ଭୁବନେଶ୍ବର : ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ୍ ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା ପରିସରରେ ଆଜି ଜଣେ ମହିଳା ପ୍ରସବ କରିଛନ୍ତି। କିଛି ମାସ ତଳେ ଜଣେ ପ୍ରସୂତି ବିଳମ୍ବିତ ରାତିରେ ହସ୍ପିଟାଲ ବାହାରେ ପ୍ରସବ କରିବା ବିବାଦ ଥମି ନ ଥିବା ବେଳେ ଆଜି ଆଉ ଜଣେ ମହିଳା ହସ୍ପିଟାଲ ପରିସରରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଚିକିତ୍ସାରେ ଅବହେଳା ଓ ଲେବର ରୁମ୍ ନ ମିଳିବାରୁ ହସ୍ପିଟାଲର ଶିଶୁ ୱାର୍ଡ ସମ୍ମୁଖରେ ମହିଳା ଜଣକ ପ୍ରସବ କରିଛନ୍ତି। ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ମୋ’ ସରକାର କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ କରିଛନ୍ତି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଯେପରି ଉପଯୁକ୍ତ ସେବା ମିଳିପାରିବ, ସେଥିପାଇଁ ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ପାଇଁ ନିର୍ଦେଶ ଦିଆଯାଉଛି। ମାତ୍ର କ୍ୟାପିଟାଲ ହସ୍ପିଟାଲରେ ବାରମ୍ବାର ଏଭଳି ଘଟଣା ଘଟିବାରେ ଲାଗିଛି, ଯାହାକି ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚେହେରାକୁ ପଦାରେ ପକାଇ ଦେଇଛି।
ସୂଚନା ଅନୁସାରେ, ନିମାପଡ଼ା ଅଞ୍ଚଳର କାହ୍ନୁ ଭୋଇ ପତ୍ନୀ ରୀନାଙ୍କୁ ପ୍ରସବ ପାଇଁ ଗତକାଲି କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଗତକାଲି ସେ ଆଡମିଟ୍ ହୋଇଥିଲେ। ତେବେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ରୀନାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ଚାଲି ଯାଇଥିଲେ। ଶଯ୍ୟା ନ ମିଳିବାରୁ ଲେବର ରୁମ୍ ଚଟାଣରେ ରାତି ସାରା ଶୋଇଥିଲେ। ସକାଳ ହେବା ବେଳକୁ ପ୍ରସବ ବେଦନା ତୀବ୍ର ହେବାରୁ ବାଧ୍ୟ ହୋଇ ଅନ୍ୟତ୍ର ଚାଲି ଯିବାକୁ ବାହାରକୁ ବାହାରିଥିଲେ ରୀନା। ହେଲେ ବେଶି ବାଟ ଯାଇ ପାରି ନ ଥିଲେ। ଶିଶୁ ୱାର୍ଡ ସମ୍ମୁଖରେ ତାଙ୍କର ପ୍ରସବ ହୋଇଯାଇଥିଲା।
ତେବେ ହସ୍ପିଟାଲକୁ ଆସିବା ପରେ ତାଙ୍କ ପତ୍ନୀଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ରୀନାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଡାକ୍ତରଖାନାକୁ ଆସି ଜଣେ ପ୍ରସୂତି ରାସ୍ତାରେ ପ୍ରସବ କରିବା ଘଟଣା ଚର୍ଚାର ବିଷୟ ପାଲଟିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ସେ ସଂପର୍କରେ ହସ୍ପିଟାଲର ନିର୍ଦେଶକ ଡା. ଅଶୋକ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କଠାରୁ କୌଣସି ଉତ୍ତର ମିଳି ପାରି ନାହିଁ।
Follow Us