ଏତେ ହେୟଜ୍ଞାନ କାହିଁକି? କାମ କରୁଛି ତ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା!

Advertisment
ଏତେ ହେୟଜ୍ଞାନ କାହିଁକି? କାମ କରୁଛି ତ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା!

times of india

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଆଜି ଦୁଇଟି ଅମୂଲ୍ୟ ଜୀବନ ଅକାଳରେ ଝଡ଼ି ପଡ଼ିଲା। ସତ୍‌ସଙ୍ଗ ନିକଟ ଫ୍ଲାଏଓଭର୍‌ରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଲା। କିନ୍ତୁ ଏହି ଅଘଟଣକୁ ବେଶ୍‌ କିଛି ସମୟ ବିତିଯିବା ପରେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡ଼ି ସଂପର୍କରେ ପୁଲିସ୍‌ ପାଖରେ କୌଣସି ତଥ୍ୟ ନାହିଁ। ଏପରିକି କି’ ପ୍ରକାର ଗାଡ଼ି ଧକ୍କା ଦେଲା, ତା’ ବି ପୁଲିସ୍‌ ଜାଣିନାହିଁ। ରାଜଧାନୀକୁ ଅପରାଧମୁକ୍ତ କରିବା ତଥା ସ୍ପିଡ୍‌ ଡ୍ରାଇଭିଂ, ରଙ୍ଗରୁଟ୍‌ ଗାଡ଼ି ଚାଳନା ଭଳି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ବିଏସ୍‌ସିଏଲ୍‌ ପକ୍ଷରୁ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି।

କିଛି ଦିନ ଧରି ଏହାକୁ ଟ୍ରାଏଲ୍‌ କରାଯିବା ପରେ କମିସନରେଟ୍‌ ପୁଲିସକୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ବିଏସ୍‌ସିଏଲ୍‌ର କଣ୍ଟ୍ରୋଲ ରୁମ୍‌ରୁ ପୁଲିସ୍‌ ଅଧିକାରୀମାନେ ଏହାକୁ ପରିଚାଳନା କରୁଛନ୍ତି। କୌଣସି ଅପରାଧୀ କିମ୍ବା ଗାଡ଼ିକୁ ଅତି ସହଜରେ କଣ୍ଟ୍ରୋଲ ରୁମ୍‌ରୁ ଟ୍ରାକ୍‌ କରି ନିକଟସ୍ଥ ଥାନା କିମ୍ବା ପିସିଆର୍‌କୁ ସଙ୍ଗେସଙ୍ଗେ ସୂଚନା ଦିଆଯାଇ ପାରିବ। ଏହାଦ୍ବାରା ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବା‌ରେ ପୁଲିସକୁ ସହଜ ହେବ। କିନ୍ତୁ ରାଜଧାନୀରେ ଏତେ ସବୁ ବ୍ୟବସ୍ଥା ଥିବା ସତ୍ତ୍ବେ ଆଜିର ଏହି ଘଟଣାରେ, ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର୍‌ ହୋଇଯିବା ଓ ଦୀର୍ଘ ସମୟ ପରେ ମଧ୍ୟ ତାକୁ ଟ୍ରାକ୍‌ କରିନପାରିବା ପୁଲିସ୍‌ ଓ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସହିଦନଗର ଥାନା ଅଧିକାରୀ ହିମାଂଶୁ ସ୍ବାଇଁ କହିଛନ୍ତି ଯେ ଆମେ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଛୁ। ଆସନ୍ତାକାଲି ସିସିଟିଭିଗୁଡ଼ିକୁ ଯାଞ୍ଚ କରାଯିବା ପରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି ଯେ ଏହା ପୁଲିସ ମାମଲା। ଆମେ ଏ ସଂପର୍କରେ କୌଣସି ତଥ୍ୟ ଦେଇପାରିବୁ ନାହିଁ। ଥାନାଧିକାରୀ ଓ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଉତ୍ତରରୁ, ଦୁଇ ବିଭାଗ ମଧ୍ୟରେ ଆଦୌ ସମନ୍ବୟ ନଥିବା ସ୍ପଷ୍ଟ ଜଣାପଡ଼ୁଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏହି ଅତ୍ୟାଧୁନିକ ସିସିକ୍ୟାମେରା ବ୍ୟବସ୍ଥାକୁ କମିସନରେଟ୍‌ ପୁଲିସକୁ ହସ୍ତାନ୍ତର କରିସାରିଛନ୍ତି, ତେବେ ଥାନାଧିକାରୀ କାହାଠାରୁ ଫୁଟେଜ୍‌ ଆଣିବା କଥା କହୁଛନ୍ତି?
ଅପରପେକ୍ଷ ଥାନାଧିକାରୀ କହିଛନ୍ତି ଯେ ଆସନ୍ତାକାଲି ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଗାଡ଼ିକୁ ଚିହ୍ନଟ କରିବେ। କିନ୍ତୁ ଯଦି ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ନକଲି ନମ୍ବର ପ୍ଲେଟ୍‌ ଲାଗିଥାଏ, ତେବେ ପୁଲିସ କାହାକୁ ଧରିବ। ଯଦି ଆଜିର ଏହି ଦୁର୍ଘଟଣାରେ ଜଣେ ବଡ଼ବଡ଼ିଆଙ୍କ ଜୀବନ ଯାଇଥା’ନ୍ତା, ସେ କ୍ଷେତ୍ରରେ ବି କ’ଣ ପୁଲିସ୍‌ ଏତେ ହେୟଜ୍ଞାନ କରିଥା’ନ୍ତା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe