ମହିଳା ଟ୍ରାଫିକ୍‌ କନେଷ୍ଟବଳ ହତ୍ୟା ମାମଲା: ରଚିଥିଲା ସଂଗିନ ଷଡ୍‌ଯନ୍ତ୍ର

ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ କମିସନରେଟ୍‌ ପୁଲିସକୁ ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟ ମିଳିଛି, ତାହା କୌଣସି ରହସ୍ୟମୟ ତଥା ଅପରାଧ ଆଧାରିତ...

Untitled-10

ଭୁବନେଶ୍ବର: ମହିଳା ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ କମିସନରେଟ୍‌ ପୁଲିସକୁ ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟ ମିଳିଛି, ତାହା କୌଣସି ରହସ୍ୟମୟ ତଥା ଅପରାଧ ଆଧାରିତ ଚଳଚ୍ଚିତ୍ର କାହାଣୀଠାରୁ କମ୍‌ ନୁହେଁ। ଜଣେ ପୁଲିସ କନେଷ୍ଟବଳ ମୁଣ୍ଡରେ ଏମିତି ଅପରାଧପ୍ରବଣତା ଭରି ରହିଛି ବୋଲି ଜଣାପଡ଼ିବା ପରେ କମିସନରେଟ୍‌ ପୁଲିସର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଯାଇଛନ୍ତି। ମାତ୍ର ‘ଅପରାଧୀ କେଉଁଠି ନା କେଉଁଠି ସୁରାକ ଛାଡ଼ିଯାଇଥାଏ’ ନ୍ୟାୟରେ ସ୍ପେସାଲ୍‌ ସ୍କ୍ବାଡ୍‌ ଲାଗିପଡ଼ିଥିଲା। ପାଖାପାଖି ୯ ଦିନ କାଳ କସରତ କରିବା ପରେ ପୁଲିସକୁ ମିଳିଲା ସଫଳତା ଓ ବନ୍ଧାହେଲା ହତ୍ୟା ଅଭିଯୁକ୍ତ ଦୀପକ ରାଉତ। ଅପରପକ୍ଷେ ଅପରାଧୀଙ୍କୁ ଧରିବାରେ ଦକ୍ଷତା ରଖିଥିବା ଅଭିଜ୍ଞ ପୁଲିସ ଅଧିକାରୀମାନଙ୍କୁ ୯ ଦିନ କାଳ ପାଣି ପିଆଇଥିବା ଅଭିଯୁକ୍ତ ଦୀପକ ଫାଶରୁ ବା କିଭଳି ଶୁଭମିତ୍ରା ବର୍ତ୍ତି ପାରିଥାଆନ୍ତେ ବୋଲି ଆଲୋଚନା ହେଉଛି। ବିଚାରି ଶୁଭମିତ୍ରା ପୁଲିସ ଚାକିରି କରିଥିଲେ ହେଁ ଦୀପକ ଭିତରେ ଲୁଚି ରହିଥିବା ଏକ ଭୟଙ୍କର ପିଶାଚକୁ ଚିହ୍ନି ପାରିନଥିଲେ। ସରଳ ମନରେ ବିଶ୍ବାସ କରି ସେ ଶେଷରେ ଏକ ବୀଭତ୍ସ ମୃତ୍ୟୁର ଶିକାର ହୋଇଗଲେ।   

ସିଡିଆର୍‌ରୁ ମିଳିଲା ଖିଅ 

ଶୁଭମିତ୍ରାଙ୍କ ନିଖୋଜ ସଂପର୍କରେ ବାପା ଦୁର୍ଯ୍ୟୋଧନ ସାହୁ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିବା ପରେ ସ୍ପେସାଲ୍‌ ସ୍କ୍ବାଡ୍‌ ଓ କ୍ୟାପିଟାଲ୍‌ ଥାନା ପୁଲିସକୁ ନେଇ ୩ଟି ଟିମ୍‌ ଗଠନ କରାଯାଇଥିଲା। ସେମାନଙ୍କ ସହ ଥିଲେ ସାଇଣ୍ଟିଫିକ୍‌ ଓ ଟେକ୍ନିକାଲ୍‌ ଟିମ୍‌। ପ୍ରଥମେ ଶୁଭମିତ୍ରାଙ୍କ ସିଡିଆର୍‌କୁ ନେଇ ଚାଲିଲା ଖୋଳତାଡ଼। ସିଡିଆର୍‌ ରିପୋର୍ଟରୁ ଜଣାପଡ଼ିଥିଲା ଯେ ସେ ବହୁଥର ଦୀପକ ସହ କଥା ହୋଇଛନ୍ତି। ତେଣୁ ୭ ତାରିଖଠାରୁ ପୁଲିସ ତାକୁ ସ୍କାନର୍‌ରେ ରଖିବା ସହ ବିଭିନ୍ନ ସମୟରେ ପଚରାଉଚରା କରିଥିଲା। ମାତ୍ର ଦୀପକ ମୁହଁରୁ ସତ ଉଗାଳିବା ପୁଲିସ ପାଇଁ ସମ୍ଭବ ହୋଇ ନଥିଲା। ଏହାପରେ ପୁଲିସ ସ୍ମାର୍ଟସିଟି କଣ୍ଟ୍ରୋଲ୍‌ ରୁମ୍‌କୁ ଯାଇ ୭ ଦିନର ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଥିଲା। ଅଧିକାଂଶ ସମୟରେ ଶୁଭମିତ୍ରା ଦୀପକର କାର୍‌ରୁ ବାହାରିଥିବା ଜାଣିବାକୁ ପାଇଥିଲା ପୁଲିସ। କାର୍‌ ନମ୍ବରକୁ ନେଇ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଘଟଣା ଦିନ ଶୁଭମିତ୍ରା, ଦୀପକ ସହ ଥିଲେ। ଉଭୟ କାର୍‌ରେ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରୁ ଯାଇଥିଲେ। କାର୍ ଗତିବିଧିକୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ପରେ ଗାଡ଼ି ରାଜଧାନୀ ବାହାରକୁ ଯାଇଥିବା ଜଣାପଡ଼ିଥିଲା। ବଡ଼ କଥା ହେଉଛି ଉଭୟଙ୍କ ଫୋନ୍ ନମ୍ବର ମଧ୍ୟ ଏକାଠି ଥିବା ସିଡିଆର୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସର ଦ୍ବନ୍ଦ୍ବ ଦୂର ହୋଇଥିଲା। ଦୁଇଦିନ ଛୁଟିରେ ଥିବା ଦୀପକ ଅଫିସକୁ ଆସିବା ପରେ ପୁଲିସ ତାକୁ ଅଟକ ରଖି ଘନଘନ ଜେରା କରିଥିଲା। ହ୍ବାଟ୍‌ସଆପ୍‌ ଚାଟ୍‌ରୁ ମଧ୍ୟ ପୁଲିସ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଥିଲା। ଶୁଭମିତ୍ରା କିଭଳି ମାନସିକ ଅବସାଦରେ ଥିଲେ, ତାହା ଲେଖିଥିଲେ। ସେମିତି ଟଙ୍କା ମାଗିବା କଥା ବି ଲେଖାଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ପାଟିତୁଣ୍ଡ ଓ ଦୀପକଙ୍କ ଧମକପୂର୍ଣ୍ଣ ମେ‌ସେଜ୍‌ ମଧ୍ୟ ପୁଲିସ ହାତରେ ଲାଗିଥିଲା। ତଥାପି ଦୀପକ ପାଟିରୁ ସତ ବାହାରିନଥିଲା। 

ଧରାଇଲା ପଲିଗ୍ରାଫ୍‌ ‌ପରୀକ୍ଷା

ବାରମ୍ବାର ବିଫଳ ହେବା ପରେ ବି ପୁଲିସ ଦୀପକ ପିଛା ଛାଡ଼ିନଥିଲା। ତେଣୁ ତା’ର ପଲିଗ୍ରାଫ୍‌ ପରୀକ୍ଷା କରାଯାଇଥିଲା। ରସୁଲଗଡ଼ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ରେ ମିଛଧରା (ପଲିଗ୍ରାଫ୍‌) ପରୀକ୍ଷା ବେଳେ ଦୀପକର ସବୁ ଚାଲ୍‌ ଧରାପଡ଼ିଯାଇଥିଲା। ଖସିବାର ବାଟ ନ ପାଇ ପୁଲିସ ଆଗରେ ସତ ଉଗାଳିପକାଇଥିଲା। ସେ କେମିତି ଶୁଭମିତ୍ରାଙ୍କୁ ହତ୍ୟା କଲା, ଭୁବନେଶ୍ବରରୁ କେମିତି କେନ୍ଦୁଝର ନେଇଥିଲା, ସେଠାରେ ତାକୁ କିଏ କିଏ ସହଯୋଗ କରିଥିଲେ, ସବୁ ମାନିବା ପରେ ପୁଲିସ ଟିମ୍‌ କେନ୍ଦୁଝର ପୁଲିସ ସହ ଯୋଗାଯୋଗ କରିଥିଲା। ଆଜି ସକାଳୁ ତାକୁ ନେଇ ଘଟଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପୁଲିସ ସହଯୋଗରେ ମୃତଦେହ ଜବତ କରାଯାଇଥିଲା। ଶୁଭମିତ୍ରାଙ୍କ ମୋବାଇଲ୍‌କୁ ମଧ୍ୟ ଦୀପକଠାରୁ ଜବତ କରାଯାଇଛି। ପ୍ରମାଣ ନଷ୍ଟ ପାଇଁ ଦୀପକ, ଶୁଭମିତ୍ରାଙ୍କ ମୋବାଇଲ୍‌କୁ ଭାଙ୍ଗି ଦେଇଥିଲା। ମୋବାଇଲ୍‌ରୁ ଅଧିକ ତଥ୍ୟ ଜାଣିବା ପାଇଁ ପୁଲିସ ଭଙ୍ଗା ମୋବାଇଲ୍‌କୁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଇଛି।  

Untitled-11

ବୀମା ପାଇଁ ବଳିପଡ଼ିଲେ କି ଶୁଭମିତ୍ରା!

ଦୀପକର ଆଉ ‌ଏକ କଳା ସତ ପଦାକୁ ଆସିଛି। ବୀମା ଟଙ୍କା ପାଇବା ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଚର୍ଚ୍ଚାକୁ ଆସିଛି। ଦୀପକଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ୨୦୨୨ ମସିହାରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ଦୀପକ ବୀମା ସଂସ୍ଥାରୁ ୧.୨ କୋଟି ଟଙ୍କା ପାଇଥିଲା। ଚର୍ଚ୍ଚା ହେଉଛି ଯେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପଛରେ ବି ଦୀପକର ହାତ ରହିଛି। ପ୍ରଥମ ପତ୍ନୀଙ୍କୁ ବି ଷଡ୍‌ଯନ୍ତ୍ର କରି ହତ୍ୟା କରି ସେ ଦୁର୍ଘଟଣାର ରୂପ ଦେଇଥିଲା।  ଶୁଭମିତ୍ରାଙ୍କ ନାଁରେ ମଧ୍ୟ କୋଟିଏ ଟଙ୍କାର ବୀମା ରହିଛି। ସେହି ଟଙ୍କାକୁ ହାତେଇବା ପାଇଁ ଦୀପକ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ରହସ୍ୟଘେରରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ

ଶୁଭମିତ୍ରାଙ୍କୁ ବିବାହ କରିବା ପୂର୍ବରୁ ଅଭିଯୁକ୍ତ ଦୀପକ ୨୦୧୮ ଏପ୍ରିଲ ୨୫ ତାରିଖରେ ଢେଙ୍କାନାଳ ତିଳପଦା ଗ୍ରାମର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲା। ଅପର୍ଣ୍ଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ ଅଧୀନ କନ୍ଦରସିଂହାରେ ସେତେବେଳେ ରାଜସ୍ବ ନିରୀକ୍ଷକ (ଆରଆଇ) ଥିଲେ। ୨୦୨୨ ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟାରେ ସ୍ବାମୀ ଦୀପକ ସହିତ ଅପର୍ଣ୍ଣା ଭୁବନେଶ୍ୱରରୁ କାର ଯୋଗେ ତିଳପଦାସ୍ଥିତ ବାପଘରକୁ ଆସୁଥିଲେ। ଫେରିବା ବାଟରେ ବାପଘର ଲୋକଙ୍କ ସହ ଭଲରେ କଥାବାର୍ତ୍ତା ହୋଇଥିଲେ। ତେବେ ଅପର୍ଣ୍ଣା କଥା ହେବାର ଅଳ୍ପ କିଛି ସମୟ ପରେ ଶ୍ବଶୁରଘରକୁ ଦୀପକ ଫୋନ୍‌ କରିଥିଲା ଏବଂ କହିଥିଲା ଦୁର୍ଘଟଣାରେ ଅପର୍ଣ୍ଣାର ମୃତ୍ୟୁ ହୋଇଯାଇଛି। ବାଟରେ କାର୍‌ ପମ୍ପଚର୍‌ ହୋଇଥିଲା, ସେ ଗାଡ଼ି ଟାୟାର ବଦଳାଇବାବେଳେ ଅପର୍ଣ୍ଣା ରାସ୍ତାରେ ମୋବାଇଲ ଟର୍ଚ୍ଚ ଦେଖାଉଥିଲେ। ଏହି ସମୟରେ ଏକ ଗାଡ଼ି ଆସି ଅପର୍ଣ୍ଣାଙ୍କୁ ପିଟିଦେଲା ବୋଲି ବାହାନା କରିଥିଲା ଦୀପକ। ଏ ନେଇ ଖୁଣ୍ଟୁଣୀ ଥାନାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ମଧ୍ୟ ରୁଜୁ ହୋଇଛି। ଦୁର୍ଘଟଣା ଦର୍ଶାଇ ଅପର୍ଣ୍ଣାଙ୍କ ନାମରେ ଥିବା କୋଟିଏରୁ ଅଧିକ ଜୀବନବୀମା ବାବଦ ଟଙ୍କା ଦୀପକ ଉଠାଇଥିବା ଚର୍ଚ୍ଚା ହେଉଥିବାବେଳେ ଅପର୍ଣ୍ଣାଙ୍କ ମୃତ୍ୟୁ ପଛର ରହସ୍ୟ ଏବେ ସନ୍ଦେହଘେରକୁ ଚାଲିଆସିଛି। ପୁଲିସ ଏ ସଂପର୍କରେ ଖୋଳତାଡ଼ ଆରମ୍ଭ କରିଛି।

Untitled-12

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe