ଦିନରେ ଗାଁକୁ ଆସିଲାଣି ଦନ୍ତା ହାତୀ, ସଞ୍ଜ ହେଲେ ଗଙ୍ଗପଡ଼ା ଅଞ୍ଚଳରେ ପଡ଼ି ଯାଉଛି ତାଟିକବାଟ

Advertisment
ଚମ୍ପୁଆ : ଉଦ୍ଧାରହେଲେ କେନାଲରେ ଖସିପଡ଼ିଥିବା ୨ ହାତୀଛୁଆ

ସାଂକେତିକ ଚିତ୍ର

ଖଣ୍ଡଗିରି: ଚନ୍ଦକା ଜଙ୍ଗଲରୁ ବାହାରି ରତନପୁର ଜଙ୍ଗଲରେ ଡେରା ପକାଇଥିବା ଦଳଛଡ଼ା ଦନ୍ତା ହାତୀକୁ ନେଇ ଏବେ ଗଙ୍ଗପଡ଼ା ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଏବେ ଦିନବେଳା ବି ଦନ୍ତାଟି ଗାଁ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସୌଭାଗ୍ୟକୁ ଦନ୍ତା ଆକ୍ରମଣରେ ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ ଭୟରେ ଲୋକେ ରାତି ହେଲେ ଘରୁ ଗୋଡ଼ କାଢ଼ୁ ନାହାନ୍ତି। ସଞ୍ଜ ହେଲେ ଗଙ୍ଗପଡ଼ା, ପିତାପଲ୍ଲୀ, କୁମାରବସ୍ତ, ଭାତଖୁରୀ, ଗମେଇ ଓ ଗ୍ରାମଡିହ ଆଦି ଗାଁରେ ତାଟିକବାଟ ପଡ଼ି ଯାଉଛି।

ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାବେଳେ ଏହି ଦନ୍ତାଟି କୁମାରବସ୍ତ ଗାଁ କଡ଼େ କଡ଼େ ବିଲମାଳ ଦେଇ ପିତାପଲ୍ଲୀ ଗାଁ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଖୋର୍ଧା ବନ ବିଭାଗର କର୍ମଚାରୀମାନେ ସେଠାକୁ ଯାଇଥିଲେ। ସେହିଭଳି ପିତାପଲ୍ଲୀ ଗାଁ ଆଡ଼କୁ ଯାଉଥିବାରୁ ହଳଦିଆ ରେଞ୍ଜ ବନ କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ। ହାତୀ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ତେଣୁ ଲୋକଙ୍କୁ ଦେଖି ହାତୀଟି ପିତାପଲ୍ଲୀ ଗାଁର ବସୁଦେବ ସ୍ବାଇଁଙ୍କ ଫସଲ ବାଡ଼ି ପାଚେରି ଭାଙ୍ଗି ଭିତରକୁ ପଶି ଯାଇଥିଲା। ରାତି ହେବା ପର୍ଯ୍ୟନ୍ତ ହାତୀଟି ସେଠାରେ ରହିଥିଲା ଓ ବନ କର୍ମଚାରୀମାନେ ତାକୁ ସେଠାରେ ଜଗି ରହିଥିଲେ। ପରେ ତାକୁ ରତନପୁର ଜଙ୍ଗଲ ଭିତରକୁ ଘଉଡ଼ାଇ ଦିଆଯାଇଥିଲା।ଗତକାଲି ରାତିରେ ହାତୀଟି ଗଙ୍ଗପଡ଼ା ଗାଁ ଭିତରକୁ ପଶିଥିଲା। ଆଜି ଭୋର୍ ପ୍ରାୟ ୫ଟାବେଳେ ଗାଁରୁ ବାହାରିଥିଲା। ଏତିକିବେଳେ ବେଣୁଧର ଭଟ୍ଟ(୬୨) ବଜାରକୁ ଚା’ ପିଇବା ପାଇଁ ଯାଉଥିଲେ। ଘନ କୁହୁଡ଼ି ଯୋଗୁଁ ସେ ମାତ୍ର କେଇ ଗଜ ଦୂରରୁ ହାତୀକୁ ଦେଖିଥିଲେ ଓ ପ୍ରାଣବିକଳରେ ନିକଟସ୍ଥ ଏକ ବାରଣ୍ଡାକୁ ଚଢ଼ିଯାଇ ଖମ୍ବ ପଛରେ ଲୁଚି ଯାଇଥିଲେ। ମାତ୍ର ହାତୀଟି ଏକାମୁହାଁ ହୋଇ ଗାଁ ବାହାରକୁ ଚାଲି ଯାଇଥିଲା। ସେହିଭଳି ପୋଖରୀ ନିକଟରେ କିଛି ମହିଳା ତା’ ହାବୁଡ଼ରେ ପଡ଼ିଥିଲେ ବି ସେ ବାଟ ଭାଙ୍ଗି ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ସାଧାରଣତଃ ଏହି ସମୟରେ ଖଳା ବାଡ଼ିମାନଙ୍କରେ ଧାନ ଗଦା ହୋଇ ବା ଅମଳ ଧାନ ବସ୍ତାରେ ରହିଥାଏ। ତେଣୁ ହାତୀମାନେ ଗାଁକୁ ପଶିଆସନ୍ତି। ମାତ୍ର ଚଳିତ ବର୍ଷ ମେସିନ୍ ଅମଳ ସାଙ୍ଗକୁ ମଣ୍ଡିରେ ବିକ୍ରି ହୋଇ ଯାଉଥିବାରୁ ଆଉ ଖଳା ବାଡ଼ିରେ ଧାନ ନାହିଁ। ତେଣୁ ହାତୀଟି ବିକଳ ହୋଇ ଏ ଗାଁରୁ ସେ ଗାଁ ଘୂରି ବୁଲୁଛି। ବନ କର୍ମଚାରୀଙ୍କ ସୂଚନାନୁସାରେ ଏହି ଦନ୍ତା ହାତୀଟି ସ୍ବଭାବରେ ଶାନ୍ତ। ତେଣୁ ଚନ୍ଦକାରେ ରହୁଥିବା ଦିନରୁ ସେ କାହାକୁ ଆକ୍ରମଣ କରିଥିବା ଉଦାହରଣ ନାହିଁ। ତେଣୁ ତାକୁ କେହି ବିରକ୍ତ ନ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ବୁଝାଇ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe