ସ୍ତ୍ରୀ ଓ ଶାଳୀ ହତ୍ୟା ମାମଲା: ଶୋଷଣ ଓ ଲାଞ୍ଛନା ସଜାଇଲା ନରପିଶାଚ

Advertisment
ସ୍ତ୍ରୀ ଓ ଶାଳୀ ହତ୍ୟା ମାମଲା: ଶୋଷଣ ଓ ଲାଞ୍ଛନା ସଜାଇଲା ନରପିଶାଚ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଘଟିଥିବା ଛାତିଥରା ଡବଲ ମର୍ଡର ମାମଲାର ଅଭିଯୁକ୍ତ ବିଜୟ କୁମାର ସେଠୀକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ କୋର୍ଟ ଚାଲଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନିଜେ ହିଁ କଟୁରି ଓ ଟାଙ୍ଗିଆରେ ହାଣି ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ହତ୍ୟା କରିଛି ବୋଲି ଗତକାଲିଠାରୁ ବିଜୟ ସ୍ବୀକାର କରିଥିଲେ ହେଁ ଜେରା ବେଳେ ହତ୍ୟାକାଣ୍ଡ ପଛର କାରଣ ବାବଦରେ ସୂଚନା ଦେଇଛି।

ସ୍ତ୍ରୀ, ଶାଳୀ ଓ ଶ୍ବଶୁର ଘର ଲୋକଙ୍କ ଲାଞ୍ଛନା ଓ ଶୋଷଣରେ ଅତିଷ୍ଠ ହୋଇ ସେ ମାନସିକ ଭାରସାମ୍ୟ ହରାଇବା ପରେ ନରପିଶାଚ ପାଲଟି ଯାଇଥିବା କହିଛି। ବିବାହର ଦୀର୍ଘ ବର୍ଷ ପରେ ନିଃସନ୍ତାନ ରହିବାର ଲାଞ୍ଛନା ଓ ଶ୍ବଶୁର ଘର ପାଇଁ କରିଥିବା କରଜ ସୁଝିବାରେ ସ୍ତ୍ରୀ ଓ ଶାଳୀଙ୍କ ଅସ‌ହଯୋଗ ପାଇଁ ସେ ଏଭଳି ଅମାନବୀୟ କାଣ୍ଡ ଭିଆଇଲା ବୋଲି ପୁଲିସ ସମ୍ମୁଖରେ କହିଛି।

ଆଜି ପୁଲିସ ଅଭିଯୁକ୍ତ ବିଜୟକୁ ହତ୍ୟାକାଣ୍ଡସ୍ଥଳକୁ ନେଇଥିଲା। ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ କିଭଳି ସେ ଟାଙ୍ଗିଆ ଓ କଟୁରିରେ ହାଣି ହତ୍ୟା କରିଥିଲା, ତାହାର ଡେମୋ ଦେଖାଇଥିଲା। ଗତକାଲି ପୁଲିସ କଟୁରି ଜବତ କରିଥିବା ବେଳେ ଆଜି ବିଜୟ ଟାଙ୍ଗିଆ ଲୁଚାଇଥିବା ସ୍ଥାନ ଦେଖାଇଥିଲା ଓ ପୁଲିସ୍ ଟାଙ୍ଗିଆ ଜବତ କରିଥିଲା। ଏସିପି ରମେଶଚନ୍ଦ୍ର ‌‌ବିଶୋୟୀ ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରଦୀପ କୁମାର ରାଉତ ଗତକାଲି ବିଜୟକୁ ମାରାଥାନ ଜେରା କରିଥିଲେ। ଜେରା ବେଳେ ବିଜୟ ନରପିଶାଚ ସାଜିଥିବାର କାହାଣୀ କହିଥିଲା। ସେ କହିଥିବା କାହାଣୀ ପଛରେ କେତେ ସତ କେତ ମିଛ ରହିଛି, ତାହା ତଦନ୍ତ ସାପେକ୍ଷ ହୋଇଥିଲେ ହେଁ କାହାଣୀରେ ଦରଦ ରହିଥିବା କୁହାଯାଉଛି।

ପୁରୁଷପଣିଆକୁ ଧିକ୍କାର

ବିବାହର ବହୁ ବର୍ଷ ପରେ ମଧ୍ୟ ବିଜୟ ଓ ଗାୟତ୍ରୀ ନିଃସନ୍ତାନ ଥିଲେ। ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ବିଜୟ କହିବା କଥା ଏହି ସମସ୍ୟାକୁ ନେଇ ଶ୍ବଶୁର ଘର ପକ୍ଷରୁ ତାକୁ ହିଁ ଦାୟୀ କରାଯାଉଥିଲା। ସ୍ତ୍ରୀ, ଶାଳୀ ଓ ଶ୍ବଶୁର ଘର ଲୋକେ ତା’ର ପୁରୁଷପଣିଆକୁ ଧିକ୍କାର କରୁଥିଲେ। ବହୁ ସମୟରେ ତାକୁ ଏଥିପାଇଁ ସେମାନଙ୍କର ଲାଞ୍ଛନାର ଶିକାର ହେବାକୁ ପଡ଼ୁଥିଲା। ତଥାପି ସେମାନଙ୍କର ତାତ୍ସଲ୍ୟକୁ ସେ ସହି ଯାଉଥିଲା। ପିଲାଟିଏ ପାଇଁ ସେ ଅନେକ ଠାକୁର ମନ୍ଦିର ଯାଇଥିଲା ଓ ମେଡିକାଲ ଉପଚାର ମଧ୍ୟ କରିଥିଲା। ତେଣୁ ସେ ବହୁତ ଦିନ ହେଲା ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲା।

କରଜ କାଳ ହେଲା

ଘର ଚଳାଇବା, ପରିବାର ଲୋକଙ୍କ ଭରଣପୋଷଣ କରିବା ଓ ସର୍ବୋପରି ଶାଳୀ ବିବାହ ପାଇଁ ସେ କରଜରେ ବୁଡ଼ି ରହିଥିଲା। ଏମିତିକି କରଜ ବାବଦ ସୁଧ ଗଣିବାରେ ତା’ର ଦରମା ଟଙ୍କା ସରିଯାଉଥିଲା। ବଡ଼ କଥା ହେଉଛି ସ୍ତ୍ରୀ ଗାୟତ୍ରୀ ଚାକିରି କରିଥିଲେ ବି କରଜ ବାବଦରେ ମୁଣ୍ଡ ଖେଳାଉନଥିଲେ। ସେହିଭଳି ଶାଳୀ ସରସ୍ବତୀର ବିବାହ ପାଇଁ ସେ ଲକ୍ଷାଧିକ ଟଙ୍କା କରଜ କରିଥିଲା। ଶାଳୀ ପାଇଁ ବି ଚାକିରିଟିଏ ଯୋଗାଡ଼ କରିଦେଇଥିବାରୁ କରଜ ସୁଝିବାକୁ ସେ ସରସ୍ବତୀଙ୍କ ସହଯୋଗ ଲୋଡ଼ିଥିଲା। କିନ୍ତୁ ସେ ବି ଭିଣୋଇଙ୍କୁ ସହଯୋଗ କରିବାକୁ ରୋକ୍‌ଠୋକ ମନା କରି ଦେଇଥିଲେ ବୋ‌ଲି ବିଜୟ ପୁଲିସକୁ କହିଥିବା ସୂଚନା ମିଳିଛି। ଶ୍ବଶୁର ଘର ପାଇଁ ଏତେ କରିବା ପରେ ବି ସେମାନେ କରଜ ସୁଝିବାକୁ ସହଯୋଗର ହାତ ନ ବଢ଼ାଇବାରୁ ବିଜୟ ଚରମ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe