Daya rid : ସତେ କି ମୁକ୍ତିପାଇବ ‘ଦୟା’

ଏକଦା ଦୟା ନଦୀ ଥିଲା ଅବିଭକ୍ତ ପୁରୀ ଜିଲ୍ଲାର ଜୀବନରେଖା। ଭୁବନେଶ୍ବର ଉପକଣ୍ଠରୁ ପିପିଲି, ଡେଲାଙ୍ଗ, କଣାସ ଓ ବ୍ରହ୍ମଗିରି ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକଙ୍କ ପାଇଁ ଦୟା ନଦୀ ଥିଲା ଏକ....

Untitled-18

ଭୁବନେଶ୍ବର: ଏକଦା ଦୟା ନଦୀ ଥିଲା ଅବିଭକ୍ତ ପୁରୀ ଜିଲ୍ଲାର ଜୀବନରେଖା। ଭୁବନେଶ୍ବର ଉପକଣ୍ଠରୁ ପିପିଲି, ଡେଲାଙ୍ଗ, କଣାସ ଓ ବ୍ରହ୍ମଗିରି ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକଙ୍କ ପାଇଁ ଦୟା ନଦୀ ଥିଲା ଏକ ବରଦାନ। ବନ୍ୟା ବିତ୍ପତ୍ତି ଭୟ ଥିଲେ ହେଁ ଏହି ନଦୀ ଥିଲା ଲୋକଙ୍କ ଜୀବନ। ଚାଷଠୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ପର୍ଯ୍ୟନ୍ତ ଏବଂ ବିଶେଷକରି ମଧୁର ମାଛ ପାଇଁ ଦୟା ନଦୀ ଥିଲା ବେଶ୍ ଉପଯୋଗୀ। ଏହି ନଦୀର ଉର୍ବର ପଠାରେ ବିଭିନ୍ନ ପନିପରିବା ଠାରୁ ଆରମ୍ଭ କରି ଚିନାବାଦାମ ଭଳି ତୈଳବୀଜ ଫସଲ ପୁରୀ ଜିଲ୍ଲାର ଚାଷୀଙ୍କୁ ସମୃଦ୍ଧ କରୁଥିଲା। ମାତ୍ର ଭୁବନେଶ୍ବରର କଳେବର ବଢ଼ିବା ପରଠୁ ଏହି ନଦୀର ଜଳ ଅସ୍ବଚ୍ଛ ହୋଇଗଲା। ରାଜଧାନୀର ଆବର୍ଜନା ଗଙ୍ଗୁଆ ନାଳ ଦେଇ ସିଧାସଳଖ ଦୟା ନଦୀରେ ମିଶିବା ପରେ ଏହି ଜଳ ଆଉ ବ୍ୟବହାର ଉପ‌ଯୋଗୀ ହେଲାନାହିଁ। ଏହି ନଦୀର ଜଳ ପ୍ରଦୂଷିତ ହେବା ପରେ ମଧୁର ମାଛ ମିଳିବା ବହୁ ମାତ୍ରାରେ ହ୍ରାସ ପାଇଲା। ଏମିତିକି କିଛି ପ୍ରଜାତିର ମଧୁର ମାଛ ବଂଶ ଲୋପ ପାଇଗଲା। ମତ୍ସ୍ୟଜୀବୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେମାନଙ୍କ ବେଉସା ବୁଡ଼ି ଯାଇଛି। ସେହିଭଳି ଏହି ନଦୀର ଉର୍ବର ପଠାରେ ବି ଚାଷ କମିବାକୁ ଲାଗିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଦୟା ନଦୀର ପ୍ରଦୂଷିତ ଜଳ ବିଶ୍ବପ୍ରସିଦ୍ଧ ଚିଲିକା ହ୍ରଦକୁ ପ୍ରଭାବିତ କରିବାକୁ ବସିଛି। ବେଳ ହୁଁ ଦୟାକୁ ସ୍ବଚ୍ଛ ନ କଲେ, ଚିଲିକା ବି ପ୍ରଦୂଷିତ ହୋଇ ଧ୍ବଂସ ମୁଖକୁ ଠେଲି ହୋଇଯିବ।  
 

ଭୁବନେଶ୍ବରର ସମସ୍ତ ଆବର୍ଜନାଯୁକ୍ତ ଜଳ ଗଙ୍ଗୁଆ ଦେଇ ଦୟାନଦୀରେ ମିଶୁଛି। ଭୁବନେଶ୍ବରରୁ ଦୈନିକ ୧୦୭ ମିଲିୟନ ଲିଟର ମଇଳା ପାଣି ଗଙ୍ଗୁଆ ଦେଇ ଦୟାରେ ପଶୁଛି। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଏଥିରେ ଘରୋଇ ବର୍ଜ୍ୟଜଳ ୪୬ ଏମ୍ଏଲ୍‌ଡି, ଶିଳ୍ପ ବର୍ଜ୍ୟଜଳ ୨୯ ଏମ୍ଏଲ୍‌ଡି ଓ ମିଶ୍ରିତ ବର୍ଜ୍ୟଜଳ ୩୦.୩୫ ଏମ୍ଏଲ୍‌ଡି ରହିଛି। ସବୁଠାରୁ ଅଧିକ ବିଷାକ୍ତ ହେଉଛି ଶିଳ୍ପାନୁଷ୍ଠାନର ବର୍ଜ୍ୟଜଳ ଓ ମେଡିକାଲ୍‌ ଆବର୍ଜନା। ଏସବୁ ବିନା ପରିଚାଳନାରେ ଗଙ୍ଗୁଆକୁ ଛାଡ଼ିଦିଆଯାଉଛି। ଏହି ମଇଳା ଜଳରେ ବିପଜ୍ଜନକ ଆର୍ସେନିକ୍, କାଡ୍‌ମିୟମ, ସୀସା, ପାରଦ ଆଦି ବିଷାକ୍ତ ଧାତବ ପଦାର୍ଥ ରହିଛି। ବିଭିନ୍ନ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ନଦୀର ଜଳ ପରୀକ୍ଷା କରି ଏହା ବ୍ୟବହାରଯୋଗ୍ୟ ନୁହେଁ ବୋଲି ରିପୋର୍ଟ ଦେଇଆସିଛି। କେବଳ ଏଇଥିପାଇଁ ଦୟାରୁ ମଧୁର ମାଛ ‌ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଏହି ନଦୀର ଜଳ ପିଇ ଗାଈ, ମଇଁଷି ରୋଗାକ୍ରାନ୍ତ ହେବା ପରିଲକ୍ଷିତ ହେଲା। ଲୋକମାନେ ମଧ୍ୟ ଜଣ୍ଡିସ ଓ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ଏମିତିକି ଏହି ନଦୀର ଜଳ ଯୋଗୁ କଣାସ ଅଞ୍ଚଳରେ ହଇଜା ବ୍ୟାପିଥିବା ଅଭିଯୋଗ ହୋଇଥିଲା। ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଥିଲା। ତେଣୁ ଦୟା ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ଅଣ୍ଟା ଭିଡ଼ିଥିଲେ। ଆନ୍ଦୋଳନ, ଧାରଣା ଚାଲିଲା। ମାନବାଧିକାର କମିସନରୁ ଏନ୍‌ଜିଟି ପର୍ଯ୍ୟନ୍ତ ମାମଲା ରୁଜୁ ହେଲା ଏବଂ ଦୟାକୁ ବିଶୋଧିତ କରିବାକୁ କଡ଼ା ନିର୍ଦ୍ଦେଶ ମଧ୍ୟ ଆସିଛି। 

ବହୁଦିନ ଧରି ‘ଦୟା ବଞ୍ଚାଅ’ ଆନ୍ଦୋଳନ ଜାରି ରହିଛି। ଦୟା ପ୍ରଦୂଷିତ ହେବା କାରଣ ପଛରେ ଗଙ୍ଗୁଆ ହେଉଛି ମୁଖ୍ୟ। ତେଣୁ ପ୍ରଥମେ ଗଙ୍ଗୁଆକୁ ବିଶୋଧିତ କରିବାକୁ ଯୋଜନା ହୋଇଛି। ଜଳସମ୍ପଦ ବିଭାଗଠାରୁ ଆରମ୍ଭ କରି ଭୁବନେଶ୍ବର ମହାନଗର ନିଗମ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ ୱାଟ୍‌କୋ ହାତରେ ଦୟାର ଭାଗ୍ୟ। ଭୁବନେଶ୍ବରରେ ଗଙ୍ଗୁଆ କୂଳରେ ପ୍ରତିଷ୍ଠା ହେବ ବର୍ଜ୍ୟଜଳ ପରିଚାଳନା ପ୍ରକଳ୍ପ (ୱେଷ୍ଟ ୱାଟର୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ)। ୧୦ ଏକର ଜାଗାରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବ। ଗଙ୍ଗୁଆରେ ମିଶିଥିବା ୧୧ଟି ପ୍ରାକୃତିକ ନାଳ ମଧ୍ୟରୁ ତିନିଟି ନାଳର ଜଳକୁ ଗୋଟିଏ ଏସ୍‌ଟିପି ଜରିଆରେ ପରିଚାଳନା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପର ବ୍ୟୟ ଅଟକଳ ୧୩୦ କୋଟି ଟଙ୍କା ରହିଛି। ଏ ନେଇ ୱାଟ୍‌କୋ ଟେଣ୍ଡର ଡାକିଛି। ଏଥିରେ ୨୫ ଟି ସଂସ୍ଥା ଭାଗ ନେଇଛନ୍ତି। ୨୦୨୬, ଜାନୁଆରି ବା ଫେବ୍ରୁଆରି ବେଳକୁ କାମ ଆରମ୍ଭ ହୋଇଯିବ। ପ୍ରକଳ୍ପ ସାରିବା ପାଇଁ ୧୮ରୁ ୨୪ ମାସ ଅବଧି ରହିଛି। ଅର୍ଥାତ୍ ୨୦୨୭ ମସିହା ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ସିକ୍ବେନ୍ସିଂ ବ୍ୟାଚ୍ ରିଆକ୍ଟର ପଦ୍ଧତିରେ ଜଳ ପ୍ରକ୍ରିୟାକରଣ କରାଯିବ ବୋଲି ଜଣାପଡ଼ିଛି। ଏହାକୁ ନେଇ  ଦୟା ବଞ୍ଚାଅ ସଂଗ୍ରାମୀମାନେ ଆଶାବାଦୀ ହୋଇପଡ଼ିଛନ୍ତି। ତଥାପି ପ୍ରକଳ୍ପ କାମ ଆରମ୍ଭ ନ ହେବା ପର୍ଯ୍ୟନ୍ତ କୌଣସି ନିଶ୍ଚିତତା ନାହିଁ ବୋଲି ଶଙ୍କା ରହିଛି। ସତରେ କ’ଣ ଦୟା ପ୍ରଦୂଷଣରୁ ମୁକଳିବ ବୋଲି ପ୍ରଶ୍ନବାଚୀ ଛିଡ଼ା ହୋଇଛି।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe