ତୁମେ ହେବ କି ମୋ ଭାଲେଣ୍ଟାଇନ୍‌?

ପ୍ରେମୀଯୁଗଳଙ୍କ ପ୍ରପୋଜ୍ ଡେ’

ତୁମେ ହେବ କି ମୋ ଭାଲେଣ୍ଟାଇନ୍‌?

ଭୁବନେଶ୍ବର : ଆଜି ଥିଲା ଭାଲେଣ୍ଟାଇନ୍‌ ସପ୍ତାହର ଦ୍ବିତୀୟ ଦିନ ତଥା ପ୍ରପୋଜ୍ ଡେ’। ଗତକାଲି ଗୋଲାପ କଢ଼ରେ ମନ ଦିଆନିଆ ହୋଇଥିବା ପ୍ରେମୀଯୁଗଳ ଆଜି ଆଉ ପାଦେ ଆଗେଇଥିଲେ। ଗତକାଲି ପ୍ରେମ ସୌଧର ମୂଳଦୁଆ ପକାଇଥିବା ପ୍ରେମୀଯୁଗଳ ଆଜି ସେମାନଙ୍କ ପ୍ରେମକୁ ମଜଭୁତ କରିବାକୁ ପକାଇଥିଲେ ପ୍ରସ୍ତାବ। ପ୍ରପୋଜ୍ କରିବାକୁ ଯାଇ ପ୍ରେମିକମାନେ ଆଗ ନିଜ ଆଡ଼ୁ ପ୍ରେମିକାଙ୍କୁ କହିଥିଲେ, ‘ତୁମେ ହେବ କି ମୋ ଭାଲେଣ୍ଟାଇନ୍‌?’ କିଏ ପ୍ରେମିକାର ହାତ ଧରି ଏମିତି କହୁଥିଲା ତ କିଏ ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମିକା ଆଗରେ ଆଣ୍ଠୁମାଡ଼ି ଭାଲେଣ୍ଟାଇନ୍‌ ହେବାକୁ ପ୍ରସ୍ତାବ ଦେଇଥିଲେ।

ଗତକାଲି ଭଳି ଆଜି ବି ରାଜଧାନୀର ବିଭିନ୍ନ ପାର୍କ, ରେସ୍ତୋରାଁ ଓ ହୋଟେଲ୍‌ରେ ଜମିଥିଲା ପ୍ରେମୀଯୁଗଳଙ୍କ ଭିଡ଼। ସେହିଭଳି ଧଉଳି, ଖଣ୍ଡଗିରି ଓ ଶିଖରଚଣ୍ଡୀ ଭଳି ପାହାଡ଼ରେ ବି ସେମାନଙ୍କ ମେଳି ଦେଖିବାକୁ ମିଳିଥିଲା। ସବୁଠୁ ଅଧିକ ଭିଡ଼ ହୋଇଥିଲା ନନ୍ଦନକାନନ ବଟ୍‌ନିକାଲ୍ ଗାର୍ଡେନ, ଜୟଦେବ ବାଟିକା ଏବଂ ଏକାମ୍ର କାନନର କୁଞ୍ଜବନରେ। ଏହି ଅବସରରେ ପ୍ରେମୀଯୁଗଳ ପରସ୍ପରକୁ ଅଧିକ ଜାଣିବାକୁ ଜମିଥିଲା ଗପର ଆସର। ଗତକାଲି ଉପହାର ଭାବେ ଗୋଲାପ ଫୁଲ ଦିଆନିଆ ହୋଇଥିବା ବେଳେ ଆଜି ପ୍ରପୋଜ୍ ଡେ’ ଅବସରରେ ଅନ୍ୟାନ୍ୟ ବସ୍ତୁ ଉପହାର ଦିଆନିଆ ଚାଲିଥିଲା। ତେଣୁ ଗତକାଲିର ଫୁଲ ଦୋକାନ ଭିଡ଼ ଆଜି ଉପହାର ଦୋକାନକୁ ସ୍ଥାନାନ୍ତର ହୋଇଯାଇଥିଲା।

ହାର୍ଟ ଲ୍ୟାମ୍ପ, କପଲ୍‌ ଘଡ଼ି, ରୋମାଣ୍ଟିକ୍‌ କୁସନ୍‌, କଷ୍ଟମାଇଜ୍‌ଡ୍‌ ଡ୍ରେସ୍‌ ଓ ଟି-ସାର୍ଟ ଇତ୍ୟାଦି ଆଜି ବେଶି ବିକ୍ରି ହୋଇଥିବା ଜଣାଯାଇଛି। ବଡ଼ କଥା ହେଉଛି ବେପାର ଭଲ ହେବା ପାଇଁ ତଥା ପ୍ରେମୀଯୁଗଳଙ୍କୁ ସୁହାଇବା ପାଇଁ ଆଜି ବହୁ ଉପହାର ଦୋକାନ ରିହାତି ବ୍ୟବସ୍ଥା କରିଥିଲେ। କିଛି କିଛି ସ୍ଥାନରେ ୫୦ ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିଥିବା ଦେଖାଯାଇଛି। ସେହିଭଳି ଆଜି ପ୍ରପୋଜ୍‌ ଡେ’ରେ କାର୍ଡ ଦିଆନିଆ ବି ହୋଇଛି। ‘ଆଇ ଲଭ୍‌ ୟୁ’, ‘ୱିଲ୍‌ ୟୁ ବି ମାଇ ଭାଲେଣ୍ଟାଇନ୍‌’ ଲେଖାଥିବା ସୁନ୍ଦର କାର୍ଡ ଦିଆନିଆ ହୋଇଛି। ଆସନ୍ତାକାଲି ପ୍ରେମ ସପ୍ତାହର ତୃତୀୟ ଦିବସ ତଥା ଚକଲେଟ୍ ଡେ’। ପ୍ରେମକୁ ମଧୁର କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେବ। ତେଣୁ କାଲି ଚକଲେଟ୍‌ ବ୍ୟବସାୟ ବେଶ୍ ଜମିବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe