କ୍ରଂସି ପଏଣ୍ଟ୍‌ ପେଲିକାନ୍‌ ସିଗନାଲ୍‌ କାହା ସ୍ବାର୍ଥରେ?

Advertisment

ସଚେତନତା ଅଭାବରୁ ବୁଝିପାରୁନାହାନ୍ତି ପଥଚାରୀ

ସଚେତନତା ଅଭାବରୁ ବୁଝିପାରୁନାହାନ୍ତି ପଥଚାରୀ

କ୍ରଂସି ପଏଣ୍ଟ୍‌ ପେଲିକାନ୍‌ ସିଗନାଲ୍‌ କାହା ସ୍ବାର୍ଥରେ?

ଭୁବନେଶ୍ବର: ସ୍ମାର୍ଟସିଟି ଘୋଷଣା ହେବା ପରେ ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାକୁ ଆଧୁନିକୀକରଣ ଓ ସୁଦୃଢ଼ କରିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି। ପଥଚାରୀମାନେ ନିରାପଦରେ ରାଜପଥ ପାର୍‌ ହେବା ପାଇଁ ବିଭିନ୍ନ କ୍ରସିଂ ପଏଣ୍ଟ୍‌ରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍‌ସିଏଲ୍) ପକ୍ଷରୁ ପେଡେଷେ୍‌ଟ୍ରିଆନ୍ ଲାଇଟ୍ କଣ୍ଟ୍ରୋଲ୍ ଆକ୍ଟିଭେସନ୍‌(ପେଲିକାନ୍) ସିଗନାଲ୍ ଲଗାଯିବା ତନ୍ମଧ୍ୟରୁ ଅନ୍ୟତମ। ମାତ୍ର ଏହାର ବ୍ୟବହାର ବାବଦରେ ବିଏସ୍‌ସିଏଲ୍ ପକ୍ଷରୁ ଲୋକମାନଙ୍କୁ ଜଣାଇ ଦିଆଯାଉନଥିବାରୁ ପଥଚାରୀମାନେ ଆଜି ବି ଏହାକୁ ବ୍ୟବହାର କରିପାରୁନାହାନ୍ତି। ଫଳରେ ଅନେକ ସମ୍ବେଦନଶୀଳ ସ୍ଥାନରେ ପେଲିକାନ୍ ଟ୍ରାଫିକ୍ ସିଗନାଲ୍ ଥିବା ସତ୍ତ୍ବେ ପଥଚାରୀମାନେ ଗାଡ଼ି ଯିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଅନେକ ସମୟରେ ଗାଡ଼ି ଆସୁଥିବା ବେଳେ ମଧ୍ୟ ବିପଦପୂର୍ଣ୍ଣଭାବେ ରାସ୍ତା ଅତିକ୍ରମ କରି ସଡ଼କ ଦୁର୍ଘଟଣାର କାରଣ ହେଉଛନ୍ତି।

୨୦୧୮ ମସିହାରେ ରାଜଧାନୀର ୮ଟି ଅତି ସମ୍ବେଦନଶୀଳ କ୍ରସିଂ ସ୍ଥାନରେ ପେଲିକାନ୍ ଟ୍ରାଫିକ୍ ସିଗନାଲ ଲଗାଯାଇଥିଲା। କ୍ୟାପିଟାଲ୍ ହାଇସ୍କୁଲ୍, ଜିଲ୍ଲା କୋର୍ଟ, ରିଜର୍ଭ ବ୍ୟାଙ୍କ୍‌ ସମ୍ମୁଖ, ଲୋକସେବା ଭବନ ସମ୍ମୁଖ, ପାସ୍‌ପୋର୍ଟ ଅଫିସ୍, ସମ୍ ହସ୍ପିଟାଲ, ସେଣ୍ଟ ଜାଭିୟର ସ୍କୁଲ୍, କଳିଙ୍ଗ ଷ୍ଟାଡିୟମ ଗେଟ୍-୩ରେ ଲଗାଯାଇଥିଲା। ପରେ କଳିଙ୍ଗ ଷ୍ଟାଡିୟମ ଗେଟ୍-୩ ପାଖରେ ଫୁଟ୍ଓଭର ବ୍ରିଜ୍ ହେବାରୁ ଏହାକୁ ହଟାଇ ଦିଆଗଲା। ସେହିପରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଲଗାଯାଇଥିବା ଏହି ସିଗନାଲ୍‌କୁ ମଧ୍ୟ ହଟାଇ ଦିଆଯାଇଛି। ତେବେ ଏବେ ଯେଉଁ ସ୍ଥାନମାନଙ୍କରେ ଏହା ରହିଛି, ତାହା ମଧ୍ୟ ନିହାତି ଜରୁରୀ। ମାତ୍ର ପଥଚାରୀମାନେ ଏହାର ବ୍ୟବହାର କରୁନାହାନ୍ତି। କାରଣ ପଥଚାରୀମାନଙ୍କୁ ଆବଶ୍ୟକ ସଚେତନ କରାଯାଇନାହିଁ।

ଏହି ସିଗନାଲ୍‌ର ବୈଶିଷ୍ଟ୍ୟ ହେଉଛି ଏହା କ୍ରଂସି ପଏଣ୍ଟ ରହିଥାଏ ଏବଂ ଏହାକୁ କଣ୍ଟ୍ରୋଲ୍ କରିବା ପାଇଁ ଏକ ସୁଇଚ୍ ବୋର୍ଡ ରହିଛି। ଏହି ସୁଇଚ୍‌କୁ ବ୍ୟବହାର କରି ପଥଚାରୀ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିକୁ ରୋକିବା ସହ ନିରାପଦରେ ରାସ୍ତା ଅତିକ୍ରମ କରିପାରିବ। ରାସ୍ତା ଅତିକ୍ରମ କରିବାକୁ ଯାଉଥିବା ବ୍ୟକ୍ତି ଏହି ସୁଇଚ୍‌କୁ ଦବାଇବା ମାତ୍ରେ ଟ୍ରାଫିକ୍‌ ସିଗନାଲ୍‌ ଲାଇଟ ରେଡ୍‌ ହୋଇଯିବ। ତେବେ ବଟନ୍‌ ଦବାଇବା ସମୟରେ ବାକ୍ସରେ ଅପେକ୍ଷା କରିବାକୁ ଥିବା ଚିହ୍ନ ଦେଖାଇବ। ଏହାପରେ ଟ୍ରାଫିକ୍‌ ଲାଇଟ୍‌ ପରିବର୍ତ୍ତନ ହେବ। ଟ୍ରାଫିକ୍‌ ଲାଇଟ୍‌ ରେଡ୍‌ ହେବା ପରେ ଗାଡ଼ିମାନେ ବାଧ୍ୟହୋଇ ଅଟକିଯିବେ ଏବଂ ପଥଚାରୀ ସହଜରେ ରାସ୍ତା ଅତିକ୍ରମ କରିବେ। କିଛି ନିର୍ଦ୍ଦଷ୍ଟ ସମୟ ପରେ ରେଡ୍‌ ଲାଇଟ୍‌ ଅଫ୍‌ ହୋଇ ଗ୍ରିନ୍‌ ସିଗ୍‌ନାଲ ହୋଇଯିବ। ବିଏସ୍‌ସିଏଲ୍‌ ଏଡ଼େ ସୁନ୍ଦର ବ୍ୟବସ୍ଥା କଲା, ମାତ୍ର ଲୋକଙ୍କୁ ଏହି ଜ୍ଞାନକୌଶଳ ଶିଖାଇଲା ନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ବହୁ ଲୋକ ଏହର ବ୍ୟବହାର କରିନଜାଣି ସେମିତି ସିଧାସଳଖ ହାତ ଦେଖାଇ ବା ଧାଇଁ ଧାଇଁ ରାସ୍ତା ପାର୍‌ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ରାସ୍ତା ଅତିକ୍ରମ କରୁଥିବା ବ୍ୟକ୍ତି ଏବଂ ଗାଡ଼ିଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏନେଇ ଏକ ସ୍ବତନ୍ତ୍ର ସଚେତନତା ଅଭିଯାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe