ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ପୁରୁଷ ବନ୍ଧୁ ଫେରାର

Advertisment

ଝୁଲନ୍ତା ମୃତଦେହ ନିକଟରେ ମଦ ବୋତଲ, ‌ପୋଡ଼ା ସିଗାରେଟ

ଝୁଲନ୍ତା ମୃତଦେହ ନିକଟରେ ମଦ ବୋତଲ, ‌ପୋଡ଼ା ସିଗାରେଟ

ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ : ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ପୁରୁଷ ବନ୍ଧୁ ଫେରାର

ଭୁବନେଶ୍ବର/ଧଉଳି : ଶନିବାର ବିଳମ୍ବିତ ରାତିରେ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିରେ ରହୁଥିବା ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହକୁ ଧଉଳି ପୁଲିସ ଜବତ କରିଛି। ମୃତଦେହଟି ସେ ରହୁଥିବା ଭଡ଼ା ଘରର ଫ୍ୟାନ୍‌ରେ ଝୁଲୁଥିଲା। ତାଙ୍କ ନାକ ଓ ପାଟିରୁ ରକ୍ତ ପଦାକୁ ବାହାରି ଆସିଥିଲା। ଦେହରେ କେବଳ ଅନ୍ତଃବସ୍ତ୍ର ଥିଲା। ଖଟରେ ଦୁଇଟି ମୋବାଇଲ, ଘର ନିକଟରେ ମଦ ବୋତଲ, ପୋଡ଼ା‌ ସିଗାରେଟ୍‌ ପଡ଼ିଥିଲା। ମୃତଦେହ ଝୁଲନ୍ତା ଅବସ୍ଥା‌ରେ ଥିଲେ ମଧ୍ୟ ପାଦ ଦୁଇଟି ଏକଦମ୍‌ ତଳେ ଲାଗି ଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ରାତିରେ ତାଙ୍କ ସହିତ ଥିବା ପୁରୁଷ ବନ୍ଧୁଜଣକ ଏବେ ଫେରାର୍‌ ହୋଇଯାଇଛନ୍ତି। ଫଳରେ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଛି। କିନ୍ତୁ ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି। ପୁଲିସ କହିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ।

ମୃତ ମହିଳାଜଣଙ୍କ ହେଲେ, ଦୀପାଳି ପ୍ରିୟଦର୍ଶିନୀ ଜେନା। ଘର ଭଦ୍ରକ ଜିଲ୍ଲା ବାସୁଦେଇପୁର ଗ୍ରାମରେ। ଏଠାରେ ସେ ସାନ ଭଉଣୀ ‌‌ଶେଫାଳି ଓ ମା’ଙ୍କ ସହିତ ରହୁଥିଲେ। ୩ ମାସ ତଳେ ଭୁବନେଶ୍ବର ଆସି ଏଠାରେ ଭୁବନେଶ୍ବର କୋର୍ଟରେ ଓକିଲାତି କରୁଥିଲେ। ଦୀପାଳିଙ୍କ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଧୀନ ବାଲୁଖଣ୍ଡ ଗ୍ରାମର ବିକ୍ରମ କେଶରୀ ମିଶ୍ରଙ୍କ ସହ ବିବାହ ସ୍ଥିର ହୋଇସାରିଥିଲା। ବିଭିନ୍ନ ସମୟରେ ବିକ୍ରମ ତାଙ୍କ ଘରକୁ ଯିବା ଆସିବା କରିଥାନ୍ତି। କିଛି ଦିନ ତଳେ ଦୀପାଳିଙ୍କ ମା’ ଗାଁକୁ ଚାଲି ଯାଇଥିଲେ। ସେହିପରି ସଂଧ୍ୟାରେ ସାନଭଉଣୀ ଶେଫାଳି ବି ତାଙ୍କ ସାଙ୍ଗ ସହ ଯାଇ ଆଉ ରୁମ୍‌କୁ ଫେରି ନ ଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ବିକ୍ରମ ଶେଫାଳିଙ୍କୁ ଫୋନ୍ କରି କହିଥ‌ିଲେ, ତୁମ ଭଉଣୀ ଭିତର ପଟୁ କବାଟ ଦେଇ ଦେଇଛି। ଯେତେ ଡାକିଲେ ମଧ୍ୟ ଶୁଣୁନାହିଁ। ଏହା ପରେ ଶେଫାଳି ନିଜ ସାଙ୍ଗ ସାଥୀମାନଙ୍କ ସହ ଇନ୍ଦିରା କଲୋନି ଘରେ ପହଞ୍ଚିଥିବା ସହ ପୁଲିସକୁ ମଧ୍ୟ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଦୀପାଳିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲା। କିନ୍ତୁ ବିକ୍ରମଙ୍କର ଆଉ ଦେଖା ନ ଥିଲା। ତାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଥିବା ଦେଖାଇଥିଲା। ତେଣୁ ପୁଲିସ ପହଞ୍ଚିବା ପୂର୍ବରୁ ବିକ୍ରମ ଘଟଣାସ୍ଥଳରୁ ଫେରାର ହୋଇଯିବା ଘଟଣା ପୁଲିସକୁ ଦ୍ବନ୍ଦ୍ବରେ ପକାଇଛି। ଏଭଳି ସ୍ଥିତିରେ ବିକ୍ରମକୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି। ବିକ୍ରମଙ୍କଠାରୁ ଦୀପାଳିଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ଆଶା ବାନ୍ଧିଛି। ଗତକାଲି ରାତିରେ ଦୀପାଳିଙ୍କ ସହିତ ଆଉ କିଏ ଥିଲେ ଏବଂ କେଉଁଭଳି ପରିସ୍ଥିତିରେ ସମଗ୍ର ଘଟଣା ଘଟିଲା ସେ ନେଇ ମଧ୍ୟ ପୁଲିସ ଅନୁସନ୍ଧାନ ଚଳାଇଛି। ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ଦୁଇଟି ମୋବାଇଲ ଫୋନର କଲ୍‌ ଡିଟେଲ୍ସ ମଧ୍ୟ ମଗାଇଛି। ଶନିବାର ରାତିରେ ଦୀପାଳି କାହା କାହା ସହିତ କଥା ହୋଇଥିଲେ, ଶେଷ ଫୋନ କଲ୍ କାହା ପାଖକୁ ଥିଲା ଏ ସବୁର ଯାଞ୍ଚ କରାଯାଉଛି। ଦୀପାଳି ଜଣେ ଆଇନଜୀବୀ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ଘଟଣାକୁ ଅନେ‌କେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେବେ ବିକ୍ରମ ଧରାପଡ଼ିଲେ ଘଟଣା ଉପରୁ ରହସ୍ୟ ଉଠି ପାରିବ ବୋଲି ଇନ୍ସପେକ୍ଟର ଜୟଦେବ ବିଶ୍ବଜିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe