଷା କର୍ମଚାରୀଙ୍କୁ ପହରା ପାଇଁ ନିୟୋଜିତ କରାଯାଇଛି। ପୂର୍ବରୁ ଗଣ୍ଡରପୁରକୁ ମଧ୍ୟ ବାଘ ଚାଲି ଆସିଥିବାର ନଜରି ରହିଥିବାରୁ ଏବେ ଉକ୍ତ ଅଞ୍ଚଳର ଲୋକମାନେ ମଞ୍ଚେଶ୍ବର କେନାଲ ବନ୍ଧ, ପଟିଆ ବନ୍ଧ ରାସ୍ତା ଓ ଗାଡ଼କଣ, ଡମଣା ରାସ୍ତା ବାଟ ଦେଇ ଯାତାୟାତ କରିବାପାଇଁ ଭୟଭୀତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe