ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ସଂସ୍କୃତି ବିଭାଗ ବିମୁଖ କାହିଁକି? ଆବକ୍ଷରେ ସୀମତି ରହିଗଲା ପ୍ରତିମୂର୍ତ୍ତି

Advertisment

୧୨ ବର୍ଷ ପରେ ବି ପୂରଣ ହେଲାନି ଭିଏସ୍‌ଏସ୍‌ ନଗର ବାସିନ୍ଦାଙ୍କ ଦାବି

୧୨ ବର୍ଷ ପରେ ବି ପୂରଣ ହେଲାନି ଭିଏସ୍‌ଏସ୍‌ ନଗର ବାସିନ୍ଦାଙ୍କ ଦାବି

ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ସଂସ୍କୃତି ବିଭାଗ ବିମୁଖ କାହିଁକି? ଆବକ୍ଷରେ ସୀମତି ରହିଗଲା ପ୍ରତିମୂର୍ତ୍ତି

ଭୁବନେଶ୍ବର: ଉତ୍ତରପିଢ଼ିଙ୍କୁ ଓଡ଼ିଶାର ବରପୁତ୍ରମାନଙ୍କ ଜୀବନ କାହାଣୀ ଶୁଣାଇ ପ୍ରେରଣା ଦିଆଯାଏ। ସେମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିବା ତଥା ବରପୁତ୍ରମାନଙ୍କୁ ଭକ୍ତି ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସହରର ଗଳିକନ୍ଦିରେ ସ୍ଥାପିତ ହୁଏ ବରପୁତ୍ରଙ୍କ ପ୍ରତିମୂର୍ତି। ଜୟନ୍ତୀ କିମ୍ବା ତିରୋଧାନ ଦିବସରେ ସେମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଆମେ ଶ୍ରଦ୍ଧାସୁମନ ଅର୍ପଣ କରୁ। କିନ୍ତୁ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ରାଜଧାନୀର ଭିଏସ୍‌ଏସ୍‌ ନଗର (ବୀର ସୁରେନ୍ଦ୍ର ସାଏ ନଗର) ବାସିନ୍ଦାଙ୍କ ବାରମ୍ବାର ଦାବି ପରେ ବି ବୀର ସୁରେନ୍ଦ୍ର ସାଏଙ୍କର ପୂର୍ଣ୍ଣାବୟବ, ସୁଉଚ୍ଚ ପ୍ରତିମୂର୍ତ୍ତିଟିଏ ପ୍ରତିଷ୍ଠା କରିବାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯେମିତି ବିମୁଖ। ୨୦୦୯ ମସିହାରୁ ଭିଏସ୍‌ଏସ୍‌ ନଗର ବାସିନ୍ଦା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସୁଦୃଶ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତିଟିଏ ସ୍ଥାପନ ପାଇଁ ଦାବି କରି ଆସୁଛନ୍ତି। କିନ୍ତୁ ଏହା ଭିତରେ ସରକାର, ବ୍ୟବସ୍ଥା ଓ ବିଭାଗର କଳେବଳ ପରିବର୍ତ୍ତନ ହୋଇଥିଲେ ବି ଅଞ୍ଚଳବାସୀଙ୍କ ଏହି ଦାବି ଏଯାଏ ପୂରଣ ହେଲାନି କି ସର୍ବସାଧାରଣଙ୍କ ପାଇଁ ସୁରେନ୍ଦ୍ର ସାଏଙ୍କର ଏକ ପୂର୍ଣ୍ଣା‌ବୟବ ପ୍ରତିମୂର୍ତ୍ତିଟିଏ ସ୍ଥାପିତ ‌ହୋଇପାରିଲା ନାହିଁ। ଫଳରେ ରାଜଧାନୀରେ ସର୍ବସାଧାରଣଙ୍କ ପାଇଁ ଦେଢ଼ଫୁଟରେ ହିଁ ସୀମିତ ରହିଯାଇଛି ସାଏଙ୍କ ଆବକ୍ଷ ପ୍ରତିମୂର୍ତ୍ତି।

୧୯୭୭ ମସିହାରେ ସୈନିକ ସ୍କୁଲରେ ଓଡ଼ିଶା ହାଉସିଂବୋର୍ଡ ପକ୍ଷରୁ ଏକ ଆବାସିକ କଲୋନି ନିର୍ମିତ ହେଲା। ଏହାର ଦୁଇବର୍ଷ ପରେ ଏଠାରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ସ୍ଥାପନ କରାଯିବା ସହ ଏହି କଲୋନିର ନାମ ବୀର ସୁରେନ୍ଦ୍ର ସାଏ ନଗର ରଖାଗଲା। ଏହି ପ୍ରତିମୂର୍ତ୍ତିଟି ଛୋଟ (ମାତ୍ର ଦେଢ଼ ଫୁଟ)ର ବୀର ସୁରେନ୍ଦ୍ର ସାଏଙ୍କର ଏକ ପୂର୍ଣ୍ଣାବୟବ ଓ ସୁଦୃଶ୍ୟ ପ୍ରତିମୂର୍ତି ସ୍ଥାପନ ପାଇଁ ସେତେବେଳେ ଅଞ୍ଚଳବାସୀ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସରକାର ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ଓ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୦୯ ମସିହାରେ ସରକାର ସାଏଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତି ନିର୍ମାଣ ମଧ୍ୟ କ‌ଲେ। କିନ୍ତୁ ପରେ ଏହି ପ୍ରତିମୂର୍ତିକୁ ଜୟଦେବ ବିହାର ଛକରେ ସ୍ଥାପନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଗଲା। ଏହାକୁ ନେଇ ବିବାଦ ଘନେଇଲା। ଭିଏସ୍‌ଏସ୍‌ ନଗରବାସୀ ଅଭିଯୋଗ କଲେ, ଜୟଦେବ ବିହାରରେ ଜୟଦେବଙ୍କ ପ୍ରତିମୂର୍ତ୍ତି ଓ ଭିଏସ୍‌ଏସ୍‌ ନଗରରେ ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ଯାହା ଫଳରେ ଆଞ୍ଚଳର ନାମକରଣ ଯଥାର୍ଥ ହୋଇପାରିବ। ଏସବୁ ବିବାଦ ଓ ବିରୋଧ ଭିତରେ ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିଟି ଓଡ଼ିଶା ବିଧାନସଭା ପରିସରରେ ସ୍ଥାପିତ ହେଲା। ତେବେ ବିଧାନସଭା ପରିସରକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ହୋଇଥିବାକୁ ସାଏଙ୍କ ଜୟନ୍ତୀ ହେଉ କି ସ୍ବାଧୀନତା ଦିବସ; ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାରୁ ରାଜଧାନୀବାସୀ ବଞ୍ଚିତ ରହିଲେ।

ଏହାକୁ ନେଇ ଭିଏସ୍‌ଏସ୍‌ନଗର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବ‌େ ବେଳେ ଅନ୍ୟ ଏକ ସୁଉଚ୍ଚ ଓ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ତିଆରି ଲାଗି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ। ବାରମ୍ବାର ଅଭିଯୋଗ ପରେ ସହରବାସୀଙ୍କ ପାଇଁ ଭିଏସ୍‌ଏସ୍‌ ନଗରରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ସଂସ୍କୃତି ବିଭାଗ ପ୍ରତିଶ୍ରୁତି ଦେଲା। କିନ୍ତୁ ୧୨ ବର୍ଷ ବିତିଗଲା ପଛେ; ପ୍ରତିଶ୍ରୁତି ଅନୁଯାୟୀ ପ୍ରତିମୂର୍ତ୍ତିଟିଏ ସ୍ଥାପିତ ହୋଇପାରିଲା ନାହିଁ।

ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ତଥା ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି, ପୂଜ୍ୟପୂଜା ଆମ ପରମ୍ପରା। ବୀର ସୁରେନ୍ଦ୍ର ସାଏଙ୍କ ଭଳି ବୀର ତଥା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଏ ଜାତି ତାଙ୍କ ପ୍ରତି ସମ୍ମାନ ଜଣାଇବା‌ ଉଚିତ। କିନ୍ତୁ ଆମେ ୧୨ ବର୍ଷ ଧରି ବାରମ୍ବାର ସଂସ୍କୃତି ବିଭାଗରେ ଦାବି କରି ଚାଲିଥିଲେ ବି ସେ ନେଇ କୌଣସି ସୁଫଳ ମିଳୁନାହିଁ। ସବୁବେଳେ କିଛି ନା କିଛି ବାହାନା କରି ବିଭାଗ ଆମର ଏ ଦାବିକୁ ଟାଳି ଚାଲିଛି। ଏଣୁ ବୀର ସୁରେନ୍ଦ୍ର ସାଏଙ୍କ ଭଳି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଅବହେଳା ନ କରି ଯଥାଶୀଘ୍ର ତାଙ୍କ ପୂର୍ଣ୍ଣା‌ବୟବ ପ୍ରତିମୂର୍ତ୍ତିଟିଏ ଭିଏସ୍‌ଏସ୍‌ନଗରରେ ପ୍ରତିଷ୍ଠା ହେଉ ବୋଲି ‌ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe