‌‌ଦ୍ବୈତନଗରୀରେ ‘ଅମ୍ଳଜାନ’ର ଅଭାବ ହେବନି, ସ୍ଥିତି ଦେଖି ଆମଦାନି ବୃଦ୍ଧି କରାଯିବ

Advertisment
ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଦ୍ବୈତନଗରୀରେ ‘ଅମ୍ଳଜାନ’ର ଅଭାବ ଦେଖାଯିବନି। ଏବେ ତ ପରିସ୍ଥିତି ସ୍ବାଭାବିକ ରହିଛି। ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ବି ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଯୋଗାଇ ଦିଆଯିବ। ବର୍ତ୍ତମାନ ସରକାରଙ୍କ ପାଖରେ ବିପୁଳ ପରିମାଣର ଖାଲି ସିଲିଣ୍ଡର ମହଜୁଦ ରହିଛି। ଉତ୍କଟ ପରିସ୍ଥିତି ସୃଷ୍ଟି ହେଲେ, ତାହା ଆମ ଆବଶ୍ୟକତାକୁ ପୂରଣ କରିପାରିବ। ତେଣୁ ବର୍ତ୍ତମାନ ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଇ ଦିଆଗଲେ ବି ଭବିଷ୍ୟତରେ କୌଣସି ସମସ୍ୟା ଦେଖାଯିବନି। ଭୁବନେଶ୍ବର ଏବଂ କଟକରେ ଥିବା ସମସ୍ତ କୋଭିଡ୍‌ ହସ୍ପିଟାଲ ଏବଂ ଅନ୍ୟ ଛୋଟବଡ଼ ହସ୍ପିଟାଲଗୁଡ଼ିକୁ ଅମ୍ଳଜାନ ଯୋଗାଉଥିବା ମଞ୍ଚେଶ୍ବରସ୍ଥିତ ‘ଆନନ୍ଦ ଗ୍ୟାସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ପରିଚାଳନା ନିର୍ଦ୍ଦେଶକ ଜଗଦାନନ୍ଦ ମହାପାତ୍ର ଏପରି ଆଶ୍ବସ୍ତିକର କଥା କହିଛନ୍ତି।

କରୋନାର ଦ୍ବିତୀୟ ଲହର ଏବେ ପୂରା ଦେଶରେ ତାଣ୍ଡବ ଚଳାଇଥିବା ବେଳେ ରୋଗୀଙ୍କ ପାଇଁ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଦେଇଛି। ଭୂତାଣୁ ଶ୍ବାସକ୍ରିୟାଜନିତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ କୃତ୍ରିମ ଉପାୟରେ ଅମ୍ଳଜାନ ଯୋଗାଇ ଦିଆଯାଉଛି। କିନ୍ତୁ ହଠାତ୍‌ ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାରୁ ଅମ୍ଳଜାନର ଅଭାବ ଦେଖାଦେଇଛି। ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ଏପରିସ୍ଥଳେ ଓଡ଼ିଶା ବାହାର ରାଜ୍ୟକୁ ଅମ୍ଳଜାନ ଯୋଗାଇ ପ୍ରଶଂସା ସାଉଁଟୁଛି। ତେବେ ଆଗକୁ ଓଡ଼ିଶାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ବି ରାଜ୍ୟରେ ଅମ୍ଳଜାନର ତିରୋଟ ଅବସ୍ଥା ଦେଖା‌ଦେବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ଏଇଠୁ ଭୁବନେଶ୍ବର ଓ କଟକରେ ଥିବା ସମସ୍ତ କୋଭିଡ୍‌ ହସ୍ପିଟାଲ ତଥା ସମ୍‌, କିମ୍‌ସ, ହାଇଟେକ୍‌, ଏମ୍‌ସ ଏବଂ କଟକ ବଡ଼ମେଡ଼ିକାଲ ସମେତ ଅନ୍ୟ ଛୋଟବଡ଼ ହସ୍ପିଟାଲକୁ ଆବଶ୍ୟକ ମୁତାବକ ଅମ୍ଳଜାନ ଯୋଗାଣ ହେଉଛି। ପୂର୍ବାପେକ୍ଷା ଗତ ୮ଦିନରେ ଚାହିଦା ବହୁତ ବଢ଼ିଛି। ତେଣୁ ତାହାକୁ ଦୃଷ୍ଟିରେ ରଖି ଯୋଗାଣ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ଦିନକୁ ୩୫୦୦ କ୍ୟୁବିକ୍‌ ମିଟର ଅମ୍ଳଜାନ ଆମଦାନୀ ହେଉଥିବା ବେଳେ ସବୁ ସରି ଯାଉଛି। ହେଲେ ଏଯାଏ ନିଅଣ୍ଟିଆ ପରସ୍ଥିତି ସୃଷ୍ଟି ହୋଇନାହିଁ। ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଘରେ ରହି ବ୍ୟବହାର କରୁଥିବା ରୋଗୀ ମଧ୍ୟ ୨୦୦ରୁ ୩୦୦କ୍ୟୁବିକ୍‌ ଅମ୍ଳଜାନ ନେଉଛନ୍ତି। ତେଣୁ ଆମ ପାଖରେ ଏବେ ଚାହିଦା ପୂରଣର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଆଗାମୀ ଦିନରେ ଯଦି ନିଅଣ୍ଟିଆ ପରିସ୍ଥିତି ଦେଖାଦିଏ, ତେବେ ଖୋର୍ଦ୍ଧା, ଚୌଦ୍ବାର, ଜଗତପୁର ଆଦି ସ୍ଥାନରେ ଅମ୍ଳଜାନ ପ୍ଲାଣ୍ଟ ରହିଛି। ସେଠାରେ ଭରପୂର ଅମ୍ଳଜାନ ଗଚ୍ଛିତ ରହିଛି। ତାହା ଆରାମରେ ଦ୍ବୈତନଗରୀର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଆମେ ଆଶା ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ବଡ଼ବଡ଼ ପ୍ଲାଣ୍ଟରେ ଅମ୍ଳଜାନ ସଂରକ୍ଷଣ ହୋଇ ରହିବା ସହ ପ୍ରତ୍ୟେକ ଦିନ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe